ନୂଆଦିଲ୍ଲୀ ୨୮।୫: ଭାରତୀୟ କୁସ୍ତି ସଂଘ (ଡବ୍ଲୁଏଫଆଇ) ମୁଖ୍ୟ ବ୍ରଜଭୂଷଣ ସରଣ ସିଂହଙ୍କ ବିରୋଧରେ ଦୀର୍ଘ ଦିନରୁ ରେସ୍ଲରମାନେ ଦିଲ୍ଲୀରେ ଚଳାଇଥିବା ଆନ୍ଦୋଳନ ବିରୋଧରେ ପୋଲିସ ରବିବାର କାର୍ଯ୍ୟାନୁଷ୍ଠାନ କରିଛି। ରେସ୍ଲରମାନେ ନୂଆ ସଂସଦ ଭବନ ମାର୍ଚ୍ଚରେ ବାହାରିବାରୁ ପୋଲିସ ରାସ୍ତାରୁ ସେମାନଙ୍କୁ ଗିରଫ କରିଥିବା ବେଳେ ଜନ୍ତରମନ୍ତରରୁ ସେମାନଙ୍କ ତମ୍ବୁ ମଧ୍ୟ ହଟାଇ ଦେଇଛି।
ଉଲ୍ଲେଖଯୋଗ୍ୟ ଯେ ବ୍ରଜଭୂଷଣ ସରଣ ସିଂହଙ୍କ ବିରୋଧରେ ରେସ୍ଲରମାନେ ଏପ୍ରିଲ ୨୩ ତାରିଖରୁ ଦିଲ୍ଲୀ ଜନ୍ତରମନ୍ତରରେ ଧାରଣା ଦେଇଥିଲେ। ସେମାନେ ଦାବି ପୂରଣ ପାଇଁ ନୂଆ ସଂସଦ ଭବନ ଉଦଘାଟନ ଅବସରରେ ଜନ୍ତରମନ୍ତରରୁ ଶାନ୍ତିପୂର୍ଣ୍ଣ ମାର୍ଚ୍ଚରେ ବାହାରିବେ ବୋଲି ପୂର୍ବରୁ ଘୋଷଣା କରିଥିଲେ। ରେସ୍ଲରମାନେ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ରେ ନୂଆ ସଂସଦ ଭବନ ଅଭିମୁଖେ ବାହାରି ଥିଲେ। ତେବେ ରେସ୍ଲରମାନେ ଯେପରି ଆଗକୁ ବଢି ନପାରିବେ ସେଥି ଲାଗି ଦିଲ୍ଲୀ ପୋଲିସ ପୂର୍ବରୁ ରାସ୍ତାରେ ବାରିକେଡ ଲଗାଇ ରଖିଥିଲା।
ତେବେ ନୂଆ ସଂସଦ ଭବନ ଯିବାକୁ ବାହାରିଥିବା ରେସ୍ଲରମାନେ ପୋଲିସ ଲଗାଇଥିବା ବାରିକେଡ ଭାଙ୍ଗି ଆଗକୁ ବଢିଥିଲେ। ଏଣୁ ପୋଲିସ ଗିରଫଦାରୀ ଆରମ୍ଭ କରିଥିଲା। ଏଥିରେ ପୋଲିସ ସାକ୍ଷୀ ମଲ୍ଲିକଙ୍କ ସମେତ କିଛି ରେସ୍ଲରଙ୍କୁ ଗିରଫ କରିଥିଲା। ରେସ୍ଲରମାନେ ସଂସଦ ଭବନ ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ମାର୍ଚ୍ଚରେ ଯିବା ଲାଗି ଅଡିଯାଇଥିଲେ ଓ ଆନ୍ଦୋଳନ ସେମାନଙ୍କର ଅଧିକାର ବୋଲି କହିଥିଲେ।
wp:html/wp:htmlइन लड़कियों ने विदेशी सरज़मीं पर तिरंगा ऊँचा किया था आज इन बेटियों को ऐसे घसीटा जा रहा है और तिरंगा ऐसे सड़क पर अपमानित हो रहा है। pic.twitter.com/4uvNWW1Ezs
