ମୁମ୍ବାଇ ୨୨।୩: ନାଗପୁର ହିଂସାକୁ ନେଇ ମହାରାଷ୍ଟ୍ର ରାଜନୀତି ଏବେ ସରଗରମ। ଶନିବାର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ ଦଙ୍ଗାକାରୀଙ୍କ ପ୍ରତି କଠୋର ମତ ପୋଷଣ କରିଛନ୍ତି। କହିଛନ୍ତି ଦଙ୍ଗାକାରୀ ଯେ କୌଣସି ଧର୍ମର ହୋଇଥାନ୍ତୁ ନା କାହିଁକି ତାଙ୍କୁ ଛଡା ଯିବ ନାହିଁ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପୂର୍ବରୁ ରାଜ୍ୟର ଡେପୁଟି ସିଏମ ଅଜିତ ପାୱାର ମୁସଲମାନଙ୍କୁ ନ ଡରାଇବା ଓ ଭାରତ ହେଉଛି ବିବିଧତାରେ ଏକତାର ଦେଶ ବୋଲି କହିଥିଲେ।
ଏବେ ଏହି ପୁରା ପ୍ରକରଣରେ ବିଜେପି ଓ ଏନଡିଏ ନେତାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ଡେପୁଟି ସିଏମ ଇଫ୍ତାର ପାର୍ଟିରେ କହିଛନ୍ତି ଯେ ଆମେ କୌଣସି ବିଭାଜନକାରୀ ଶକ୍ତିଙ୍କ ଜାଲରେ ଫଶିବାର ନାହିଁ। ନିକଟରେ ଆମେ ହୋଲି ପାଳନ କରିଛେ, ଆଗକୁ ଗୁଡିପଡୱା ଓ ଇଦ ଆସୁଛି। ଏହି ସବୁ ପର୍ବକୁ ଆମେ ଏକାଠି ମିଳିମିଶି ପାଳନ କରିବା। କାରଣ ଏକତା ହିଁ ଆମର ଅସଲ ବଳ। ମୁଁ ଆପଣମାନଙ୍କୁ ଭରସା ଦେଉଛି ଆପଣାନଙ୍କ ଭାଇ ଅଜିତ ପାୱାର ଆପଣମାନଙ୍କ ସହିତ ଅଛନ୍ତି।
ସେ କହିଛନ୍ତି ଯିଏ ବି ଆମ ମୁସଲମାନ ଭାଇ ଓ ଭଉଣୀଙ୍କୁ ଆଖି ଦେଖାଇବ, ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଝଗଡ଼ା କରି ଶାନ୍ତି ଭଙ୍ଗ କରିବାକୁ ଉଦ୍ୟମ କରିବ ଓ ଆଇନକୁ ହାତକୁ ନେବାକୁ ଉଦ୍ୟମ କରିବ ସେ ଯେ କେହିବି ହେଉ ନା କାହିଁକି ତାଙ୍କୁ ଛଡା ଯିବ ନାହିଁ , କି କ୍ଷମା କରାଯିବନି। ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ନାଗପୁର ସାମ୍ବାଦିକ ସମ୍ମିଳନୀରେ ଅଜିତ ପାୱାରଙ୍କ ବୟାନକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ ଅଜିତ ପାୱାର କଣ କହିଛନ୍ତି ମୁଁ ଜାଣିନି, ହେଲେ ଯିଏ ବି ସମାଜକୁ ଭାଙ୍ଗିବାକୁ ଓ ହିଂସାକୁ ଉସକାଇବ ତାକୁ ଛାଡିବୁନି। ହିଂସାରେ ହୋଇଥିବା ସମ୍ପତ୍ତି ହାନୀ ଦଙ୍ଗାକାରୀଙ୍କଠୁ ଅସୁଲ କରାଯିବ।
ଫଡନବୀଶ ଓ ଅଜିତ ପାୱାରଙ୍କ ବୟାନକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଥିବା ବେଳେ ସିନ୍ଦେ ଗୋଷ୍ଠୀର ବୟାନ ମଧ୍ୟ ସାମ୍ନାକୁ ଆସିଛି। ଶିବସେନା (ସିନ୍ଦେ) ମୁଖପାତ୍ର କୃଷ୍ଣ ହେଗଡେ କହିଛନ୍ତି ଏପରି ବୟାନବାଜୀ ବିଜେପି ଓ ଏନସିପିର ଅନ୍ତରୀଣ ମାମଲା। ଆମେ ମରାଠା ମାନୁଷଙ୍କ ପାର୍ଟି, ମରାଠାମାନଙ୍କ ହୀତ ପାଇଁ କାମ କରୁ। ଏଣୁ ଯଦି ମରାଠାମାନଙ୍କ ପ୍ରତି କୌଣସି ପ୍ରକାରର ଆଞ୍ଚ ଆସେ ଆମେ ସାମ୍ନାକୁ ଆସିବୁ ।