ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଉର୍ଦ୍ଧ୍ୱମୁଖୀ ଧାରା ଜାରି ରହିଛି । ଲଗାତାର ୫ ଦିନରେ ଭାରତୀୟ ବଜାରରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ବ୍ୟାଙ୍କିଂ ସେୟାରରେ ବୃଦ୍ଧି ଓ ଭାରତ-ଆମେରିକା ମଧ୍ୟରେ ଟ୍ରେଡ୍ ଡିଲ୍ ଆଶା ଯୋଗୁଁ ନିବେଶଙ୍କ ମଧ୍ୟରେ ଅଧିକ ଯୋଶ ଦେଖିବାକୁ ମିଳିଛି । ସେନ୍ସେକ୍ସ ୮୫୫ ଅଙ୍କ ଉପରକୁ ଉଠି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୪,୧୦୦ ସ୍ତର ଉପରେ ବନ୍ଦ ହୋଇଛି । ଗତ ଚାର ମାସରେ ଏହା ଦୁଇ ପ୍ରମୁଖ ସୂଚକାଙ୍କ ସର୍ବୋଚ୍ଚ ସ୍ତର । ସେୟାର ବଜାରରେ ଆଜିର ଏହି ବୃଦ୍ଧି ଯୋଗୁଁ ନିବେଶକଙ୍କୁ ପ୍ରାୟ ୬ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍ଇ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ଇଣ୍ଡେକ୍ସ ମଧ୍ୟରେ ୨ ପ୍ରତିଶତ ବଢି ବନ୍ଦ ହୋଇଛି । ବିଶେଷଜ୍ଞଙ୍କ ମତରେ ଆଇସିଆଇସିଆଇ ବ୍ୟାଙ୍କ, ଏଚ୍ଡିଏଫ୍ସି ବ୍ୟାଙ୍କ୍ ଓ ୟସ୍ ବ୍ୟାଙ୍କର ମଜଭୁତ ତ୍ରୈମାସିକ ପରିଣାମ ଯୋଗୁଁ ବ୍ୟାଙ୍କିଂ ସେୟାରରେ ରାଲି ଦେଖିବାକୁ ମିଳିଛି ।
କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୮୫୫.୩୦ ଅଙ୍କ ବା ୧.୦୯ ପ୍ରତିଶତ ବୃଦ୍ଧି ପାଇ ୭୯,୪୦୮.୫୦ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ସୂଚକାଙ୍କ ନିଫ୍ଟି ୨୭୩.୯୦ ଅଙ୍କ ବା ୧.୧୫ ପ୍ରତିଶତ ବଢି ୨୪,୧୨୫.୫୫ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି ବଢି ୪୨୫.୮୩ ଲକ୍ଷ କୋଟି ଟଙ୍କା ହୋଇଛି । ପୂର୍ବ କାରବାର ଦିନ ଅର୍ଥାତ୍ ଏପ୍ରିଲ୍ ୧୭ରେ ୪୧୯.୬୦ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିର ମାର୍କେଟ୍ କ୍ୟାପ୍ ଆଜି ପ୍ରାୟ ୬.୨୩ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କୁ ଆଜି ପ୍ରାୟ ୬.୨୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି । ବିଏସ୍ଇ ସେନ୍ସେକ୍ସର ୩୦ ମଧ୍ୟରୁ ୨୩ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଟେକ୍ ମହିନ୍ଦ୍ରର ସେୟାରରେ ସବୁଠୁ ଅଧିକ ୪.୯୧ ପ୍ରତିଶତ ବୃଦ୍ଧି ଘଟିଛି । ଆଦାନୀ ପୋର୍ଟ୍ସ ସେୟାରରେ ଆଜି ୧.୩୨ ପ୍ରତିଶତ ହ୍ରାସ ପାଇ ବନ୍ଦ ହୋଇଛି ।