ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ୧୫୪୨ଟି ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ କରିଛନ୍ତି । ଲୋକ ସେବା ଭବନର କନଭେନସନ ସେଣ୍ଟରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ସମବାୟ ସମିତି ଗୁଡ଼ିକର ଶୁଭାରମ୍ଭ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ସମୁଦାୟ ୨୭୧୧ଟି ପ୍ୟାକ୍ସ ଥିବାବେଳେ, ରାଜ୍ୟ ସରକାର ଆଉ ୧୫୪୨ଟି ନୂଆ ବହୁମୁଖୀ ପ୍ୟାକ୍ସ (MPACS) ଗଠନ କରିଛନ୍ତି । ଏହା ଦ୍ୱାରା ରାଜ୍ୟର ସମୁଦାୟ ପ୍ୟାକ୍ସ ସଂଖ୍ୟା ୪୨୫୩ରେ ପହଞ୍ଚିଲା ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ଆନ୍ଦୋଳନକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ଆନୁକୂଲ୍ୟରେ ବିଭିନ୍ନ ନୂତନ କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ ଆମ ସରକାର ପ୍ରାଧାନ୍ୟ ଦେଉଛନ୍ତି । ଏଥିରେ ସମୁଦାୟ ୫୪ଟି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ପ୍ରଥମ ପର୍ଯ୍ୟାୟରେ ୭୭ଟି ପ୍ୟାକ୍ସକୁ ମଡେଲ୍ ପ୍ୟାକ୍ସ ଭାବରେ ବିକଶିତ କରିବା ପାଇଁ ନିଷ୍ପତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ମଡେଲ ପ୍ୟାକ୍ସ ଗୁଡିକ ଗୋଟିଏ ଗୋଟିଏ ଓ୍ବାନ ଷ୍ଟପ ସପ୍ ଭଳି କାର୍ଯ୍ୟ କରିବ, ଅର୍ଥାତ ଗୋଟିଏ ଛାତ ତଳେ କୃଷି ସମ୍ବନ୍ଧୀୟ ସବୁ ପ୍ରକାର ସୁବିଧା ମିଳିବ ବୋଲି ସେ କହିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଯେ, ୨୦୧୫ ମସିହାରୁ ବନ୍ଦ ହୋଇ ପଡିଥିବା ଭୁବନେଶ୍ୱର ସହରାଞ୍ଚଳ ସମବାୟ ବ୍ୟାଙ୍କର ସମସ୍ତ ଜମାକାରୀମାନଙ୍କୁ ଜମାରାଶି ଫେରସ୍ତ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ସମବାୟ ବ୍ୟାଙ୍କ ଉପରେ ଲୋକମାନଙ୍କ ଆସ୍ଥା ପୁନଃ ପ୍ରତିଷ୍ଠାରେ ସହାୟକ ହେବ ବୋଲି ସେ କହିଥିଲେ ।
ନୂଆ ସରକାର ସମବାୟ କ୍ଷେତ୍ରକୁ କ୍ରିୟାଶୀଳ ଓ ଚଳଚଞ୍ଚଳ କରିବା ପାଇଁ ପ୍ରତିଶୃତିବଦ୍ଧ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମବାୟ ସଂସ୍ଥା ଉପରେ ଲୋକଙ୍କ ଆସ୍ଥା ଫେରାଇ ଆଣିବା ସହିତ ଏହାକୁ ଗ୍ରାମ୍ୟ ଅର୍ଥନୀତି ବିକାଶର ଏକ ପ୍ରମୁଖ ଇଞ୍ଜିନ ଭାବରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମ ରାଜ୍ୟର ଶତକଡ଼ା ୯୦ ଭାଗରୁ ଅଧିକ କୃଷି ପରିବାରର ସଭ୍ୟମାନଙ୍କୁ ପ୍ରାଥମିକ କୃଷି ଋଣ ସମବାୟ ସମିତି ଗୁଡ଼ିକ ମାଧ୍ୟମରେ କୃଷି କାର୍ଯ୍ୟ ନିମନ୍ତେ ବିଭିନ୍ନ ପ୍ରକାର ସେବା ଯୋଗାଇ ଦିଆଯାଉଛି । ଓଡିଶାର ଚାଷୀମାନେ ଏକ ଲକ୍ଷ ଟଙ୍କା ବିନା ସୁଧରେ ଫସଲ ଋଣ ପାଉଛନ୍ତି ।
ରାଜ୍ୟରେ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ଓମଫେଡ୍ ଏକ ମେରୁଦଣ୍ଡ ସଦୃଶ ହୋଇଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦୁଗ୍ଧ ଚାଷୀ ମାନଙ୍କୁ ସଶକ୍ତ କରିବା ପାଇଁ ରାଜ୍ୟ କ୍ୟାବିନେଟରେ କାମଧେନୁ ସହିତ ଗୋ-ମାତା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଗୁଜରାଟ ପରି ମୋଦୀଜୀଙ୍କ ମାର୍ଗ ଦର୍ଶନରେ ଓଡ଼ିଶାରେ ସମବାୟ ଆନ୍ଦୋଳନକୁ ଏକ ଗଣ ଆନ୍ଦୋଳନରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ରାଜେଶ ପ୍ରଭାକର ପାଟିଲ ସ୍ବାଗତ ଭାଷଣ ଦେଇଥିଲେ। ସମବାୟ ନିବନ୍ଧକ ସନ୍ତୋଷ କୁମାର ଦାଶ ଧନ୍ୟବାଦ୍ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢୀ, ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।