— Swati Maliwal (@SwatiJaiHind) May 28, 2023
ଏଥିରେ ପୋଲିସ ବଜରଙ୍ଗ ପୁନିଆ, ଭିନେଶ ଫୋଗାଟ ଓ ସାକ୍ଷୀ ମଲ୍ଲିକଙ୍କୁ ଗିରଫ କରିବାରୁ ସେମାନେ ରାସ୍ତା ଉପରେ ଧାରଣା ଦେଇଥିଲେ। ତେବେ ଏହା ପୂର୍ବରୁ ଭିନେଶ ଫୋଗାଟ ଏକ ଭିଡିଓ ଜାରି କରି ମହିଳା ମହାପଞ୍ଚାୟତରେ ସାମିଲ ହେବାକୁ ଆସୁଥିବା ସବୁ ନେତାଙ୍କୁ ପୋଲିସ ଗିରଫ କରିଥିବା ଅଭିଯୋଗ କରିଥିଲେ। ଏଥିରେ ଦିଲ୍ଲୀ ମହିଳା ଆୟୋଗ( ଡିସିଡବ୍ଲୁ) ମୁଖ୍ୟ ଶ୍ୱାତୀ ମାଲିୱାଲ ଫୋଗଟ ଭଉଣୀମାନଙ୍କର ଏକ ଫଟୋ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ଦୁଇ ଭଉଣୀ ପୋଲିସ ଗିରଫଦାରୀ ଟାଳିବା ପାଇଁ ସଡକ ଉପରେ ଜାତୀୟ ପତାକା ଧରି ଗଡୁଥିବା ଦେଖାଯାଇଛନ୍ତି।
ଏହି ଫଟୋକୁ ଟ୍ୱିଟ୍ କରି ଶ୍ୱାତୀ ମାଲିୱାଲ ଦିଲ୍ଲୀ ପୋଲିସକୁ ଘେରିଛନ୍ତି। ଦିଲ୍ଲୀ ମହିଳା ଆୟୋଗ ମୁଖ୍ୟ ଏହି ଯୁବତୀମାନେ ବିଦେଶ ମାଟିରେ ଆମ ତ୍ରିରଙ୍ଗାକୁ ଉଚ୍ଚା କରିଥିଲେ ବୋଲି ଉଲ୍ଲେଖ କରିଥିବା ବେଳେ ଆଜି ସେହି ଝିଅମାନଙ୍କୁ କେମିତି ରାସ୍ତାରେ ଘୋଷରା ଯାଉଛି ଓ ଆମ ତ୍ରିରଙ୍ଗା କେମିତି ଅପମାନିତ ହେଉଛି ବୋଲି ଉଲ୍ଲେଖ କରିଛନ୍ତି।
ରେସ୍ଲରମାନଙ୍କର ନୂଆ ସଂସଦ ଭବନ ମାର୍ଚ୍ଚକୁ ନଜରରେ ରଖି ଦିଲ୍ଲୀ ପୋଲିସ ପୂର୍ବରୁ ସୁରକ୍ଷା କଡ଼ାକଡ଼ି କରିଥିଲା। ଇଷ୍ଟ ଦିଲ୍ଲୀ ଡିସିପି ଅମୃତା ଗୁଗୁଲୋଥ ପରିସ୍ଥିତିର ମୁକାବିଲା ଲାଗି ପୋଲିସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି। ଆମ ପାଖରେ ଅତିରିକ୍ତ ସୁରକ୍ଷା ବଳ ମହଜୁଦ ଥିବା ସହ ସମସ୍ତଙ୍କୁ ମୁତୟନ କରାଯାଇଥିବା ସେ କହିଛନ୍ତି। ଏପରିକି ଟିକିରୀ ବର୍ଡରରେ ମଧ୍ୟ ପୋଲିସ ସୁରକ୍ଷା କଡ଼ାକଡ଼ି କରିଛି। କାରଣ ଖାପ ପଞ୍ଚାୟତ ନେତା ଓ ଚାଷୀମାନେ ବିକ୍ଷୋଭକାରୀ ରେସ୍ଲରମାନଙ୍କ ସଂସଦ ଭବନ ମାର୍ଚ୍ଚରେ ସାମିଲ ହେବେ ବୋଲି ପୂର୍ବରୁ ଘୋଷଣା କରିଥିଲେ।