ପୁରୀ ୨।୫: ପଶ୍ଚିମବଙ୍ଗ ଦୀଘା ଠାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଦେଖାଦେଇଛି । ତେବେ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିବା ବରିଷ୍ଠ ସେବାୟତ ତଥା ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ର ପୁରୀରେ ପହଞ୍ଚିବା ପରେ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ବିଶ୍ବର ବିଭିନ୍ନ ସ୍ଥାନରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେଉଛି । ଜଗନ୍ନାଥ ମହାପ୍ରଭୁ ହେଉଛନ୍ତି ବିଶ୍ବର ଠାକୁର । ଗତ ୩୦ ତାରିଖରେ ପଶ୍ଚିମବଙ୍ଗ ଦୀଘା ଠାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହୋଇଛି । କିନ୍ତୁ ସେଠାରେ ପଥର ମୂର୍ତ୍ତି ସ୍ଥାପିତ କରାଯାଇଥିବା ବେଳେ ଏହାକୁ ମୁଁ ବିରୋଧ କରିଥିଲି । ଏଣୁ ପୁରୀରୁ ନିମ୍ବ କାଠରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ସୁଦର୍ଶନଙ୍କ ସହିତ ମାଧବଙ୍କ ମୂର୍ତ୍ତି ନିର୍ମାଣ କରାଯାଇଥିଲା । ଏହି ମୂର୍ତ୍ତିକୁ ଆମେ ଦୀଘା ଜଗନ୍ନାଥ ମନ୍ଦିରରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଜଗନ୍ନାଥ ଧାମ ହେଉଛି ଗୋଟିଏ ଧାମ ଯାହାକି ଶ୍ରୀକ୍ଷେତ୍ର ଧାମକୁ ହିଁ ବୁଝାଏ । ପ୍ରତିଟି ଜଗନ୍ନାଥ ପ୍ରେମୀ ଜଗନ୍ନାଥ ଧାମ କହିଲେ ଶ୍ରୀକ୍ଷେତ୍ରକୁ ହିଁ ଜାଣନ୍ତି । ଏଣୁ ଦୀଘା ଠାରେ ଜଗନ୍ନାଥ ଧାମ ଲେଖାଯିବା ଉଚିତ୍ ନୁହେଁ । ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଏନେଇ ମୁଁ ଅବଗତ କରାଇବି ବୋଲି ସେ ମତ ରଖିଛନ୍ତି । ଏଥିପାଇଁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ଜଗନ୍ନାଥ ଧାମ ନାମ ଲେଖାକୁ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ।
ତେବେ ବ୍ରହ୍ମ ସ୍ଥାପନ କଥା ଆଦୌ କହିନାହିଁ ବୋଲି ରାମକୃଷ୍ଣ ଦାସମହାପାତ୍ର ସ୍ପଷ୍ଟ କରିଛନ୍ତି । କୌଣସି ଗଣମାଧ୍ୟମରେ ଏନେଇ ମୁଁ ପ୍ରତିକ୍ରିୟା ରଖିନାହିଁ । ସମ୍ପୂର୍ଣ୍ଣ ଭୁଲ୍ ଖବର ପ୍ରସାରଣ କରାଯାଇଛି । କାରଣ ବ୍ରହ୍ମ ହେଉଛି ଏକ ଆଉ ସବୁ ନାସ୍ତି । ଏଣୁ ବ୍ରହ୍ମ ବିଷୟରେ ଆଲୋଚନା କରିବା ହେଉଛି ମହାପାପ । ପଥର ପ୍ରତିମୂର୍ତ୍ତି ପୂଜା ହୋଇ ପାରିବେନି ବୋଲି ମନା କରିଥିଲି। କାରଣ ବ୍ରହ୍ମ ପୁରୀରେ ଜଗନ୍ନାଥଙ୍କ ଛଡ଼ା ଆଉ କେଉଁଥିରେ ପ୍ରତିଷ୍ଠା ହୋଇପାରିବନି। ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଉଚିତ ନୁହେଁ । ଯଦି ମହାପ୍ରଭୁଙ୍କୁ ନେଇ କିଏ ରାଜନୀତି କରିବ ତେବେ ତା'କୁ ମହାପ୍ରଭୁ କେବେହେଲେ କ୍ଷମା ଦେବେନାହିଁ । ଦୀଘା ଜଗନ୍ନାଥ ମନ୍ଦିରରେ ଓଡ଼ିଶା ଓ ପଶ୍ଚିମବଙ୍ଗ ବ୍ରାହ୍ମଣ ପୂଜାର୍ଚ୍ଚନା କରୁଛନ୍ତି । ଅଦିନିଆ ରଥଯାତ୍ରାକୁ କେବେ ବି ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି ।
You Can Read:
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ତେଜିଲା ବିବାଦ : ଜଗନ୍ନାଥ ଧାମ ସେଲ୍ଫି ପଏଣ୍ଟ ଉଠାଇ ନେଲା ପ୍ରଶାସନ