ଆସାମ ପରେ ଓଡ଼ିଶା, ବନ୍ଦ୍ ହେବ ଗୋ ହତ୍ୟା, ଗୋମାଂସ ଓ ଗୋ ଚାଲାଣ

Published By : Prameya-News7 Bureau | December 06, 2024 IST

ଭୁବନେଶ୍ୱର ୦୬/୧୨: ଆସାମ ପରେ ଓଡ଼ିଶା । ବନ୍ଦ୍ ହେବ ଗୋ ହତ୍ୟା, ଗୋମାଂସ ଓ ଗୋ ଚାଲାଣ । ଖୁବ୍‌ଶୀଘ୍ର ସରକାର ଆଣିବେ କଡ୍ଡା ଆଇନ । କେବଳ ଆଇନ ନୁହେଁ ବିଲ୍ ଆଣିବାକୁ ଚାଲିଛି ବିଚାର ବିମର୍ଶ । ବିଧାନସଭାରେ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର । ବୁଧବାର ଗୋ’ମାଂସ ଉପରେ ସଂପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି ଆସାମ ସରକାର । ହିମନ୍ତ ବିଶ୍ୱଶର୍ମା ସରକାରଙ୍କ ନିଷ୍ପତ୍ତି ପରେ ଆରମ୍ଭ ହୋଇଛି ଦେଶବ୍ୟାପୀ ତର୍କ ବିତର୍କ । ପଲ୍ଲିରୁ ଦିଲ୍ଲୀ ତେଜିଛି ବିରୋଧାଭାସ । ଠିକ୍ ଏତିକିବେଳେ ଆମ ରାଜ୍ୟର ଆଇନମନ୍ତ୍ରୀ ଗୋ-ସୁରକ୍ଷା ନେଇ ରଖିଛନ୍ତି ସ୍ପଷ୍ଟ ମତ । 

କଠୋର ହେଲେ ଓଡ଼ିଶା ସରକାର । ବିଭିନ୍ନ ଦିଗକୁ ବିଚାର ପରେ ଗୋହତ୍ୟା ରୋକିବାକୁ ପଦକ୍ଷେପ ନେଉଛନ୍ତି ସରକାର । ଗୋହତ୍ୟା ଓ ଗୋଚାଲାଣ ରୋକା ଯାଇ ବୃଦ୍ଧି ହେବ ଗୋ ବଂଶ । ଯେଉଁମାନେ ଗୋ ଚାଲାଣ କରିଛନ୍ତି ସେମାନଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠନ ହେଲା କମିଟି । ତେବେ ଏହାକୁ ସ୍ୱାଗତ କରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । 

ପ୍ରମିଳା କହିଛନ୍ତି ପ୍ରଥମେ ଚି଼ହ୍ନଟ କରନ୍ତୁ କେଉଁ ଦଳର ଲୋକ ଗୋ ଚାଲାଣ କରି ଗୋମାଂସ ବିକୁଛନ୍ତି । ତା ପରେ ବିଲ ଆଣନ୍ତୁ । ନିର୍ଦିଷ୍ଟ ସମ୍ପ୍ରଦାୟକୁ ଟାର୍ଗେଟ ନ କରାଯାଉ ବୋଲି ଯୁକ୍ତି ବାଢିଛନ୍ତି ପ୍ରମିଳା । ପ୍ରମିଳାଙ୍କ ସହ ସ୍ୱର ମିଳାଇଛନ୍ତି କଂଗ୍ରେସ ବିଧାୟକ । କହିଛନ୍ତି ଆଗ ବିଦେଶକୁ ଗୋମାଂସ ଚାଲାଣ ବନ୍ଦ କରାଯାଉ।

ତେବେ ନିଷ୍ପତ୍ତି ଓ ବିରୋଧର ଆରମ୍ଭ କେଉଁଠୁ? । ଅନେକ ସଂଗଠନ ଓ ଅନେକ ରାଜ୍ୟ ଗୋ ସୁରକ୍ଷାକୁ ଗୁରୁତ୍ୱ ଦେଉଥିବାବେଳେ କିଛି ପାଦ ଆଗେଇଗଲେ ଆସାମ ସରକାର ।  ବୁଧବାର ଆସାମ ସରକାର ନେଇଥିଲେ ବଡ ନିଷ୍ପତ୍ତି । ରେଷ୍ଟୁରାଣ୍ଟ, ହୋଟେଲ ଏବଂ ସର୍ବସାଧାରଣ ସ୍ଥାନରେ ଗୋ’ମାଂସ ଉପରେ ଲଗାଇଛନ୍ତି ସଂପୂର୍ଣ୍ଣ ପ୍ରତିବନ୍ଧକ ।


ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଥିଲେ ଯେ ପୂର୍ବରୁ ଆମର ନିଷ୍ପତ୍ତି ଥିଲା ଯେ ମନ୍ଦିର ନିକଟରେ ଗୋ’ମାଂସ ଖାଇବାକୁ ବାରଣ କରିବା। କିନ୍ତୁ ବର୍ତ୍ତମାନ ଆମେ ଏହି ଆଇନକୁ ସମଗ୍ର ରାଜ୍ୟକୁ ବିସ୍ତାର କରିଛୁ। କୌଣସି ହୋଟେଲ, ରେଷ୍ଟୁରାଣ୍ଟ କିମ୍ବା ସର୍ବସାଧାରଣ ସ୍ଥାନରେ ଖାଇ ପାରିବେ ନାହିଁ। ଏହି ନିୟମ ସର୍ବସାଧାରଣ କାର୍ଯ୍ୟକ୍ରମରେ ମଧ୍ୟ ପ୍ରଯୁଜ୍ୟ ହେବ।

ସେପଟେ ହିମନ୍ତଙ୍କ ନିଷ୍ପତ୍ତିକୁ ବିରୋଧ କରିଛି ଅନେକ ଦଳ । କେହି କେହି କହିଛନ୍ତି ମୁଖ୍ୟମନ୍ତ୍ରୀ ପାକିସ୍ତାନ ଚାଲିଯାଆନ୍ତୁ । ସେହିପରି ଆପ୍ କହିଛି ଆଗେ ନିଜେ ଖାଇବା ଛାଡ, ତା ପରେ ଲଗାଇବେ ପ୍ରତିବନ୍ଧକ । 

କଂଗ୍ରେସ ବି କଥାରେ ଜଣାଇଛି ସହମତି । କଂଗ୍ରେସ କହିଛି ଦିଲ୍ଲୀରେ ଆପ୍‌ ନଜର ଆଢୁଆଳରୁ ବର୍ତ୍ତିବାକୁ ଏସବୁ ବିଜେପିର ନୂଆ ଚାଲ । ଗୋ-ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ତା ସହ ପରିବେଶ ସନ୍ତୁଳନ, ଖାଦ୍ୟ ସୁରକ୍ଷା ଏବଂ ନାଗରିକଙ୍କ ମୌଳିକ ଅଧିକାର ମଧ୍ୟ ବିଚାରକୁ ନିଆଯିବା ଦରକାର । ସବୁକିଛିର ଯଥାର୍ଥ ବିଶ୍ଲେଷଣ, ଆବଶ୍ୟକତା, ପ୍ରଭାବ ଏବଂ ପ୍ରତିକ୍ରିୟା ଆଦିକୁ ଧ୍ୟାନ ଦେଇ ସର୍ବ ଗ୍ରହଣୀୟ ନିଷ୍ପତ୍ତି ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.