ବିପର୍ଯ୍ୟୟ ବେଳେ ଅସହାୟଙ୍କ ସାଥୀ ସାଜିଲେ ଆଶା ଦିଦି, ସୋସିଆଲ ମିଡିଆରେ ଛୁଟିଲା ଶୁଭେଚ୍ଛା

Published By : Prameya-News7 Bureau | October 25, 2024 IST

ଭୁବନେଶ୍ୱର ୨୫/୧୦: ଆଶା ଦିଦି ଶିବାନୀଙ୍କ ପାଇଁ ଛୁଟୁଛି ଶୁଭେଚ୍ଛାର ଶୁଅ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜଣାଇଛନ୍ତି ଶୁଭେଚ୍ଛା । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ତାଳଚୁଆ ସବସେଣ୍ଟର ଅନ୍ତର୍ଗତ ଖାସମୁଣ୍ଡା ଗ୍ରାମର ଆଶା ଦିଦି ଶିବାନୀ ମଣ୍ଡଳ ଜଣେ ବୃଦ୍ଧାଙ୍କୁ ନିଜ ପିଠିରେ ନାଉ କରି ବାତ୍ୟା ଆଶ୍ରୟସ୍ଥଳୀକୁ ନେଇଯାଉଥିବାର ଦୃଶ୍ୟ ଭାଇରାଲ ହୋଇଛି । ଯାହାକି ଅତ୍ୟନ୍ତ ପ୍ରେରଣାଦାୟୀ ବୋଲି ସମସ୍ତେ କହିଛନ୍ତି । 

ସୂଚନା ଥାଉକି, ଗୁରୁବାର ରାତିରେ ବାତ୍ୟା ‘ଦାନା’ ତାହାର କରାଳ ରୂପ ଦେଖାଇଥିଲା । ଏହି ସମୟରେ ଲୋକେ ସୁରକ୍ଷିତ ସ୍ଥାନରେ ନିଜ ପରିବାର ଲୋକଙ୍କ ସହ ରହିବାକୁ ଉଚିତ ମଣିଥିଲେ । ମାତ୍ର ଏହି ‘ବାତ୍ୟା’ ସମୟରେ ଘରୁ ଗୋଡ଼ କାଢ଼ିଥିଲେ ଜଣେ ଆଶାକର୍ମୀ । ଆଉ ସାଜିଥିଲେ ଦେବଦୂତ୍ତ, ପାଲଟି ଯାଇଥିଲେ ବିପଦ ବେଳର ବନ୍ଧୁ । 


ପବନ, ବର୍ଷା ମାଡ଼କୁ ଖାତିର ନ କରି ସେ ବିପଦରେ ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ନିଜ କାନ୍ଧରେ ବୋହି ସୁରକ୍ଷିତ ସ୍ଥାନରେ ପହଞ୍ଚାଇବାକୁ ପଛାଇ ନାହାନ୍ତି।ଏହି ଆଶା କର୍ମୀଜଣକ ହେଲେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖାସମୁଣ୍ଡା ଗାଁର ଆଶାକର୍ମୀ ଶିବାନୀ ମଣ୍ଡଳ । ଏହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶିବାନୀଙ୍କୁ ସାବାସୀ ଜଣାଇ ପ୍ରଶଂସାରେ ପୋତି ପକାଇଛନ୍ତି। 

ଏହାପରେ ତାଙ୍କ ନିକଟକୁ ଛୁଟିଛି ଶୁଭେଚ୍ଛାର ସୁଅ। ଶିବାନୀ ଦେବଦୁତ ସାଜି ଏହି ମହତ କାର୍ଯ୍ୟ କରିଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ପ୍ରଶଂସାର ସୁଅ ଛୁଟିଛି। ସେ କେବଳ ଜଣେ ବୃଦ୍ଧାଙ୍କୁ ନୁହନ୍ତି, ୭ ବୃଦ୍ଧବୃଦ୍ଧାଙ୍କୁ ବାତ୍ୟା ଆଶ୍ରୟସ୍ଥଳୀରେ ପହଞ୍ଚାଇଥିବା ବେଳେ କିଛି ଗର୍ଭବତୀ ମହିଳାଙ୍କୁ ମଧ୍ୟ ହସ୍ପିଟାଲରେ ପହଞ୍ଚାଇ ପାରିଥିବା ଜଣାଯାଇଛି। 




  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.