ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ଡ଼ଃ.ମନମୋହନ ସିଂହଙ୍କ ଗୁରୁବାର ନିଧନ ହୋଇଛି । ୯୨ ବର୍ଷରେ ଦିଲ୍ଲୀ ଏମ୍ସରେ ସେ ନିଶ୍ୱାସ ତ୍ୟାଗ କରିଛନ୍ତି । ମନମୋହନ ସିଂହଙ୍କ ନିଧନରେ ଭାରତର ଏକ ଯୁଗର ଅନ୍ତ ଘଟିଛି । ଅର୍ଥମନ୍ତ୍ରୀ ଏବଂ ଦୁଇ ଥର ପ୍ରଧାନମନ୍ତ୍ରୀ ଭାବେ ମନମୋହନଙ୍କ କାର୍ଯ୍ୟକାଳରେ ଦେଶ ଅନେକ ଉପଲବ୍ଧି ହାସଲ କରିଛି । ଦେଶର ନୀତି ନିର୍ମାଣରେ ତାଙ୍କ ଯୋଗଦାନ ଅତୁଳନୀୟ । ଆର୍ଥିକ ଉଦାରୀକରଣରେ ତାଙ୍କର ରହିଛି ସବୁଠୁ ବଳିଷ୍ଠ ଯୋଗଦାନ ।
ମନମୋହନ ସିଂ ଅର୍ଥମନ୍ତ୍ରୀ ଭାବେ କାର୍ଯ୍ୟ କରି ୧୯୯୧ରେ ଆରମ୍ଭ ହୋଇଥିବା ଦେଶର ଆର୍ଥିକ ଉଦାରୀକରଣରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏଥିରେ ସରକାରୀ ନିୟନ୍ତ୍ରଣକୁ କମ କରିବା, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ (ଏଫଡିଏ)କୁ ବଢାଇବା ଏବଂ ଷ୍ଟ୍ରକ୍ଚରାଲ ରିଫର୍ମକୁ ଲାଗୁ କରିବା ସାମିଲ ଥିଲା । ଏହାସହ ଭାରତର ଅର୍ଥବ୍ୟବସ୍ଥାକୁ ବୈଶ୍ୱିକ ବଜାରର ପାଇଁ ଖୋଲିଥିଲେ ।
ମାହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)
୨୦୦୫ରେ ଲାଗୁ ହୋଇଥିବା ଏହି ଅଧିନିୟମ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ୧୦୦ ଦିନ ଯାଏ ନିଶ୍ଚିତ ରୋଜଗାର ଗ୍ୟାରେଣ୍ଟି ପ୍ରଦାନ କରେ । ମନମୋହନ ସିଂ ସରକାର ଏହି ଆଇନ ଆଣି ଦେଶର ଲକ୍ଷ ଲକ୍ଷ ଲୋକଙ୍କ ଆଜୀବିକାରେ ଉଲ୍ଲେଖନୀୟ ସୁଧାର ଆଣିଥିଲେ । ଏହାସହ ଗ୍ରାମାଞ୍ଚଳର ଅର୍ଥନୀତି ମଧ୍ୟ ମଜଭୁତ ହୋଇଥିଲା ।
ସୂଚନା ଅଧିକାର ଆଇନ (RTI)
୨୦୦୫ ମନମୋହନ ସିଂହଙ୍କ ସରକାର ସମୟରେ ପାରିତ ହୋଇଥିଲା ସୂଚନା ଅଧିକାର ଆଇନ । ଏହି ଆଇନ ଦେଶବାସୀଙ୍କୁ ଦେଇଥିଲା ବିରାଟ ଶକ୍ତି । ନାଗରିକଙ୍କୁ ସାର୍ବଜନୀନ କାର୍ଯ୍ୟର ସୂଚନା ମାଗିବାର ଅଧିକାର ଦେଇଥିଲା । ଏହି ଆଇନ ଲାଗୁ ହେବା ଦ୍ୱାରା ଶାସନରେ ପାରଦର୍ଶିତା ଆସିବା ସହ ପ୍ରଶାସନକୁ ଉତ୍ତରଦାୟୀ କରିଥିଲା ।
ଆଧାର
ଆଧାର ପରିଯୋଜନା ପଛରେ ବି ରହିଛି ମନମୋହନ ସିଂହ ବଡ଼ ଭୂମିକା । ଦେଶବାସୀଙ୍କୁ ଏକକ ପରିଚୟ ପ୍ରଦାନ କରିବା ଏବଂ ବିଭିନ୍ନ ସେବାକୁ ଲୋକଙ୍କ ପାଖରେ ସଠିକ୍ ଭାବେ ପହଞ୍ଚାଇବା ପାଇଁ ତାଙ୍କ କାର୍ଯ୍ୟକାଳ ସମୟରେ ହିଁ ଏହାକୁ ଆରମ୍ଭ କରାଯାଇଥିଲା ।
ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (DBT)
ପ୍ରଧାନମନ୍ତ୍ରୀ ଭାବେ ମନମୋହନ ସିଂଙ୍କ କାର୍ଯ୍ୟକାଳରେ ଦେଶରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ (ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର) ସିଷ୍ଟମ ଲାଗୁ କରାଯାଇଥିଲା । ସରକାରୀ ଯୋଜନାର ବିତରଣକୁ ସୁବ୍ୟବସ୍ଥିତ କରିବା ଏବଂ ଏଥିରେ ତ୍ରୁଟିକୁ ଦୂର କରିବା ଥିଲା ଏହାର ପ୍ରମୁଖ ଉଦ୍ଦେଶ୍ୟ ।
କୃଷି ଋଣ ଛାଡ଼
କୃଷକଙ୍କ ହିତ ଏବଂ ଚାଷ ସଂକଟ ଦୂର କରିବା ପାଇଁ ୬୦,୦୦୦ କୋଟି ଟଙ୍କାର ଋଣ ଛାଡ଼ କରିଥିଲେ । ଏହା ଜରିଆରେ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରିଥିଲେ ।
ଭାରତ-ଆମେରିକା ପରମାଣୁ ଚୁକ୍ତି
ମନମୋହନ ସିଂହଙ୍କ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ମଧ୍ୟରୁ ଗୋଟିଏ ହେଉଛି ଭାରତ-ଆମେରିକା ପରମାଣୁ ବୁଝାମଣା ଉପରେ ଆଲୋଚନା । ଏହି ବୁଝାମଣା ଅନୁସାରେ ଭାରତକୁ ପରମାଣୁ ଯୋଗାଣକାରୀ ସମୂହ (NSG)ଠାରୁ ଆଶ୍ୱସ୍ତି ମିଳିଥିଲା । ଭାରତକୁ ନିଜ ନାଗରିକ ଏବଂ ସୈନ୍ୟ ପରମାଣୁ କାର୍ଯ୍ୟକ୍ରମକୁ ଅଲଗା କରିବା ପାଇଁ ଅନୁମତି ମିଳିଥିଲା । ଏହି ଡିଲ୍ ଅନୁସାରେ ଭାରତକୁ ସେହି ସବୁ ଦେଶରୁ ୟୁରେନିୟମ ଆମଦାନୀ ପାଇଁ ଅନୁମତି ମିଳିଥିଲା, ଯେଉଁମାନଙ୍କ ପାଖରେ ଏହି ଟେକ୍ନୋଲଜି ରହିଛି ।