ଭୁବନେଶ୍ୱର ୧୭/୦୭: ବିଜ୍ଞାପନରେ ଦୁର୍ନୀତିର ଗନ୍ଧ । କୋଟି କୋଟି ରାଜସ୍ୱ ହରାଉଛି ବିଏମ୍ସି । ୪ ଜାଗାରେ ୮୦୦୦ ବର୍ଗଫୁଟରେ ହୋର୍ଡିଂ । ସ୍ମାର୍ଟ ଜନପଥରେ ଅନୁମତି ମିଳିଥିବା ଜାଗାରୁ ଅଧିକ ବର୍ଗଫୁଟରେ ବିଜ୍ଞାପନ ମରାଯାଉଛି । ଏହି ଅର୍ଥ କାହା ପକେଟ୍କୁ ଯାଉଛି ସେ ସଂକ୍ରାନ୍ତରେ ବିଏମ୍ସି ଯାଞ୍ଚ କରୁନଥିବା ଅଭିଯୋଗ ହେଉଛି । ବାଣୀବିହାରରୁ ଶିଶୁଭବନ, ସ୍ମାର୍ଟ ଜନପଥରେ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍(ବିଏସ୍ସିଏଲ) ପକ୍ଷରୁ ବିକାଶମୂଳକ କାର୍ଯ୍ୟ କରାଯାଇଥିଲା ।
୩.୯ କିମି ଦୈଘ୍ୟ ବିଶିଷ୍ଟ ଏହି ରାସ୍ତାକୁ ପ୍ରଥମେ ନୋ ହୋର୍ଡିଂ ଜୋନ୍ କରିବାକୁ ହୋଇଥିଲା ଘୋଷଣା । କିନ୍ତୁ ପରେ ଏଠାରେ ହୋର୍ଡିଂ ମାରିବାକୁ ହୋଇଥିଲା ନିଷ୍ପତ୍ତି । ଏଥିପାଇଁ ବିଏସ୍ସିଏଲ୍ ପକ୍ଷରୁ ଘରୋଇ କମ୍ପାନି ଆହ୍ୱାନ କରିଥିଲା ଟେଣ୍ଡର । କିଛି ବର୍ଷ ବିଏସ୍ସିଏଲ୍ ଅର୍ଥ ଆଦାୟ କରିବା ପରେ ବିଏମ୍ସି ଏଥିରେ ପଶିଥିଲା । ବିଜ୍ଞାପନ ଅର୍ଥ ଆଦାୟରେ କେବଳ ବିଏମ୍ସିର ଅଧିକାର ଥିବାରୁ ଏହା ତାଙ୍କୁ ହସ୍ତାନ୍ତର କରିବାକୁ ଦାବି ଉଠିଥିଲା ।
ମେୟର ଓ କର୍ପୋରେଟର ଏହାକୁ ନିଜ ଅଧୀନକୁ ଆଣିବାକୁ ଅଡ଼ି ବସିଥିଲେ । ପରେ ଏହି କ୍ଷମତା ଆସିଥିଲା ବିଏମ୍ସି ହାତକୁ । ତେବେ ବିଏମ୍ସି ଜନପଥରୁ ରାଜସ୍ୱ ଆଦାୟ କଲା ବେଳେ ସାମ୍ନାକୁ ଆସିଛି ନୂଆ କେଳେଙ୍କାରୀ । ବିଜ୍ଞାପନ ପାଇଁ ଟେଣ୍ଡରରେ କିଛି ସର୍ତ୍ତ ରହିଥିଲା । ଏଥିରେ ସ୍ମାର୍ଟ କିଓସ୍କ ଉପରେ ବିଜ୍ଞାପନ ମାରିବାକୁ ଉଲ୍ଲେଖ ରହିଥିଲା । ଉକ୍ତ ଘରୋଇ କମ୍ପାନିକୁ ୪୭୦୦ ବର୍ଗଫୁଟରେ ବିଜ୍ଞାପନ ମାରିବାକୁ ଅନୁମତି ଦିଆଯାଇଥିଲା ।
ହେଲେ ସଂସ୍ଥା କାରସାଦି କରି ପ୍ରାୟ ୮ ହଜାରରୁ ଅଧିକ ବର୍ଗଫୁଟରେ ବିଜ୍ଞାପନ ମାରିଥିବା ନେଇ ଅଭିଯୋଗ ହୋଇଛି । ଅର୍ଥାତ ନିର୍ଦ୍ଧାରିତ ଜାଗା ଠାରୁ ପ୍ରାୟ ୨ ଗୁଣା ଜାଗାରେ ବିଜ୍ଞାପନ ମରାଯାଇଛି । ଜନପଥରେ ଥିବା ଟ୍ରାନ୍ସଫର୍ମର ଉପରେ ବିଜ୍ଞାପନ ମରାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।ଏହା ସହ କିଓସ୍କ ଉପରେ ମରାଯାଉଥିବା ବିଜ୍ଞାପନର ଅବଧି ଗତ ଫେବ୍ରୁଆରୀରୁ ସରିଲାଣି । ହେଲେ ସମୟ ବଢ଼ାଇ ବିଜ୍ଞାପନ ମରାଯାଉଛି ।
ଏହି ଦୁର୍ନୀତି ଫଳରେ ବିଏମ୍ସି କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛି । ଖାଲି ସ୍ମାର୍ଟ ଜନପଥ ନୁହେଁ । ରାଜଧାନୀର ବିଭିନ୍ନ ସ୍ଥାନରେ ଏଜେନ୍ସି ପକ୍ଷରୁ ନିର୍ଦ୍ଧାରିତ ବର୍ଗଫୁଟରୁ ଅଧିକ ଜାଗାରେ ହୋର୍ଡିଂ ମରାଯାଉଛି । ଲଲି ପପ୍ ବିଲ୍ ବୋର୍ଡରେ ବି କୌଣସି ନିର୍ଦ୍ଦିଷ୍ଟ ନିୟମ ରହୁନି । ମନଇଚ୍ଛା ବିଲ୍ ବୋର୍ଡ ମାରି ରାଜସ୍ୱ ଫାଙ୍କୁଛନ୍ତି ।
ଫଳରେ ବିଏମ୍ସିର ରାଜସ୍ୱ ହାନି ହେଉଛି । ବିଏମ୍ସି କର୍ପୋରେସନ ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା । କର୍ପୋରେଟର ମାନେ ଜନପଥରେ ଲାଗିଥିବା ହୋର୍ଡିଂର ଯାଞ୍ଚ କରିବାକୁ ଦାବି କରିଥିଲେ । ଏ ସମ୍ପର୍କରେ ବିଏମ୍ସିର ଡେପୁଟି କମିଶନର ଜନପଥରେ ଅଧିକ ଜାଗାରେ ହୋର୍ଡିଂ ଲାଗିଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।