ରାଜଧାନୀରେ ଶିଶୁ ଚୋରି ଘଟଣା, ଶୁଭମ୍‌କୁ ଠାବ ପାଇଁ ଲାଗିଛି ଏକାଧିକ ଟିମ୍

Published By : Prameya-News7 Bureau | April 14, 2025 IST

ଭୁବନେଶ୍ବର ୧୪/୪: ରାଜଧାନୀରେ ଶିଶୁ ଚୋରି ଘଟଣାକୁ ୩୦ ଘଣ୍ଟାରୁ ଅଧିକ ସମୟ ବିତିଲାଣି । ଏଯାଏ ପୋଲିସ ହାତରେ କିଛି ଲାଗିନି । ଶିଶୁର କି ଅପହରଣକାରୀଙ୍କ ପତ୍ତା ପାଇନି ପୋଲିସ । ପୁଅକୁ ନପାଇ ବାହୁନି ବାହୁନି କାନ୍ଦୁଛି ଦୃଷ୍ଟିବାଧିତ ମାଆ । ଏସବୁ ଭିତରେ ଭୁବନେଶ୍ବର ଡିସିପିଙ୍କ ପ୍ରେସ୍‌ମିଟ୍‌ ସାମ୍ନାକୁ ଆସିଛି । ସେ ପ୍ରତିକ୍ରିୟା ରଖି କହିଛନ୍ତି ନିଖୋଜ ଶୁଭମ୍‌କୁ ଠାବ କରିବାକୁ ଗଠନ ହୋଇଛି ଏକାଧିକ ଟିମ୍‌ । ଖୁବ ଶୀଘ୍ର ଶୁଭମକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି । 

ରବିବାର ରାଜଧାନୀରୁ ଶିଶୁ ଚୋରିର ଆସିଥିଲା ସାଂଘାତିକ ଅଭିଯୋଗ । ଜଣେ ଦୃଷ୍ଟିବାଧିତ ମାଆର ଦେଢ ବର୍ଷର ପୁଅକୁ ଚୋରି କରି ନେଇଯାଇଥିଲେ ଦୁର୍ବୃତ୍ତ । ମହିଳା ଜଣକ ରାମ ମନ୍ଦିର ଆଗରେ ଭିକ୍ଷାବୃତ୍ତି କରି ସେଠାରେ ରହୁଥିଲେ । ତେବେ ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ କେହି ତାଙ୍କ ପୁଅକୁ ବିସ୍କୁଟ,ଜୁସ ଓ ମୋବାଇଲର ଲୋଭ ଦେଖାଇ ନେଇଯାଇଥିବାର ଅଭିଯୋଗ ଆଣି ଖାରବେଳ ନଗର ଥାନାର ଦ୍ବାରସ୍ଥ ହୋଇଥିଲେ । 

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା । ଏକାଧିକ ସିସିଟିଭି ଯାଞ୍ଚ କରିବା ପରେ ମହିଳାଙ୍କ ଅଭିଯୋଗର ସତ୍ୟତା ଥିବା ଜାଣିବାକୁ ପାଇଥିଲା ପୋଲିସ । ଦୁର୍ବୃତ୍ତମାନେ ଜଣେ ଦେଢ ବର୍ଷର ଶିଶୁକୁ ଏକ ଗାଡିରେ ଖାରବେଳ ନଗର ଥାନା ଅଞ୍ଚଳ ଦେଇ ଯାଉଥିବାର ଦେଖିବାକୁ ମିଳିଥିଲା । ତେବେ ଘଟଣାକୁ ୩୦ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ ଦୁର୍ବୃତ୍ତଙ୍କ ସନ୍ଧାନ ପାଇନି । ପୁଅକୁ ନପାଇ ନିରାଶ ହୋଇପଡିଛନ୍ତି ଅଭିଯୋଗକାରିଣୀ । 



 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.