ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଅଣ୍ଟା ଭିଡ଼ିଲାଣି ଶାସନ କ୍ଷମତାରେ ଥିବା ଆମ୍ ଆଦମୀ ପାର୍ଟି । ନିର୍ବାଚନ ତାରିଖ ଘୋଷଣା ହୋଇନାହିଁ, ହେଲେ ଆପ୍ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି । ଦଳ ପକ୍ଷରୁ ଆଶାୟୀ ବିଧାୟକ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୧ଜଣ ପ୍ରାର୍ଥୀଙ୍କ ତାଲିକା ଜାରି ହୋଇଥିଲା । ଏବେ ଦ୍ବିତୀୟ ପର୍ଯ୍ୟାୟରେ ୨୦ଜଣ ଆଶାୟୀଙ୍କ ସୂଚୀ ଜାରି କରିଛି ଦଳ । ଦ୍ବିତୀୟ ତାଲିକାରେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସିଟ୍ ବଦଳିଛି । ତାଙ୍କ ସ୍ଥାନରେ ନୂଆ କରି ଆପ୍ ସାମିଲ୍ ହୋଇଥିବା UPSC ଶିକ୍ଷକ ଅବଦ୍ଧ ଓଝାଙ୍କୁ ଟିକେଟ୍ ଦେବା ପାଇଁ ଦଳ ଚୟନ କରିଛି ।
ମନୀଷ ସିସୋଦିଆ ଦିଲ୍ଲୀ ହେବାକୁ ଥିବା ବିଧାନସଭା ନିର୍ବାଚନରେ ନିଜ ପୁରୁଣା ଆସନକୁ ପ୍ରାର୍ଥୀ ହେବେ । ତାଙ୍କ ବିଧାନସଭା କ୍ଷେତ୍ର ପାଟପଡ଼ଗଞ୍ଜରୁ ପରିବର୍ତ୍ତନ ହୋଇ ଜଙ୍ଗପୁରା ହୋଇଛି । ସୋମବାର ସକାଳୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ମାର୍ଲେନା, ଓଲ୍ଡ ରାଜେନ୍ଦ୍ର ନଗର ବିଧାୟକ ଦୁର୍ଗେଶ ପାଠକ ଆପ୍ ସଂଯୋଜକ ଆରବିନ୍ଦ କେଜ୍ରିଓ୍ବାଲଙ୍କ ଘରେ ପହଞ୍ଚିଥିଲେ । ପରେ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ଇମରାନ ହୁସେନ ଏହି ବୈଠକରେ ସାମିଲ୍ ହୋଇଥିଲେ । ଏଥିରେ ପାର୍ଥୀଙ୍କ ଟିକେଟକୁ ନେଇ ଆଲୋଚନା ହୋଇଥିଲା ।
ଚତୁର୍ଥ ଥର ଦିଲ୍ଲୀ ଗଡ଼ ଜିତିବାକୁ ଆମ୍ ଆଦମୀ ପାର୍ଟି ଜୋରଦାର ପ୍ରୟାସ ଚଳାଇଛି । ଦ୍ବିତୀୟ ପର୍ଯ୍ୟାୟ ଆଶାୟୀ ପ୍ରାର୍ଥୀ ତାଲିକାରେ ନୂଆ କରି ଦଳରେ ସାମିଲ୍ ହୋଇଥିବା ନେତାଙ୍କ ନାଁ ରହିଛି । ପାଟପଡ଼ଗଞ୍ଜ, ପଟେଲ ନଗର ଏବଂ ଶାହଦରା ସିଟରୁ ଦଳ ଏଥର ନୂଆ ଚେହେରା ସାମ୍ନାକୁ ଆଣିଛି । ମନୀଷ ସିସୋଦିଆଙ୍କ ଆସନରେ ଦଳ ଏଥର ଲୋକପ୍ରିୟ UPSC ଶିକ୍ଷକ ଅବଦ୍ଧ ଓଝାଙ୍କୁ ଟିକେଟ୍ ଦେବା ନେଇ ଚିନ୍ତା କରୁଛି ।..