କଟକ ୧୮।୬: କିଛି ଦିନର ନୀରବତା ପରେ କଟକ ସହରରେ ପୁଣି ଗଡିଲା ମୁଣ୍ଡ । ହୋଟେଲ ବାରଣ୍ଡାରେ ଅତି ବୀଭତ୍ସ ଭାବେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଛି । କଟକ ବକ୍ସିବଜାର ସିଡିଏ ମାର୍କେଟ୍ କମ୍ପ୍ଲେକ୍ସରେ ଘଟିଛି ହତ୍ୟାକାଣ୍ଡ ।
ସୂଚନାଯୋଗ୍ୟ ଯେ, କଟକ ବକ୍ସିବଜାର ସିଡିଏ ମାର୍କେଟ୍ କମ୍ପ୍ଲେକ୍ସର ପାୟଲ ହୋଟେଲ ବାରଣ୍ଡାରୁ ମିଳିଛି ରକ୍ତ ଜୁଡୁବୁଡୁ ମୃତଦେହ । ମୃତକ ଜଣଙ୍କ ହେଲେ କଟକ ଶଙ୍କରପୁର ଅଞ୍ଚଳର ୫୫ ବର୍ଷ ବୟସ୍କ ଅଶୋକ କୁମାର ବାରିକ । ଅଶୋକ ଉକ୍ତ ଅଞ୍ଚଳରେ ଦୀର୍ଘ ବର୍ଷ ହେବ ରହି କାମ କରୁଥିଲେ । ମଙ୍ଗଳବାର ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ଅତି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି । ମୃତକଙ୍କ ଦେହରେ ଏକାଧିକ କ୍ଷତ ଥିବା ଦେଖିବାକୁ ମିଳିଛି ।
ଘଟଣାସ୍ଥଳରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଘଟଣାର ଟିକିନିକି ତଦନ୍ତ କରିଛନ୍ତି । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସସିବି ମେଡ଼ିକାଲକୁ ପଠାଇଛି । ଏହାସହ ସବୁ ସିସିଟିଭିକୁ ମଧ୍ୟ ଯାଞ୍ଚ କରୁଛି ପୋଲିସ ।
ଅଶୋକ ସ୍ୱଭାବରେ ଜଣେ ଭଲ ଲୋକ ଥିବାବେଳେ ତାଙ୍କୁ କିଏ କାହିଁକି ଏଭଳି ବୀଭତ୍ସ ଭାବେ ହତ୍ୟା କଲା ତାହା ସ୍ଥାନୀୟ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ମଙ୍ଗଳବାର ରାତିରେ ହିଁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।
You Can Read:
ବର୍ଷାରେ ଭିଜି ଭିଜି ରାସ୍ତା ଅବରୋଧ, ଦୁର୍ଘଟଣାରେ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି