ଭୁବନେଶ୍ବର ୧୭।୧: ଖଣ୍ଡଗିରି ସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମରେ ବୁଲିଲା ବୁଲଡ଼ୋଜର । ଜବରଦଖଲ ଉଚ୍ଛେଦ ପୂର୍ବରୁ ଆଶ୍ରମର ଲାଇନ୍ କାଟିଥିଲା ଟାଟା ପାୱାର । ପୋଲିସ ଫୋର୍ସ ଉପସ୍ଥିତିରେ ଭୁବନେଶ୍ବର ଖଣ୍ଡଗିରିରେ ଥିବା ବୈକୁଣ୍ଠଧାମ ଆଶ୍ରମକୁ ଉଚ୍ଛେଦ କରାଯାଉଛି । ଘଟଣାସ୍ଥଳରେ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି ।
ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ ଖାଲି କରିବାକୁ ଗୁରୁବାର ମାଇକ୍ ଯୋଗେ ବିଧିବଦ୍ଧ ଭାବେ ବିଡ଼ିଏ ପକ୍ଷରୁ ଘୋଷଣା କରାଯାଇଥିଲା । ହାଇକୋର୍ଟଙ୍କ ଛାଟ ପାଇବା ପରେ ବୈକୁଣ୍ଠଧାମର ସାମଗ୍ରୀ ଖାଲି କରାଯାଇଥିବା ଦେଖିବାକୁ ମିଳିଥିଲା । ଯେଉଁ ସୌଖିନ ଟାଭେରା ଗାଡ଼ି ବାବାଙ୍କ ଯିବା ଆସିବା ପାଇଁ ବ୍ୟବହାର କରାଯାଉଥିଲା ସେ ଗାଡ଼ିରେ କିଚେନ ସାମଗ୍ରୀ, ଦାମୀ ପର୍ଫ୍ୟୁମ୍, ଆରାମଦାୟକ ଚୌକି, ଚାନ୍ଦୁଆ, ଧର୍ମୀୟ ପୁସ୍ତକ ବାବାଙ୍କ ଡାଏରୀ ଆଦି ଲଦାହୋଇ ଯାଉଥିବା ଦେଖିବାକୁ ମିଳିଥିଲା ।
ବୈକୁଣ୍ଠଧାମ ଆଶ୍ରମ ଖାଲି କରିବାକୁ BDAର ନିର୍ଦ୍ଦେଶ, ହାଇକୋର୍ଟଙ୍କୁ ମିଥ୍ୟା ରିପୋର୍ଟ ଦେଇଥିଲେ କର୍ତ୍ତୃପକ୍ଷ
ସରକାରୀ ଜମିରେ ବେନିୟମ ଭାବେ ବୈକୁଣ୍ଠଧାମ ତିଆରି ହୋଇଥିବା ବିଡ଼ିଏ ପକ୍ଷରୁ କୁହାଯାଇଥିଲା । ତୁରନ୍ତ ସେ ସ୍ଥାନ ଛାଡ଼ିଯିବାକୁ ପରାମର୍ଶ ଦିଆଯାଇଥିଲା । ନଚେତ୍ ଉଚ୍ଛେଦ ସମୟରେ କୌଣସି ଦୁର୍ଘଟଣା ଘଟିଲେ ସେଥିପାଇଁ ସରକାର ଏବଂ ବିଡ଼ିଏ ଦାୟୀ ରହିବେ ନାହିଁ ବୋଲି ଘୋଷଣା କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଗତ ନଭେମ୍ବର ୧୮ ତାରିଖରେ ସାଧାରଣ ପ୍ରଶାସନ, ବିଡିଏ ଓ ଭୁବନେଶ୍ୱର ତହସିଲର ମିଳିତ ଟିମ୍ ଶ୍ରୀ ବୈକୁଣ୍ଠଧାମ ଆଶ୍ରମରେ ୨ ଘଣ୍ଟା ଧରି ମାପଚୁପ କରିଥିଲା । ପାଖାପାଖି ୮ କୋଟି ଟଙ୍କା ମୂଲ୍ୟର ସରକାରୀ ଜମିରେ ବେଆଇନ ମଣ୍ଡପ, କୋଠା ଆଉ ରୋଷଶାଳା ନିର୍ମାଣ ହୋଇଥିବା ଦର୍ଶାଇଥିଲା । ଏ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲା । ତଥାପି ୩ ଦିନ ଧରି ଚୁପ୍ ବସିରହିଲା ବିଡିଏ ।
