ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ଡାକ୍ତରଖାନାରେ ଭର୍ତ୍ତି ମନମୋହନ ସିଂହ

Published By : Prameya-News7 Bureau | December 26, 2024 IST

ନୂଆଦିଲ୍ଲୀ: ଡାକ୍ତରଖାନାରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ। ଦିଲ୍ଲୀ ଏମ୍ସର ଜରୁରୀକାଳୀନ ବିଭାଗରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଖବର ମିଳୁଛି। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅଧିକ ଅପଡେଟ୍ ଖବର ମିଳିପାରି ନାହିଁ। ପିଟିଆଇରେ ପ୍ରକାଶିତ ରିପୋର୍ଟ ଅନୁସାରେ ୯୨ ବର୍ଷୀୟ ମନମୋହନଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୧୯୩୨ ମସିହାରେ ବର୍ତ୍ତମାନର ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ ମନମୋହନ। 


ଆଜି ଠାରୁ ୩୩ ବର୍ଷ ତଳେ ୧୯୯୧ ମସିହାରେ ମନମୋହନ ସିଂହ ରାଜ୍ୟସଭା ସାଂସଦ ଭାବେ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ। ରାଜ୍ୟସଭାରେ ୪ ମାସ ରହିବା ପରେ ସେହି ବର୍ଷ ଜୁନ ମାସରେ ସେ ପିଭି ନରସିହ୍ମ ରାଓଙ୍କ ସରକାରରେ କେନ୍ଦ୍ର ଅର୍ଥମନ୍ତ୍ରୀ ହୋଇଥିଲେ। ଏଥିରେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ସେ ଅର୍ଥମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିଲେ। ସେତେବେଳେ ଦେଶରେ ବ୍ୟାପକ ଆର୍ଥିକ ସୁଧାର ହୋଇଥିଲା। 

ଅର୍ଥମନ୍ତ୍ରୀ ଭାବେ ୨୪ ଜୁଲାଇ ୧୯୯୧ ମସିହାରେ ସେ ପ୍ରଥମ ବଜେଟ୍ ଉପସ୍ଥାପନ କରିଥିଲେ। ଏହି ବଜେଟ୍ ଦେଶରେ ଅର୍ଥନୈତିକ ଉଦାରୀକରଣର ମୂଳଦୁଆ ଭାବରେ ବିବେଚନା କରାଯାଏ। ମନମୋହନଙ୍କ ଏହି ବଜେଟର ୩୦ ବର୍ଷର ପୂର୍ତ୍ତି ଅବସରରେ ଭାଷଣ ଦେଇ କହିଥିଲେ ଯେ ୩୦ ବର୍ଷ ପୂର୍ବେ ୧୯୯୧ରେ କଂଗ୍ରେସ ଦଳ ଭାରତର ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଆରମ୍ଭ କରିଥିଲା ଏବଂ ଦେଶର ଅର୍ଥନୈତିକ ନୀତି ପାଇଁ ଏକ ନୂଆ ପଥ ପରିଷ୍କାର କରିଥିଲା।

ରାଜନୈତିକ କ୍ଷେତ୍ରରେ ବେଶ ସଫଳ ହୋଇଥିବା ମନମୋହନ ସିଂହ ଶିକ୍ଷା କ୍ଷେତ୍ରରେ ମଧ୍ୟ ଖୁବ୍ ମେଧାବୀ ଥିଲେ। ପଞ୍ଜାବ ବିଶ୍ୱ ବିଦ୍ୟାଳୟରୁ ଉଭୟ ବିଏ ଓ ଏମ୍‌ଏର ଟପର ହୋଇଥିଲେ ମନମୋହନ। ଏହାପରେ କ୍ୟାମ୍ବ୍ରିଜ୍ ୟୁନିଭର୍ସିଟିରେ ପାଠ ପଢ଼ିଥିଲେ। ଏବଂ ପରେ ଲଣ୍ଡନର ଅକ୍ସଫୋର୍ଡ ୟୁନିଭର୍ସିଟିରେ  ଡି ଫିଲ୍ କରିଥିଲେ। ଭାରତର ଅର୍ଥନୀତିରେ ଉଦାରୀକରଣ ନୀତି ଆଣି ଘରୋଇ କରଣ କରିବା ଓ ଗ୍ଲୋବାଲାଇଜେସନ କରିବାରେ ମନମୋହନ ସିଂହ ପ୍ରମୁଖ ଭୂମିକା ରହିଛି।

ମନମୋହନ ସିଂହଙ୍କ କଠିନ୍ନ ପରିଶ୍ରମ ପାଇଁ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ତାରିଫ କରି ସାରିଛନ୍ତି। ସଂସଦରେ ମନମୋହନ ସିଂହ ଦେଇଥିବା ତାଙ୍କ ଶେଷ ଭାଷଣରେ ମୋଦୀ ସରକାରଙ୍କ ଦ୍ୱାରା କରାଯାଇଥିବା ବିମୁଦ୍ରୀକରଣକୁ ସମାଲୋଚନା କରିଥିଲେ। ଏହା ସଂଗଠିତ ଓ ଆଇନଗତ ଏକ ଲୁଟ୍ ବୋଲି ସେ କହିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.