ଜଷ୍ଟିସ୍ ୟଶୱନ୍ତ ବର୍ମାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ପାଇଁ କମିଟି ଗଠନ କଲେ CJI, କାମ କରିବା ଉପରେ ବି ରୋକ୍

Published By : Prameya-News7 Bureau | March 22, 2025 IST

ନୂଆଦିଲ୍ଲୀ: ଜଷ୍ଟିସ୍ ୟଶୱନ୍ତ ବର୍ମାଙ୍କ ଘରୁ ନଗଦ ରାଶି ମିଳିବା ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ସ୍ପେଶାଲ ପ୍ୟାନେଲ୍ ଗଠନ କରିଛନ୍ତି । ଦିଲ୍ଲୀ ହାଇକୋର୍ଟର ଜଜ୍ ୟଶୱନ୍ତ ବର୍ମାଙ୍କ ବିରୋଧରେ ଅଭିଯୋଗ ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି । ଏହାସହ ଜଷ୍ଟିସ୍ ବର୍ମାଙ୍କୁ କୌଣସି ନ୍ୟାୟିକ କାର୍ଯ୍ୟ ନଦେବା ପାଇଁ ସିଜେଆଇ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ତଦନ୍ତ ପାଇଁ ଗଠିତ କମିଟିରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଶୀଲ ନାଗୁ, ହିମାଚଳ ପ୍ରଦେଶ ହାଇକୋର୍ଟ ମୁଖ୍ୟ ନ୍ୟାୟଧୀଶ ଜଷ୍ଟିସ୍ ଜିଏସ୍ ସନ୍ଧାବାଲିୟା ଓ କର୍ଣ୍ଣାଟକ ହାଇକୋର୍ଟର ନ୍ୟାୟଧୀଶ ଜଷ୍ଟିସ୍ ଅନୁ ଶିବରାମନ ସାମିଲ ଅଛନ୍ତି । ଏହି କମିଟି ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଅସିଥିବା ଅଭିଯୋଗର ତଦନ୍ତ କରି ନିଜ ରିପୋର୍ଟ ହସ୍ତାନ୍ତର କରିବେ ।

ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ଡି.କେ ଉପାଧ୍ୟାୟ ଜଷ୍ଟିସ୍ ୟଶୱନ୍ତ ବର୍ମାଙ୍କ ସରକାରୀ ଘରୁ କଥିତ ରୂପେ ନଗଦ ରାଶି ମିଳିବା ମାମଲାରେ ସିଜେଆଇ ସଞ୍ଜୀବ ଖନ୍ନାଙ୍କୁ ସମ୍ଭବତଃ ଏକ ରିପୋର୍ଟ ଦେଇଥିଲେ । ଜଷ୍ଟିସ୍ ଉପାଧ୍ୟାୟ ଘଟଣା ଉପରେ ସାକ୍ଷୀ ଓ ସୂଚନା ଏକାଠି କରିବା ପାଇଁ ଅଭ୍ୟନ୍ତରୀଣ ପ୍ରକ୍ରିୟା ଆରମ୍ଭ କରିଥିଲେ ଓ ଶୁକ୍ରବାର ନିଜ ରିପୋର୍ଟ ପ୍ରସ୍ତୁତ କରିଥିଲେ ।

ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୪ରେ ରାତି ପ୍ରାୟ ୧୧.୩୫ ମିନିଟରେ ଜଷ୍ଟିସ୍ ବର୍ମାଙ୍କ ଲୁଟିୟନ୍ସ ଦିଲ୍ଲୀ ସ୍ଥିତ ଘରେ ନିଆଁ ଲାଗିବା ପରେ ଫାୟାର ବ୍ରିଗେଡ୍ ନିଆଁକୁ ଆୟତ୍ତ କରିଥିଲେ । ଏହି ସମୟରେ କଥିତ ରୂପେ ଘରୁ ବିପୁଳ ମାତ୍ରାରେ ନଗଦ ରାଶି ମିଳିଥିଲା । ଶୀର୍ଷ ଅଦାଲତ ଶୁକ୍ରବାର ଏକ ବୟାନରେ କହିଥିଲେ ଯେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଆଭ୍ୟନ୍ତରୀଣ ତଦନ୍ତ ଆରମ୍ଭ କରାଯାଇଛି ଓ ତାଙ୍କୁ ଆହ୍ଲାବାଦ ହାଇକୋର୍ଟ ବଦଳି ପାଇଁ ପ୍ରସ୍ତାବ ବି ରହିଛି ।

Also Read: ଜଷ୍ଟିସ୍ ଯଶଓ୍ୱନ୍ତ ବର୍ମାଙ୍କ ଘରୁ ମିଳିଥିଲା ୧୫ କୋଟି କ୍ୟାସ୍! ରିପୋର୍ଟ ଦାଖଲ କଲା ଦିଲ୍ଲୀ HC

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.