ସରକାରୀ ଜମିରେ ଛିଡା ହୋଇଛି 'ବୈକୁଣ୍ଠ ଧାମ': ଜିଏ ପକ୍ଷରୁ ମାପଚୁପ ପରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ
ନଭେମ୍ବର ୨୧ ଅପରାହ୍ନରେ ବିଡିଏ କାର୍ଯ୍ୟାଳୟରେ ଆୟୋଜିତ ଉଚ୍ଚସ୍ତରୀୟ କମିଟି ବୈଠକରେ ସାଧାରଣ ପ୍ରଶାସନ ବିଭାଗ, ଭୁବନେଶ୍ୱର ମହାନଗର ନିଗମର ଅଧିକାରୀ, ଜୋନାଲ କମିଶନର, ପୁଲିସ ଅଧିକାରୀ ଆଶ୍ରମ ଭାଙ୍ଗିବା ନେଇ ଢ଼େର୍ ସମୟ ଧରି ବିଚାରବିମର୍ଶ କରିଥିଲେ । ନିଷ୍ପତ୍ତି ନିଆଯାଇଥିଲା, ଘାଟିକିଆ ମୌଜାର ଖାତା ନଂ ୨୩୩୯ (ଜିଏଡି)ର ପ୍ଲଟ୍ ନଂ ୯୦୩୭ ଓ ୯୦୩୮ ‘ପତିତ’ କିସମର ଜମିରେ ଗଢ଼ିଉଠିଥିବା ସାମ୍ରାଜ୍ୟକୁ ଭଙ୍ଗାଯିବ । ତା' ପୂର୍ବରୁ ଆଶ୍ରମକୁ ନୋଟିସ୍ ଜାରି କରାଯାଇଥିଲା । ଆଶ୍ରମରୁ ଜିନିଷପତ୍ର ଖାଲି କରିବାକୁ ମାଇକ୍ ମାଧ୍ୟମରେ ଘୋଷଣା କରାଯାଇଥିଲା ।
ଉଚ୍ଛେଦର ଠିକ୍ ଦିନକ ପୂର୍ବରୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଶ୍ରମ କର୍ତ୍ତୃପକ୍ଷ । ମିଥ୍ୟା ସତ୍ୟପାଠ ଦାଖଲ କରିଥିଲେ । ଏହା ଏକ ଯୋଗାସନ ଶିକ୍ଷାକେନ୍ଦ୍ର ବୋଲି ସତ୍ୟପାଠ ଦାଖଲ କରିଥିଲେ । ୨୦୨୨ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ଲେଖାଯାଇଥିବା ଚିଠିକୁ ଦାଖଲ କରାଯାଇଥିଲା । ଉକ୍ତ ଚିଠିରେ ଗଣଶିକ୍ଷା ବିଭାଗ ଏହି ଜମିକୁ ଟ୍ରଷ୍ଟ ନାମରେ କରିବା ଲାଗି ସୁପାରିଶ କରିଥିବା ଦର୍ଶାଯାଇଥିଲା । ହାଇକୋର୍ଟ ମଧ୍ୟ ବିଡିଏର ଉଚ୍ଛେଦ ଉପରେ ରହିତାଦେଶ ଜାରି କରିଥିଲେ । ହାଇକୋର୍ଟ ସାଧାରଣ ପ୍ରଶାସନ ବିଭାଗକୁ ଜବାବ୍ ମାଗିବା ପରେ ଆଶ୍ରମର ଜାଲିଆତି ଜଣାପଡି଼ଥିଲା । ଗତ ୧୦ ତାରିଖରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ବି.ପି. ରାଉତରାୟ ଉଚ୍ଛେଦ ରହିତାଦେଶକୁ ହଟାଇ ଦେଇଥିଲେ ।
You Can Read:
ଭୁବନେଶ୍ବରରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍, ରାଜ୍ୟ ସରକାରଙ୍କ ସହ ସ୍ବାକ୍ଷର ହେବ ଏମ୍ଓୟୁ