ମୁଁ ଜଣେ ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇଲି...ମନମୋହନ ସିଂଙ୍କ ନିଧନରେ ଭାବୁକ ହେଲେ ରାହୁଲ ଗାନ୍ଧୀ

Published By : Prameya-News7 Bureau | December 26, 2024 IST

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ୯୨ ବର୍ଷ ବୟସରେ ପରଲୋକ ଘଟିଛି। ଏମ୍ସର ଜରୁରୀକାଳୀନ ବିଭାଗରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୋକ ବ୍ୟକ୍ତ କରିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, ମନମୋହନ ସିଂ ଅପାର ଜ୍ଞାନ ଓ ନିଷ୍ଠା ସହିତ ଭାରତର ନେତୃତ୍ଵ ନେଇଛନ୍ତି। ତାଙ୍କ ବିନମ୍ରତା ଓ ଅର୍ଥଶାସ୍ତ୍ରରେ ଗଭୀର ବୁଦ୍ଧିମତା ରାଷ୍ଟ୍ରକୁ ପ୍ରେରିତ କରିଛି। ଶ୍ରୀମତି କୌର ଓ ତାଙ୍କ ପରିବାର ପ୍ରତି ମୋର ହାର୍ଦ୍ଦିକ ସମବେଦନା। ମୁଁ ଜଣେ  ଗୁରୁ ଓ ମାର୍ଗଦର୍ଶକଙ୍କୁ ହରାଇଛି। ଆମ୍ଭମାନଙ୍କ ମଧ୍ୟରୁ ଲକ୍ଷାଧିକ ଲୋକ ତାଙ୍କୁ ପ୍ରଶଂସା କରୁଥିଲେ, ଏବେ ତାଙ୍କୁ ବହୁତ ଗର୍ବର ସହ ମନେ ରଖିବେ।




ରାହୁଲ ଗାନ୍ଧୀ କହିଥିଲେ ଏହି କଥା

୨୦୨୦ରେ ମନମୋହନ ସିଂଙ୍କ ୮୮ତମ ଜନ୍ମଦିନରେ ରାହୁଲ ଗାନ୍ଧୀ ଏକ୍ସରେ ଲେଖିଥିଲେ, ପ୍ରଧାନମନ୍ତ୍ରୀ ଭାବେ ଭାରତ ଡ. ମନମୋହନ ସିଂଙ୍କ ଅଭାବକୁ ଅନୁଭବ କରୁଛୁ। ତାଙ୍କର ସଚ୍ଚୋଟତା, ଶାଳୀନତା ଓ ସମର୍ପଣ ଆମ ସଭିଙ୍କ ପାଇଁ ପ୍ରେରଣାର ସ୍ରୋତ। ତାଙ୍କୁ ଜନ୍ମଦିନରେ ବହୁତ ବହୁତ ଶୁଭକାମନା। ଏହି ବର୍ଷ ତାଙ୍କ ପାଇଁ ସୁନ୍ଦର ହେଉ। 




 ଯେବେ ରାହୁଲ ଗାନ୍ଧୀ ଫାଡ଼ିଥିଲେ ଅଧ୍ୟାଦେଶ

୨୦୧୩ରେ ରାହୁଲ ଗାନ୍ଧୀ ‘ଦାଗୀ ସାଂସଦ ଓ ବିଧାୟକ’ ଉପରେ ଅଣା ଯାଇଥିବା ୟୁପିଏ ସରକାରର ଅଧ୍ୟାଦେଶକୁ  ଭିତ୍ତିହୀନ କହି ଫାଡି ଦେଇଥିଲେ। ସେହି ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂ କହିଥିଲେ,  ମୁଁ ଏହି ବିଷୟରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବି ଏବଂ ଏହା ଜାଣିବାକୁ ଚେଷ୍ଟା କରିବି ଯେ ତାଙ୍କ ଅସନ୍ତୋଷର କାରଣ କଣ ଏବଂ ସେ କେଉଁ ପରିସ୍ଥିତିରେ ଏହି ବୟାନ ଦେଇଛନ୍ତି। 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.