ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ୍ ୨୦୨୫-୨୬ ଉପସ୍ଥାପିତ । ଗୃହରେ ବଜେଟକୁ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ଲାଗତାର ଅଷ୍ଟମ ଥର ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଉପସ୍ଥାପନ କରିଛନ୍ତି । ମୋଦି ୩.O ସରକାରଙ୍କ ଏହା ପୂର୍ଣ୍ଣାଙ୍ଗ ବଜେଟ୍ । ଅର୍ଥମନ୍ତ୍ରୀ କହିଛନ୍ତି, ଭାରତର ଅର୍ଥନୀତି ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି । ଗତ ୧୦ ବର୍ଷ ଧରି ବିକାଶ ଟ୍ରାକ୍ ରେକର୍ଡ ବିଶ୍ୱରେ ଦୃଷ୍ଟି ଆକର୍ଷଣ କରିଛି । ଭାରତର ଅର୍ଥନୀତିରେ ସମୃଦ୍ଧି ସାରା ବିଶ୍ବକୁ ବିଚଳିତ କରୁଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଆୟକର ଆଶ୍ବସ୍ତି:-
ବଜେଟରେ ମଧ୍ୟବିତ୍ତଙ୍କୁ ବଡ଼ ଆଶ୍ବସ୍ତି । ବଡ଼ ଘୋଷଣା କଲେ କେନ୍ଦ୍ର ସରକାର । ଆୟକର ସ୍ଲାବ୍ ପରିବର୍ତ୍ତନ ହୋଇଛି । ୧୨ ଲକ୍ଷ ଯାଏ ଆୟକର ଛାଡ଼ କରିଛନ୍ତି ସରକାର । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟରେ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ସେହିପରି TCS ୭ ଲକ୍ଷରୁ ବଢାଯାଇ ୧୦ ଲକ୍ଷ କରାଗଲା । ୧୨ ଲକ୍ଷରୁ ୧୬ ଲକ୍ଷ ପର୍ଯ୍ୟନ୍ତ ଆୟରେ ୧୫ ପ୍ରତିଶତ କର ଦେବାକୁ ପଡିବ । ୧୬ ଲକ୍ଷରୁ ୨୦ ଲକ୍ଷ ପର୍ଯ୍ୟନ୍ତ ୨୦ ପ୍ରତିଶତ ଆୟକର ଦେବାକୁ ପଡିବ । ସେହିପରି ୨୦ ଲକ୍ଷରୁ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାରରେ ୨୫ ପ୍ରତିଶତ ଟିକସ ଦେବାକୁ ପଡିବ ।
ଅନ୍ନଦାତାଙ୍କୁ ଗୁରୁତ୍ବ:-
୨୦୨୫-୨୬ ଆର୍ଥିକ୍ ବର୍ଷ ବଜେଟରେ ୧୦ ବିଷୟ ଉପରେ ଗୁରୁତ୍ବ ଦିଆଯାଇଛି । ବଜେଟରେ ଗରିବ, ଯୁବଗୋଷ୍ଠୀ, ଅନ୍ନଦାତା ଓ ମହିଳାଙ୍କୁ ବିଶେଷ ପ୍ରଧାନ୍ୟ ଦିଆଯାଇଛି । ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ବ । ପ୍ରଧାନମନ୍ତ୍ରୀ କୃଷି ଧନଜନ ଯୋଜନାକୁ ବଜେଟରେ ପ୍ରଥମିକତା ଦିଆଯାଇଛି । ଏହି କୃଷି ଧନଜନ ଯୋଜନାରେ ସାମିଲ୍ ହେବ ଶହେ ଜିଲ୍ଲା । ଏଥିରେ ୧.୭ କୋଟି କୃଷକ ଉପକୃତ ହେବେ । ଏଥିରେ ୧.