ମଣିପୁର ଭାଇରାଲ ଭିଡିଓ ମାମଲା; ତଦନ୍ତ କରିବ ସିବିଆଇ, ଭିଡିଓ ରେକର୍ଡ ହୋଇଥିବା ମୋବାଇଲ ଜବତ

Published By : Prameya-News7 Bureau | July 27, 2023 IST

ନୂଆଦିଲ୍ଲୀ, ୨୭/୦୭: ମଣିପୁରରେ ଦୁଇ ଆଦିବାସୀ ମହିଳାଙ୍କୁ ନିର୍ବସ୍ତ୍ର ଚଲାଇବା ମାମଲାର ତଦନ୍ତ କରିବ ସିବିଆଇ। କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର ଏନେଇ ସୂଚନା ଦେଇଛି। ହିଂସାଗ୍ରସ୍ତ ମଣିପୁରରେ ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବାର ଭିଡିଓ ସାମ୍ନାକୁ ଆସିବା ପରେ ପୂରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଥିଲା। ବିରୋଧୀ ଦଳ ସତ୍ତାରେ ଥିବା ବିଜେପିକୁ ଘେରିଥିଲେ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଭାଇରାଲ ଭିଡିଓ ପ୍ରସଙ୍ଗରେ ଶୁଣାଣି କରିବାକୁ ମଧ୍ୟ ଅନୁରୋଧ କରିବେ। ଏହା ବ୍ୟତୀତ ଯେଉଁ ମୋବାଇଲ ଫୋନ୍‌ରୁ ଭାଇରାଲ୍‌ ଭିଡିଓ ସୁଟ୍‌ ହୋଇଥିଲା, ତାହା ମଧ୍ୟ ଜବତ ହୋଇଛି ଏବଂ ଭିଡିଓ କରିଥିବା ବ୍ୟକ୍ତିକୁ ମଧ୍ୟ ଗିରଫ କରଯାଇଛି। ଭିଡିଓ ରେକର୍ଡ ହୋଇଥିବା ମୋବାଇଲ ମଧ୍ୟ ଜବତ ହୋଇଛି। ଯେଉଁଥିରେ ଅଧିକ ତଥ୍ୟ ମିଳିପାରିବ।

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ଦେଖା ନାହିଁ; ମଣିପୁର ହିଂସା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବେ ବିରୋଧି ମେଣ୍ଟ ଇଣ୍ଡିଆର ପ୍ରତିନିଧି ଦଳ

ସୂଚନାଥାଉକି ମଣିପୁରେ ଦୁଇ ମହିଳାଙ୍କୁ ନିର୍ବସ୍ତ୍ର କରି ବୁଲାଇବା ଘଟଣା ଜୁଲାଇ ୧୯ରେ ସାମ୍ନାକୁ ଆସିଥିଳଶ। ଯାହାପରେ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। ଉତ୍ତେଜିତ ଜନତା ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରିଥିଲେ। ସୁପ୍ରିମକୋର୍ଟ ବିଚାରପତି ମଧ୍ୟ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ଏବଂ ଘଟଣାରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସହ ଅବଗତ କରାଇବାକୁ କହିଥିଲେ।

ତେବେ ବର୍ତ୍ତମାନ କୁକୀ ଏବଂ ମୈତେଇ ସମୁଦାୟ ସହ ଅନେକ ରାଉଣ୍ଡ୍‌ ଆଲୋଚନା ହୋଇଛି। ରାଜ୍ୟରେ ହିଂସା ରୋକିବା ଏବଂ ଶାନ୍ତି ବ୍ୟବସ୍ଥା ବଜାୟ ରଖିବା ପାଇଁ ସେନା ଏବଂ ସିଆରପିଏଫର ୩୫ ହଜାର ଜବାନ ନିୟୋଜିତ କରାଯାଇଛି। ଏହାସହ ସୁରକ୍ଷାକର୍ମୀ ମୈତେଇ ବହୁଳ ଘାଟି ଅଞ୍ଚଳର ଏବଂ କୁକୀ ବହୁଳ ପାହାଡ଼ି ଅଞ୍ଚଳରେ ଏକ ବଫର ଜୋନ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଆହୁରି ପଢ଼ନ୍ତୁ:ସଂସଦରେ ଥମୁନି ମଣିପୁର ଝଡ଼; କେନ୍ଦ୍ର ସରକାରଙ୍କ ବିରୋଧରେ କଂଗ୍ରେସର ଅନାସ୍ଥା ପ୍ରସ୍ତାବ

ମଣିପୁରରେ ଅନୁସୂଚିତ ଜନଜାତି ମାନ୍ୟତା ଦେବାକୁ ମୈତେଇ ସମୁଦାୟର ଦାବି ବିରୋଧରେ ମେ ୩ରେ ଆୟୋଜିତ ହୋଇଥିଲା ‘ଆଦିବାସୀ ଏକଜୁଟ ରାଲି’। ହେଲେ ରାଲି ସମୟରେ ହିଂସା ସୃଷ୍ଟି ହୋଇଥିଲା। ଯାହା ପୂରା ମଣିପୁରକୁ ଗ୍ରସିତ କରିଛି। ରାଜ୍ୟରେ ଏପର୍ଯ୍ୟନ୍ତ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ତଥା ଅନେକ ଆହତ ହୋଇଛି। ରାଜ୍ୟରେ ମୈତେଇ ସମୁଦାୟ ସଂଖ୍ୟା ପ୍ରାୟ ୫୩ ପ୍ରତିଶତ ରହିଛି । ସେହିଭଳି ନାଗା ଏବଂ କୁକୀ ଭଳି ଆଦିବାସୀ ସମୁଦାୟଙ୍କ ସଂଖ୍ୟା ୪୦ ପ୍ରତିଶତ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.