ଭୁବନେଶ୍ବର ୨୦/୩: ବିପଦରେ ହୀରାକୁଦ ବନ୍ଧ । ଜଳ ଭଣ୍ଡାରରେ ଜମିଲାଣି ପଟୁ ମାଟି । ହ୍ରାସ ପାଉଛି ହୀରାକୁଦର ଜଳ ସଂରକ୍ଷଣ କ୍ଷମତା । ବର୍ଷା ଜଳରେ ନଦୀ ଅବବାହିକା ରୁ ପଟୁ ମାଟି ଧୋଇ ହୋଇ ବନ୍ୟା ଜଳ ସହ ହୀରାକୁଦ ଜଳ ଭଣ୍ଡାରକୁ ପଶୁଛି । ବିଧାନସଭାରୁ ଆସିଛି ଏପରି ସାଂଘାତିତ ତଥ୍ୟ । ଯାହାର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
ବିଜେଡି ବିଧାୟକ ପସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ ମୁଖ୍ୟମନ୍ତ୍ରୀ ଅନୁଗ୍ରହ କରି କହିବେ କି ହୀରାକୁଦ ବନ୍ଧ ନିର୍ମାଣ ହେବା ସମୟରେ ମୂଳ ଯୋଜନା ଅନୁଯାୟୀ ଏହାର ସର୍ବୋଚ୍ଚ ଜଳଧାରଣା କ୍ଷମତା କେତେ ଥିଲା ଓ ବର୍ତ୍ତମାନ ଏହା କମି କମି ଯାଉଥିବା ସତ କି ଯଦି ହଁ ଏହାର କାରଣ କଣ ଏବଂ ପ୍ରତିକାର ପାଇଁ କଣ କଣ ପଦକ୍ଷେପ ଗ୍ରହଣ କରାଯାଉଛି ।
ଏହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଥିଲେ ହୀରାକୁଦ ବନ୍ଧ ନିର୍ମାଣ ହେବା ସମୟରେ ମୂଳ ଯୋଜନା ଅନୁଯାୟୀ ଏହାର ସର୍ବୋଚ୍ଚ ଜଳଧାରଣା କ୍ଷମତା ୬.୬୦ ମିଲିୟନ ଏକର ଫୁଟ ଥିଲା । ବର୍ଷା ଜଳରେ ନଦୀର ଅବବାହିକାରୁ ପଟୁ ମାଟି ଧୋଇ ହୋଇ ବନ୍ୟା ଜଳ ସହ ଜଳଭଣ୍ଡାରକୁ ଆସି ପଟୁମାଟି କମିବା ସହ ସଂରକ୍ଷଣ କ୍ଷମତା ଧିରେ ଧିରେ ହ୍ରାସ ପାଇଛି । ଏହା ଏକ ପ୍ରାକୃତିକ ପ୍ରକ୍ରିୟା । ବର୍ଷା ଋତୁରେ ସ୍ଲୁଇସ ଗେଟ ଦେଇ କିଛି ମାତ୍ରାରେ ପଟୁ ନିଷ୍କାସିତ ହୋଇଥାଏ । ମୃତ୍ତିକା କ୍ଷୟକୁ ହ୍ରାସ କରିବା ସହ ପଟୁ ମାଟି ଜମାକୁ କମ୍ କରିବା ପାଇଁ ଜଳଭଣ୍ଡାର ଚାରିପଟେ ବୃକ୍ଷରୋପଣ କରାଯାଉଛି । ଏହା ଛଡା ହୀରାକୁଦ ତଥା ଅନ୍ୟାନ୍ୟ ନଦୀବନ୍ଧ ପ୍ରକଳ୍ପ ଗୁଡିକର ଜଳଦାରଣା କ୍ଷମତା ବୃଦ୍ଧି କରିବାକୁ ଜଳସଂପଦ ବିଭାଗ ପକ୍ଷରୁ ବୈଷୟିକ କମିଟି ଗଠନ କରାଯାଇଛି ।