ମଥୁରା ୦୫/୧୧: ଚରଣାମୃତ ଭାବି ଏସିରୁ ବାହାରୁଥିବା ପାଣି ପିଇଲେ ଭକ୍ତ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ମଥୁରାର ପ୍ରସିଦ୍ଧ ବାଙ୍କେ ବିହାରୀ ମନ୍ଦିରରୁ ନଜର ଆସିଛି ଏମିତି ଘଟଣା । ଏକ ଅଜବ ଦୃଶ୍ୟ ଭାଇରାଲେ ହେବାରେ ଲାଗିଛି । ସୂଚନା ଥାଉକି, ମନ୍ଦିର କାନ୍ଥରେ ସଂଲଗ୍ନ ହାତୀ ମୁହଁ ମୂର୍ତ୍ତି ପାଟିରୁ ନିର୍ଗତ ଜଳ ସଂଗ୍ରହ କରିବାକୁ ଭକ୍ତଭାବେ ଅତ୍ୟନ୍ତ ଉତ୍ସାହର ସହ ଧାଡ଼ିରେ ଠଆ ହୋଇଥିବା ନଜର ଆସିଛନ୍ତି ।
ପ୍ରଭୁ ଶ୍ରୀକୃଷ୍ଣଙ୍କ ଚରଣରୁ ନିର୍ଗତ ଏହି ପବିତ୍ର ଜଳକୁ ଶ୍ରଦ୍ଧାଳୁ ଚରଣାମୃତ ବୋଲି ବିଶ୍ୱାସ କରୁଛନ୍ତି । ଭାଇରାଲ ଭିଡିଓରେ ହାତୀ ମୂର୍ତ୍ତି ତଳେ ଭକ୍ତମାନେ କପ୍ ଧରି ରୁଣ୍ଡ ହୋଇଥିବା ନଜର ଆସିଛନ୍ତି । କିଛି ଭକ୍ତ ବୁନ୍ଦାଏ ଚରଣାମୃତ ପାଇବାକୁ ମୂର୍ତ୍ତି ତଳେ ହାତ ଦେଖାଇ ଠିଆ ହୋଇଛନ୍ତି । ପ୍ରକୃତ କଥା କିନ୍ତୁ ଭିନ୍ନ । ଶ୍ରୀକୃଷ୍ଣଙ୍କ ଚରଣାମୃତ ଭାବି ଭକ୍ତିଭାବର ସହ ପାନ କରାଯାଉଥିବା ଏହି ଜଳ ଏସିରୁ ନିର୍ଗତ ହେଉଛି । ଜଣେ ମନ୍ଦିର ପରିଦର୍ଶକ ଭିଡିଓଟି ରେକର୍ଡ କରିଛନ୍ତି ।
Serious education is needed 100%
— ZORO (@BroominsKaBaap) November 3, 2024
People are drinking AC water, thinking it is 'Charanamrit' from the feet of God !! pic.twitter.com/bYJTwbvnNK
ଏଥିରେ ସେ ଭକ୍ତଙ୍କୁ କହୁଛନ୍ତି ‘ଏହା ଏସିର ପାଣି । ଠାକୁରଙ୍କ ଚରଣାମୃତ ନୁହେଁ । ମନ୍ଦିର ପୂଜାରୀମାନେ ଏ କଥା ସ୍ପଷ୍ଟ କରିଛନ୍ତି ।’ ତେବେ ତାଙ୍କ କଥାକୁ ଅଣଦେଖା କରି ଭକ୍ତମାନେ ଏହି ଜଳକୁ ସଂଗ୍ରହ କରି ପାନ କରିବାରେ ଓ ଶରୀରରେ ସିଞ୍ଚନ କରିବାରେ ବ୍ୟସ୍ତ ରହିଲେ । ଏକ୍ସ ପ୍ଲାଟ୍ଫର୍ମରେ ଶେୟାର ହୋଇଥିବା ଏହି ଭିଡିଓର କ୍ୟାପ୍ସନରେ ଉଲ୍ଲେଖ ହୋଇଛି ‘ଗମ୍ଭୀର ଶିକ୍ଷାର ଆବଶ୍ୟକତା ରହିଛି । ଲୋକେ ଏସିରୁ ନିର୍ଗତ ପାଣିକୁ ଠାକୁରଙ୍କ ଚରଣାମୃତ ଭାବି ପିଉଛନ୍ତି!’ ଭାଇରାଲ ଭିଡିଓକୁ ୩୮ ଲକ୍ଷରୁ ଅଧିକ ଥର ଲୋକେ ଦେଖିଲେଣି ।
ଭକ୍ତଙ୍କ ଏଭଳି କାର୍ଯ୍ୟକୁ ନେଇ ଇଣ୍ଟର୍ନେଟ୍ରେ ଚର୍ଚ୍ଚା ଆରମ୍ଭ ହୋଇଛି । ଚିକିତ୍ସା ବିଶେଷଜ୍ଞ ‘ଦ ଲିଭର୍ ଡକ୍’ ଭିଡିଓ ଉପରେ ପ୍ରତିକ୍ରିୟା ଦେଇ ଏସିରୁ ନିର୍ଗତ ପାଣି ଭୟଙ୍କର ରୋଗର କାରଣ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି । ଏହା ଦ୍ୱାରା ଲେଗିଓନେଲା ନାମକ ବ୍ୟାକ୍ଟେରିଆ ଯୋଗୁ ଲେଗିଓନାରିଜ୍ ରୋଗ ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି ।