ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବେ ପ୍ରଧାନମନ୍ତ୍ରୀ, ଜନତା ମଇଦାନରେ ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

Published By : Prameya-News7 Bureau | June 19, 2025 IST

ଭୁବନେଶ୍ବର ୧୯।୬: ଶୁକ୍ରବାର ଓଡ଼ିଶା ଗସ୍ତରେ ଆସି ୧୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏ ନେଇ ଗୁରୁବାର ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସରକାରୀ ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ସଭାସ୍ଥଳ ବୁଲି ଦେଖିବା ସହ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯେପରି କୌଣସି ତ୍ରୁଟି ନରହିବ ସେଥିପ୍ରତି ସଜାଗ ରହିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୁରୁବାର ବିଳମ୍ୱିତ ସନ୍ଧ୍ୟା ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜ୍ୟ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରସ୍ତୁତି କାର୍ଯ୍ୟ ବୁଲି ଦେଖିଥିଲେ । ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶିଳ୍ପ ବିଭାଗ ହେମନ୍ତ ଶର୍ମା ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତୁତି କାର୍ଯ୍ୟର ସବିଶେଷ ସୂଚନା ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ପ୍ରକାଶ ମିଶ୍ର, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହା ନିର୍ଦ୍ଦେଶକ ୱାଇ ବି ଖୁରାନିଆ, ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ଏୟାରପୋର୍ଟରୁ ତ୍ରିରଙ୍ଗା ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । କଳିଙ୍ଗ ଷ୍ଟାଡିୟମ୍ ଠାରୁ ବିଶାଳ ରୋଡ଼ ଶୋ’ରେ ଆସିବେ ପ୍ରଧାନମନ୍ତ୍ରୀ । ପାଖାପାଖି ୨ ଲକ୍ଷ କାର୍ଯ୍ୟକର୍ତ୍ତା ପ୍ରଧାନମନ୍ତ୍ରୀଙ୍କୁ ସ୍ଵାଗତ କରିବେ । ଏୟାରପୋର୍ଟରୁ ଜନତା ମଇଦାନ ଭିତରେ ୨୮ଟି ସ୍ଥାନରେ ସ୍ବାଗତ ପାଇଁ ସ୍ଵତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜନତା ମଇଦାନରେ ପହଞ୍ଚିବା ପରେ ୧୯ ହାଜର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଏହାସହ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ କାର୍ଡ ବାଣ୍ଟିବେ, ଲକ୍ଷପତି ଦିଦିଙ୍କୁ ଭେଟିବେ, ମୁଖ୍ୟମନ୍ତ୍ରୀ ଅନ୍ତୋଦୟ ଯୋଜନାରେ ଘର ବାଣ୍ଟିବେ ପ୍ରଧାନମନ୍ତ୍ରୀ । ସେହିପରି ପାଖାପାଖି ଦେଢ଼ ଲକ୍ଷ ଲୋକଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସେପେଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ୧୩୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ୫୦୦ରୁ ଅଧିକ ଅଫିସର ମୁତୟନ ଅଛନ୍ତି । ପାଖାପାଖି ୨୦ ଆଡିସନାଲ ଡିସିପି ଏବଂ ଡିସିପି, ଆଇଜି ଓ ଆଡିସନାଲ ଡିଜି ରାଙ୍କ ଅଫିସର ମଧ୍ୟ ଦାୟିତ୍ୱରେ ଅଛନ୍ତି । ଏହାସହ ସେଣ୍ଟ୍ରାଲ ଆର୍ମଡ୍ ପୋଲିସ ଫୋର୍ସ ଏବଂ ସ୍ଵତନ୍ତ୍ର ଏଜେନ୍ସୀ ମାନେ ସୁରକ୍ଷା ଦାୟିତ୍ୱରେ ଅଛନ୍ତି । ଏୟାର ପୋର୍ଟରୁ ଜନତା ମଇଦାନ ପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥା, ଆଣ୍ଟି ସେଭୋଟାଜ, କ୍ରାଉଡ କଣ୍ଟ୍ରୋଲ ଏବଂ ମ୍ୟାନେମେଣ୍ଟ, ଆତଙ୍କବାଦ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଅଗ୍ନିଶମ ଏବଂ ଓଡ୍ରାଫ୍ ଟିମ୍ ମଧ୍ୟ ମୁତୟନ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ରୋଡ୍ ଶୋ' ପାଇଁ ଟ୍ରାଫିକ୍ ଆଡଭାଇଜରୀ ମଧ୍ୟ ଜାରି କରାଯାଇଛି । ଡ୍ରୋନ୍ ଉଡ଼ାଇବା ଉପରେ ରୋକ୍ ଲଗାଯାଇଛି ବୋଲି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ କହିଛନ୍ତି ।

You Can Read:

ଭଦ୍ରକରେ ଉଭୟ କେନ୍ଦ୍ର ଓ ରାଜ୍ୟର ସ୍ବାସ୍ଥ୍ୟ ଟିମ୍, ଝାଡାବାନ୍ତି ସ୍ଥିତି ପରଖିଲେ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.