ଯାଜପୁର/ଭୁବନେଶ୍ଵର: ବିଏମସି ଅଧିକାରୀଙ୍କୁ ମାଡ଼ ଘଟଣାରେ ନେଇ ତିନି ଚାରି ଦିନ ହୁଲସ୍ତୁଲ ହେବା ପରେ ସ୍ଥିତି ସ୍ବାଭାବିକତାକୁ ଫେରିଛି। ସେହିପରି ବ୍ୟାସନଗର ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଘେରି ହଇରାଣ କରାଯିବା ନେଇ ରାଜନୀତି ତେଜିବାରେ ଲାଗିଛି। କଥା ହେଉଛି ବିଏମସିରେ ଥିଲେ ବିଜେପି ନେତା ଆଉ ବ୍ୟାସନଗରରେ ବିଜେଡି ନେତା। ଆଉ ଏସବୁ ଭିତରରେ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ବକ୍ତବ୍ୟ ଭାଇରାଲ ହେବାରେ ଲାଗିଛି। ବିଜୁବାବୁଙ୍କ ମାଡ଼ ତତ୍ତ୍ବର ଉଦାହରଣ ଦେଇଛନ୍ତି ଜୟନାରାୟଣ ଆଉ ଏହାର ଜବାବ ଦେଇଛନ୍ତି ଅନନ୍ତନାରାୟଣ ଜେନା।
ବିଏମସିରୁ ବ୍ୟାସନଗର। ମାଡ଼ ତତ୍ତ୍ବକୁ ନେଇ ରାଜନୀତି ହୁଲସ୍ତଲ। ଦୁଇଟି ସ୍ଥାନ ଦୁଇଟି ଭିଜୁଆଲ। ୩୦ ଜୁନ୍ ବିଏମସି କାର୍ଯ୍ୟାଳୟ। ୨୬ ଜୁନ ବ୍ୟାସନଗର ପୌରପାଳିକା କାର୍ଯ୍ୟାଳୟ। ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଆକ୍ରମଣ ହୋଇଥିଲା। ଆଉ ୨୬ ଜୁନରେ ବ୍ୟାସନଗର ପୌରପାଳିକା କାର୍ଯ୍ୟାଳୟରେ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ପା଼ଢ଼ୀଙ୍କୁ ଘେରି ରହିଛନ୍ତି ଭାରପ୍ରାପ୍ତ ପୌରାଧ୍ୟକ୍ଷ ଏବଂ କାଉନସିଲର। ଏହି ଘଟଣାକୁ ନେଇ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ପୌର ନିର୍ବାହୀ ଅଧିକାରୀ ପ୍ରଦୀପ ପାଢ଼ୀ।
ଅଭିଯୋଗ ଅନୁଯାୟୀ ଦିନ ୧୨ ରୁ ରାତି ୮ ପର୍ଯ୍ୟନ୍ତ ତାଙ୍କୁ ତାଙ୍କ କାର୍ଯ୍ୟାଳୟରେ ଅଟକ ରଖିଥିଲେ କାଉନସିରମାନେ। ଘଟଣାକୁ ନେଇ ଜିଲ୍ଲାପାଳ ଏକ ଟିମ ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାକୁ ନେଇ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଆମ ସରକାରରେ ଯିଏ ଦୋଷ କରିବ ସେ ଦଣ୍ଡ ପାଇବ, ଏ ଆଶ୍ବାସନା ଆମେ ଜନସାଧାରଣଙ୍କୁ ଦେଉଛୁ।
ଏମିତି ଘଟଣା କାହିଁକି ବାରମ୍ବାର ଘଟୁଛି। କଣ ଏହା ପଛରେ କିଛି ରାଜନୈତିକ ଉଦ୍ଦେଶ୍ୟ ରହିଛି ନା ପ୍ରାଶାସନିକ ସ୍ଥାଣୁତା ହଟେଇବା ପାଇଁ ନେତାଙ୍କ ମାଡ଼ ତତ୍ତ୍ବ ଜାଗି ଉଠିଛି। ବିଜୁବାବୁଙ୍କ ମାଡ଼ ତତ୍ତ୍ବକୁ ନେଇ ଆଜି ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ବିଜେଡି। ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ବିଜୁବାବୁ ବି ମାଡ଼ ତତ୍ତ୍ବକୁ ବିଶ୍ବାସ କରୁଥିଲେ। ସେହିପରି ବିଏମସି ଗଣ୍ଡଗୋଳରେ ଜଗନ୍ନାଥ ପ୍ରଧାନ ଗିରଫ ହେବାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।
ଏତିକି ବେଳେ ଜବାବ ରଖିଛନ୍ତି ବିଜେଡି ବିଧାୟକ ଅନନ୍ତନାରାୟ ଜେନା। ବିଜୁ ବାବୁଙ୍କ କେଉଁ ଆଦର୍ଶନ ବିଜେପି ମାନୁଛି ବୋଲି ପାଲଟା ପ୍ରଶ୍ନ କରିଛି। ବିଜୁବାବୁଙ୍କ ମୂର୍ତ୍ତି ଭଙ୍ଗାଯିବା ଏବଂ ପଞ୍ଚାୟତିରାଜ ଦିବସ ହଟିବାର ଉଦାହରଣ ଦେଇଛି ବିଜେଡି। କଥା ହେଉଛି ଯଦି ମାଡ଼ ତତ୍ତ୍ବକୁ ନେଇ ପୁଣି ରାଜନୀତି ସକ୍ରିୟ ହୁଏ ତେବେ ସମାନ ଘଟଣା ଅନ୍ୟ ସ୍ଥାନରେ ମଧ୍ୟ ପୁନରାବୃତ୍ତି ହେବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।