ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସତରେ କଳାରେ ସ୍ନାତକ ପାସ୍ କରିଛନ୍ତି କି ନାହିଁ, ତା’ର ବିବରଣୀ ଦେବାକୁ କେନ୍ଦ୍ରୀୟ ସୂଚନା ଆୟୋଗ (ସିଆଇସି) ୨୦୧୬ରେ ଦେଇଥିବା ଆଦେଶକୁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (DU) କୋର୍ଟରେ ଚ୍ୟାଲେଞ୍ଜ କରିଛି।
ବିଶ୍ୱ ବିଦ୍ୟାଳୟ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍ ସଚିନ ଦତ୍ତଙ୍କ ସମ୍ମୁଖରେ ହାଜର ହୋଇ ନିଜର ତର୍କ ରଖିଛନ୍ତି। ସୂଚନା ଅଧିକାର (ଆରଟିଆଇ) ଆଇନ ତୃତୀୟ ପକ୍ଷର ଜିଜ୍ଞାସା ପୂରଣ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ ବୋଲି ଶ୍ରୀ ମେହେଟ୍ଟା କହିଛନ୍ତି।
ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ରେକର୍ଡ ବିଶ୍ୱବିଦ୍ୟାଳୟଗୁଡ଼ିକ ଦ୍ୱାରା ବିଶ୍ୱସ୍ତ ଭାବରେ ରଖାଯାଇଥାଏ। ଅର୍ଥାତ୍ ସେଗୁଡ଼ିକ ସୁରକ୍ଷିତ ଅବସ୍ଥାରେ ଥାଏ। ସର୍ବସାଧାରଣ ସ୍ୱାର୍ଥ ବିନା ଅଣସମ୍ପର୍କିତ ପକ୍ଷମାନଙ୍କ ପାଇଁ ଏହା ପ୍ରକାଶ କରାଯାଇ ପାରିବ ନାହିଁ ବୋଲି ତୁଷାର ମେହତ୍ତା ଯୁକ୍ତି ବାଢ଼ିଛନ୍ତି।
ସେ କହିଛନ୍ତି ଯେ କାହାରି ବ୍ୟକ୍ତିଗତ ଜିଜ୍ଞାସାକୁ ପୂରଣ କରିବା ପାଇଁ ସୂଚନା ଅଧିକାର ଆଇନ ବ୍ୟବହାର କରାଯାଇପାରିବ ନାହିଁ। ଏପରି ବ୍ୟକ୍ତିଗତ ସୂଚନା ପ୍ରକାଶ କରିବା ଆଇନ ବିପରୀତ ହେବ ଏବଂ ପ୍ରଶାସନିକ ଦକ୍ଷତାକୁ ଦୁର୍ବଳ କରିବ ଦେବ।
ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ନାନା କଥା ଶୁଣିବାକୁ ମିଳିବା ପରେ ପ୍ରଧାନମନ୍ତ୍ରୀଙ୍କ ଯୋଗ୍ୟତା ଜାଣିବାକୁ ଏକ ଆର୍ଟିଆଇ ଫାଇଲ୍ ହୋଇଥିଲା। ୨୦୧୬ରେ ନୀରଜ ନାମକ ଜଣେ ସମାଜସେବୀ ଏରଆରଟିଆଇ ଫାଇଲ କରି ୧୯୭୮ରେ ଆର୍ଟ୍ସରେ ବିଏ ପାସ୍ କରିଥିବା ସମସ୍ତ ଛାତ୍ରଙ୍କ ତଥ୍ୟ ମାଗିଥିଲେ। ସେହି ବର୍ଷ ପିଏମ ମୋଦୀ ବିଏ ପାସ୍ କରିଥିବା ଦାବି ହେଉଛି।
ଏହାପରେ କେନ୍ଦ୍ରୀୟ ସୂଚନା ଆୟୋଗ ଦିଲ୍ଲୀ ୟୁନିଭର୍ସିଟିକୁ ସେହି ବର୍ଷର ସମସ୍ତ ଚାତ୍ରଛାତ୍ରୀ ନାଁ, ରୋଲ ନମ୍ବର ଓ ସେମାନେ ରଖିଥିବା ମାର୍କ ବିଷୟରେ ସୂଚନା ଦେବାକୁ ଆଦେଶ ଦେଇଥିଲେ। ହେଲେ ୨୦୧୭ରେ ଦିଲ୍ଲୀ ହାଇକୋର୍ଟ ସିଆଇସି ଏହି ଆଦେଶ ଉପରେ ସ୍ଥଗିତାଦେଶ ଲଗାଇଥିଲେ। ଅନ୍ୟପଟେ ଦିଲ୍ଲୀ ବିଶ୍ୱ ବିଦ୍ୟାଳୟ ଏହାକୁ ମନମାନି କହିବା ସହିତ ଏହା ଆର୍ଟିଆଇ ଆଇନର ବିପରୀତ ବୋଲି ବିରୋଧ କରିଆସୁଛି।
ଅନ୍ୟପଟେ ତୁଷାର ମେହେତା ସିଆଇସିର ନିର୍ଦ୍ଦେଶକୁ "ଅବାସ୍ତବ" ବୋଲି କହିବା ସହିତ ଏହାର ଦୂରଗାମୀ ପରିଣାମ ଖରାପ ହେବ ବୋଲି ଚେତାଇ ଦେଇଛନ୍ତି। ସେ କହିଛନ୍ତି" ଆମ ବିଶ୍ୱବିଦ୍ୟାଳୟ ୧୯୨୨ ମସିହାରୁ ସ୍ଥାପନ ହୋଇଥିବା ବେଳେ ଏପରି ହେଲେ କେହି ଜଣେ ୧୯୭୯, ୧୯୬୪ କିମ୍ବା ତା'ପୂର୍ବର ତଥ୍ୟ ଦାବି କରିପାରିବେ।"
ଅନ୍ୟପଟେ ଦିଲ୍ଲୀ ୟୁନିଭର୍ସିଟି କହିଛି ଯେ ଆର୍ଟିଆଇ ବ୍ୟବହାର କରି ଏପରି ରେକର୍ଡ ପ୍ରକାଶ ଦାବି କରିବା ନିୟମର ଉଲ୍ଲଂଘନ ହେବ। ତା’ ଛଡ଼ା ଏଥିରେ କୌଣସି ସାର୍ବଜନିକ ସ୍ୱାର୍ଥ ସାଧନ ହେବ ନାହିଁ। ସିଆଇସି ସମସ୍ତ ଛାତ୍ରଙ୍କ ତଥ୍ୟ ମାଗି ଆର୍ଟିଆଇର ଆଇନକୁ ଏକ ମଜାକ କରିଦେଇଛି। ଏହି ମାମଲାରେ ପରବର୍ତ୍ତି ଶୁଣାଣି ପାଇଁ ଅନ୍ୟ ଏକ ଦିନ ଧାର୍ଯ୍ୟ କରାଯାଇଛି।