୭ କୋଟି କୃଷକ ଉପକୃତ ହେବେ । ଡାଲି ଜାତୀୟ ଶସ୍ୟରେ ଆତ୍ମନିର୍ଭର ହେବ ଭାରତ । ଡାଲି ଜାତୀୟ ଶସ୍ୟ ଉତ୍ପାଦନ ପାଇଁ ୬ ବର୍ଷୀୟ ଯୋଜନା କରାଯାଇଛି । ହରଡ଼, ମସୁର ଓ ବିରି ଉତ୍ପାଦନ ଉପରେ ସ୍ବତନ୍ତ୍ର ପ୍ରାଧାନ୍ୟ ଦିଆଯାଇଛି । ମାଛ ଉତ୍ପାଦନରେ ଦ୍ବିତୀୟ ବୃହତ୍ତ ଦେଶ ପାଲଟିଛି ଭାରତ ।ସେହିପରି ପରିବା ଓ ଫଳ ଉତ୍ପାଦନ ଉପରେ ଗୁରୁତ୍ବ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
କିଷାନ କ୍ରେଡିଟ୍ କାର୍ଡରେ ଉପକୃତ ହେଉଛନ୍ତି ଚାଷୀ । ପ୍ରାୟ ୭.୭ କୋଟି ଚାଷୀ, ମତ୍ସ୍ୟଜୀବୀ ଏବଂ ଦୁଗ୍ଧ ଚାଷୀଙ୍କୁ ସ୍ୱଳ୍ପକାଳୀନ ଋଣ ପ୍ରଦାନ କରୁଛି କିଷାନ କ୍ରେଡିଟ୍ କାର୍ଡ । KCC ମାଧ୍ୟମରେ ନିଆଯାଇଥିବା ଋଣ ପାଇଁ ପରିବର୍ତ୍ତିତ ସୁଧ ସବଭେନ୍ସନ୍ ଯୋଜନାରେ ଋଣ ୩ ଲକ୍ଷ ଟଙ୍କାରୁ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
MSME ବିକାଶର ଦ୍ବିତୀୟ ଇଞ୍ଜିନ:-
ଦେଶରେ MSME ବିକାଶର ଦ୍ବିତୀୟ ଇଞ୍ଜିନ ହୋଇଛି । ୭.୫ କୋଟି MSME କର୍ମଚାରୀଙ୍କ ଉପରେ ଫୋକସ୍ ଦିଆଯାଇଛି । ବଜେଟରେ ଅଣୁ ଓ କ୍ଷୁତ୍ର ଶିଳ୍ପ କ୍ଷେତ୍ର ପାଇଁ ଅଧିକ ଋଣ ପ୍ରଦାନ କରାଯିବ ନେଇ ମଞ୍ଜୁରୀ ମିଳିବ । ଯୁବଗୋଷ୍ଠୀଙ୍କୁ MSME ଦ୍ବରା ଅଧିକ ନିଯୁକ୍ତି ମିଳିବ । ସେହିପରି ଅଣଚମଡ଼ା ଶିଳ୍ପ ଉପରେ ଏଥର ଫୋକସ୍ ଦେଇଛନ୍ତି ସରକାର । ଏଥିରେ ୨୨ ଲକ୍ଷ ଲୋକ ଉପକୃତ ହେବେ ।
ଶିକ୍ଷା ଓ ସ୍ବାସ୍ଥ୍ୟ:-
ଦେଶରେ ପ୍ରାଥମିକ ସ୍ତରରୁ ସ୍ବାସ୍ଥ୍ୟ ଓ ଶିକ୍ଷଣ ଉପରେ ଗୁରୁତ୍ବ ଦେଉଛନ୍ତି ମୋଦି ସରକାର । ସକ୍ଷମ ଅଙ୍ଗନବାଡି ଯୋଜନା ଦ୍ବାରା ୮ କୋଟି ପିଲା ଉପକୃତ ହେବେ । ଏହାସହ ୧ କୋଟି ଗର୍ଭବତୀ ଏବଂ ୨୦ ଲକ୍ଷ ଅପପୁଷ୍ଟି ପିଲା ଉପକୃତ ହେବେ । ଏହାଛଡ଼ା ଶିକ୍ଷା ବ୍ୟବସ୍ଥାରେ ବିପ୍ଳବ ଆଣିବା ପାଇଁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ପ୍ରତି ହାଇସ୍କୁଲରେ ଡିଜିଟାଲ୍ ବ୍ୟବସ୍ଥା କରାଯିବ। ସବୁ ସ୍କୁଲକୁ ବ୍ରଡବ୍ୟାଣ୍ଡ୍ ସୁବିଧା ଯୋଗାଇ ଦିଆଯିବ । ଆଞ୍ଚଳିକ ଭାଷାରେ ପୁସ୍ତକ ପ୍ରକାଶନ କରାଯିବ । ୨ ବର୍ଷ ମଧ୍ୟରେ ୫୦ ହଜାର ଅଟଳ ଟିଙ୍କରିଂ ଲ୍ୟାବ୍ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି । ଏଆଇ ଶିକ୍ଷାକୁ ପ୍ରୋତ୍ସାହନ ପାଇଁ ବଜେଟରେ ୫ଶହ କୋଟିର ସ୍ବତନ୍ତ୍ର ବ୍ୟୟବରାଦ କରାଯାଇଛି । ପାଞ୍ଚ ଆଇଆଇଟି ପାଇଁ ସ୍ବତନ୍ତ୍ର ଅର୍ଥିକ ଅନୁଦାନ ବ୍ୟବସ୍ଥା କରାଯାଇଛି।
