ବାରବାଟୀ କ୍ରିକେଟ୍ ମ୍ୟାଚ୍‌କୁ ନେଇ ସୁରକ୍ଷା ସମୀକ୍ଷା କଲେ CP, ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ ଫୋର୍ସ

Published By : Prameya-News7 Bureau | February 05, 2025 IST

ଭୁବନେଶ୍ବର ୫।୨ବାରବାଟୀ ୱାନ୍‌ଡେ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ସୁରକ୍ଷା ବ୍ୟବସ୍ଥା ନେଇ କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏ ନେଇ ଆୟୋଜିତ ଏକ ପ୍ରସ୍ତୁତି ସମୀକ୍ଷା ବୈଠକରେ ପୋଲିସ କମିଶନର ଏସ୍‌ ଦେବ ଦତ୍ତ ସିଂହ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । OCA, ପୋଲିସ, ହୋଟେଲ, ଏୟାରପୋର୍ଟ, CISF ସହ ଆଲୋଚନା ହୋଇଛି । ବିମାନବନ୍ଦର ଠାରୁ ହୋଟେଲ ଓ ବାରବାଟୀ ପର୍ଯ୍ୟନ୍ତ ସବୁ ବିଷୟରେ ଆଲୋଚନା ହୋଇଛି । ସୁରକ୍ଷା, ଟ୍ରାଫିକ୍ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି ।

ପ୍ରତିକ୍ରିୟା ରଖି ପୋଲିସ କମିଶନର କହିଛନ୍ତି, ଆସନ୍ତା ୭ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଭାରତ ଓ ଇଂଲଣ୍ଡ କ୍ରିକେଟ୍ ଟିମ୍ । ୮ ତାରିଖରେ ଉଭୟ ଟିମ୍ ଅଭ୍ୟାସ ପାଇଁ କଟକ ବାରବାଟୀ ଷ୍ଟାଡ଼ିୟମ୍‌କୁ ଯିବେ । ସୁରକ୍ଷା ଦୃଷ୍ଟିରୁ ଭୁବନେଶ୍ୱରରେ ମୁତୟନ ହେବେ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ସେହିଭଳି ମ୍ୟାଚ୍ ବେଳେ ଷ୍ଟାଡିୟମକୁ ପାଣି ବୋତଲ ନେଇ ଯିବାକୁ ମନା କରାଯାଇଛି । 

ସେପଟେ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଥିଲା । ମଙ୍ଗଳବାର ରାତିରୁ ଲାଗିଥିଲା ଗହଳି, ବୁଧବାର ସକାଳେ ଟିକେଟ୍ କାଉଣ୍ଟର ଖୋଲିବା ମାତ୍ରେ ଠେଲାପେଲା ହୋଇଥିଲେ ଲୋକ । ଘଣ୍ଟାଏ ଭିତରେ ସ୍ଥିତି ଯେମିତି ଅଣାୟତ୍ତ ହୋଇଗଲା । ଏଭଳି ଚରମ ଅବ୍ୟବସ୍ଥା ବାରବାଟୀ ଷ୍ଟାଡିୟମ୍‌ ଟିକେଟ୍ କାଉଣ୍ଟର ମାନଙ୍କ ଆଗରେ ଦେଖିବାକୁ ମିଳିଥିଲା । ରାତିରେ ମଶା ଉପଦ୍ରବ ଏବଂ ସକାଳୁ ଗହଳି ଭିତରେ ଫସି ରହିବା କାରଣରୁ ଅନେକ ଲୋକ କାଉଣ୍ଟର ଆଗରେ ମୁର୍ଚ୍ଛା ହୋଇଗଲେ । ଏପରିକି ୩ ଜଣ ପୋଲିସ କର୍ମୀ ଆହତ ହୋଇଛନ୍ତି । ଏଭଳି ଦୁର୍ଦ୍ଦଶାର ଶିକାର ହୋଇଥିବା ଲୋକମାନେ ବାରବାଟୀ ୱାଣ୍ଡେ ପ୍ରସ୍ତୁତିକୁ ନେଇ ନିଜ ନିଜର ତିକ୍ତ ଅନୁଭୂତି ବଖାଣିଛନ୍ତି ।

ଏଥର କାଉଣ୍ଟରକୁ ଆସିଥିଲା ମାତ୍ର ୧୧ ହଜାର ୮୦ ଖଣ୍ଡ ଟିକେଟ । ମୁଣ୍ଡ ପିଛା ୨ଟି ଟିକେଟ ଦେବାକୁ ପୂର୍ବରୁ ସ୍ଥିର ହୋଇଥିଲା । ହେଲେ କାଉଣ୍ଟର ଆଗରେ କମସେ କମ୍ ୩୦ ହଜାର ଭଳି ଲୋକ ଥିଲେ । ତେବେ ମହିଳା ମାନଙ୍କ ଲାଗି ସଂରକ୍ଷିତ ଥିବା କାଉଣ୍ଟରରେ ଆଜି ବ୍ୟାପକ କଳାବଜାରୀ ହୋଇଥିବା ଦେଖିବାକୁ ମିଳିଛି । ଅନ୍ୟପଟେ ଯେମିତି ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ସାମାନ୍ୟ ପାଣି ମୁନ୍ଦାଏ ଯୋଗାଇ ଦେବାକୁ ଓସିଏ କର୍ତ୍ତୃପକ୍ଷ ଉଚିତ ମନେ କଲେନାହିଁ । ଭୀଷଣ ଗହଳି ସାଙ୍ଗକୁ ପ୍ରବଳ ଠେଲା ପେଲା କାରଣରୁ ଗୁଳୁଗୁଳିର ମାତ୍ରା ବଢିଗଲା । ଶେଷରେ ପୋଲିସ ଯୋଗାଇଦେଲା ପିଇବା ପାଣି ଏବଂ ଦମକଳ ବାହିନୀ ପାଣି ସିଞ୍ଚନ କଲା । ହେଲେ ସେତେବେଳକୁ ନେଡି ଗୁଡ଼ କହୁଣିକୁ ବୋହିସାରିଥିଲା ।

ଅନେକ କାଉଣ୍ଟରରେ ଅନଭିଜ୍ଞ ଲୋକ ମାନେ ବସିଥିଲେ ଏବଂ ବାହାରେ ଥିବା ପୋଲିସ ଭିଡ଼ ନିୟନ୍ତ୍ରଣ କରିବାରେ ଏକବାର ବିଫଳ ହେଲା । ଏଭଳି ଅବ୍ୟବସ୍ଥା ଭିତରେ ବିକ୍ରି ହୋଇଛି ମ୍ୟାଚ ଟିକେଟ୍ । 

You Can Read:

ମଣପୁରମ୍ ଗୋଲ୍ଡ ଫାଇନାନ୍ସରେ ଡକାୟତି ଘଟଣା : ଗୌହାଟୀରୁ ମୁଖ୍ୟ ଅଭିଯୁକ୍ତ ଗିରଫ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.