ସେହିପରି ଦେଶରେ ସ୍ବାସ୍ଥ୍ୟସେବାର ଅଗ୍ରଗତି ନିମନ୍ତେ ପାଇଁ ୧୦ ବର୍ଷରେ ମେଡିକାଲ ସିଟ୍ ୧.୧ ଲକ୍ଷ ବୃଦ୍ଧି କରାଯିବ। ସବୁ ଜିଲ୍ଲାରେ କ୍ୟାନ୍ସର ହସ୍ପିଟାଲ୍ ପ୍ରତିଷ୍ଠା ହେବ । ସମସ୍ତ ମେଡିକାଲରେ ଆବଶ୍ୟକ ଡାକ୍ତର ରହିବେ । ଆସନ୍ତା ୩ ବର୍ଷ ଭିତରେ ଏହି ଲକ୍ଷ୍ୟ ପୂରଣ କରାଯିବ। ୨୦୨୫-୨୬ରେ ୨୦୦ଟି ଡେ କେୟାର କ୍ୟାନ୍ସର କେନ୍ଦ୍ର ଖୋଲାଯିବ । ସେହିପରି ମେଡିକାଲ ପର୍ଯ୍ୟଟନ ପାଇଁ ବିଶେଷ ଯୋଜନା କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।
ଉଡ଼ାଣ ଯୋଜନା ସଂପ୍ରସାରଣ:-
୨୦୨୫-୨୬ ଆର୍ଥିକ ବର୍ଷ ବଜେଟରେ ଉଡ଼ାଣ ଯୋଜନାକୁ ସଂପ୍ରସାରଣ କରାଯାଇଛି । ପ୍ରାୟ ୧୨୦ଟି ନୂଆ ସହରକୁ ଉଡାନ ଯୋଜନାରେ ସଂଯୋଗ କରାଯିବ । ବିହାରରେ ଗ୍ରୀନଫିଲ୍ଡ ବିମାନବନ୍ଦର ସ୍ଥାପନ କରାଯିବ । PM ଗତି ଶକ୍ତି ଯୋଜନାକୁ ସଂପ୍ରସାରଣ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ ବେଳେ ଘୋଷଣା କରିଛନ୍ତି ।
ସଶକ୍ତ ହେବେ ମହିଳା:-
ବଜେଟରେ ମହିଳାଙ୍କୁ ବିଶେଷ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ପାଞ୍ଚ ଲକ୍ଷ ମହିଳା, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କୁ ନୂଆ ଯୋଜନାରେ ସଶକ୍ତ କରାଯିବ । ରୋଜଗାର ପାଇଁ ସେମାନଙ୍କୁ ଆସନ୍ତା ୫ ବର୍ଷ ମଧ୍ୟରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଟର୍ମ ଲୋନ୍ ଦେବାକୁ ବ୍ୟବସ୍ଥା କରିଛନ୍ତି କେନ୍ଦ୍ର ସରକାର ।
ନ୍ୟୁକ୍ଲିୟର ଶକ୍ତି:-
ସାଧାରଣ ବଜେଟରେ ନ୍ୟୁକ୍ଲିୟର ଶକ୍ତି ଗୁରୁତ୍ବ ଦିଆଯାଇଛି । ଭାରତ ହେବ ଆଣବିକ ଶକ୍ତି ହବ୍ । ଦେଶ ନ୍ୟୁକ୍ଲିୟର ଏନର୍ଜି ମିଶନ ପ୍ରତିଷ୍ଠା କରାଯିବ ।ଏନେଇ ୨୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । କ୍ଷୁଦ୍ର ମଡ୍ୟୁଲାର ରିଆକ୍ଟର ପ୍ରତିଷ୍ଠା କରି ୨୦୪୭ ସୁଦ୍ଧା ୧୦୦ GW ପରମାଣୁ ଶକ୍ତି ବିକଶିତ କରାଯିବ । ଏଥିପାଇଁ ପରମାଣୁ ଶକ୍ତି ଆଇନରେ ସଂଶୋଧନ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।