ନୂଆଦିଲ୍ଲୀ: ରିଲିଜ୍ ପୂର୍ବରୁ ଅଡ଼ୁଆରେ ଦିଲଜିତ ଦୋସାଞ୍ଜଙ୍କ ସିନେମା ସର୍ଦ୍ଦାର ଜି-୩ । ପାକିସ୍ତାନ ଅଭିନେତ୍ରୀ ହାନିଆ ଅମୀର ଏହି ଫିଲ୍ମରେ ଅଭିନୟ କରିଥିବାରୁ ଫ୍ୟାନ୍ ଓ ସିନେମା ସଂଘ ମଧ୍ୟରେ ତୀବ୍ର ଅଶନ୍ତୋଷ ପ୍ରକାଶ ପାଇଛି। ପହଲଗାମ ଘଟଣା ପରେ ଦେଶରେ ଅସନ୍ତୋଷ ଥିବାର ଫିଲ୍ମକୁ ଭାରତରେ ରିଲିଜ୍ ନ କରିବାକୁ ପ୍ରଯୋଜନା ସଂସ୍ଥା ନିଷ୍ପତ୍ତି ନେଇଥିଲା। ହେଲେ ଏହା ସତ୍ତ୍ୱେ ବି କଳକାର ଓ ଫିଲ୍ମ ପ୍ରଯୋଜକଙ୍କୁ ବ୍ୟାନ୍ କରିବାକୁ ଯୋଜନା ଚାଲିଛି।
ଫେଡେରେସନ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏମ୍ପ୍ଲଇଜ୍ (FWICE) ସଭାପତି, ବିଏନ ତିୱାରୀ, ଇଣ୍ଡିଆ ଟୁଡେକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେମାନେ ଭାରତରେ ଦିଲଜିତ ଦୋସାଞ୍ଜ ଏବଂ ଫିଲ୍ମର ପ୍ରଯୋଜକଙ୍କୁ ବ୍ୟାନ୍ କରିବେ। ଏନେଇ ଆଧିକାରୀଙ୍କ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଶ୍ରୀ ତିୱାରୀ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ସେମାନଙ୍କର କୌଣସି ଫିଲ୍ମ ଏବଂ ପ୍ରୋଜେକ୍ଟ ଭାରତରେ ମୁକ୍ତିଲାଭ କରିବାକୁ ଅନୁମତି ଦିଆଯିବ ନାହିଁ। ଭାରତୀୟ ଫିଲ୍ମ ଶିଳ୍ପ ପକ୍ଷରୁ ଏ ନେଇ ସମ୍ପୂର୍ଣ୍ଣ ସହଯୋଗ କରାଯିବ।
ସୂଚନା ଥାଉକି, ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ ଏହି ଫିଲ୍ମଟି ଭାରତରେ ରିଲିଜ୍ ହେବ ନାହିଁ ବୋଲି ଗତକାଲି( ୨୨ଜୁନ୍ ୨୦୨୫) ଦୋସାଞ୍ଜ ତାଙ୍କ ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସୂଚନା ଦେଇଥିଲେ। ସେ ଇନଷ୍ଟାରେ ଫିଲ୍ମର ଟ୍ରେଲର ଶେୟାର କରିବା ସହ ରିଲିଜ୍ ତାରିଖ ଘୋଷଣା କରିଥିଲେ। ଟ୍ରେଲର ଶେୟାର କରି ସେ ଲେଖିଥିଲେ “"ସର୍ଦ୍ଦାର ଜୀ ୩" ୨୭ ଜୁନରେ କେବଳ ବିଦେଶରେ ମୁକ୍ତିଲାଭ କରିବ / ଫଦ ଲାଓ ଭୂନ୍ଦ ଡିଆନ୍ ଲଟାନ୍।"
ଏପ୍ରିଲ ୨୨ ତାରିଖରେ ଜାମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ଜୀବନ ଯିବା ପରେ ପାକିସ୍ତାନ ସହିତ ଭାରତ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ କରିଥିଲା। ଭାରତୀୟ ସିନେମା ଜଗତ ମଧ୍ୟ ପାକିସ୍ତାନ କଳାକାରଙ୍କ ଉପରେ ବ୍ୟାନ ଲଗାଇଥିଲା। ତେଣୁ ଏହି ଚଳଚ୍ଚିତ୍ର ଦେଶରେ ମୁକ୍ତିଲାଭ କରିବ ନାହିଁ। ସର୍ଦ୍ଦାର ଜି-୩ର ଟ୍ରେଲରର ୟୁଟ୍ୟୁବ୍ ଲିଙ୍କକୁ ମଧ୍ୟ ଭାରତରେ ଜିଓ ବ୍ଲକ୍ କରାଯାଇଛି।
ସୂଚନା ଥାଉକି ସର୍ଦ୍ଦାର ଜୀ ୩' ଏକ ହରର କମେଡି ଫିଲ୍ମ। ଏଥିରେ ଦିଲଜିତ୍ ଦୋସାଞ୍ଜ, ହାନିଆ ଆମିର ଏବଂ ନୀରୁ ବାଜୱା ଅଭିନୟ କରିଛନ୍ତି। ଟ୍ରେଲରରେ ହାନିଆ ଓ ଦିଲଜିତ ଗୁଣିଆ(ଘୋଷ୍ଟ ହଣ୍ଟର) ଭୂମିକାରେ ଅଭିନୟ କରିଛନ୍ତି। ଦୁହେଁ ମିଶି ୟୁକେର ଏକ ପୁରୁଣା କୋଠୀରୁ ଏକ ଆତ୍ମାକୁ ବାହାର କରୁଛନ୍ତି। ସୂଚନା ଥାଉକି 'ସର୍ଦ୍ଦାର ଜୀ ୩' ପୂର୍ବରୁ, FWICE 'ଅବୀର ଗୁଲାଲ୍' ନାମକ ଏକ ହିନ୍ଦୀ ଚଳଚ୍ଚିତ୍ରକୁ ମଧ୍ୟ ବ୍ୟାନ୍ କରିଛି। କାରଣ ଏଥିରେ ପାକିସ୍ତାନୀ ଅଭିନେତା ଫୱାଦ ଖାନ ଅଭିନୟ କରିଥିଲେ। ଫୱାଦ ପ୍ରାୟ ୯ ବର୍ଷ ପରେ ଭାରତୀୟ ସିନେମାକୁ ଫେରିଥିଲେ। ହେଲେ ତାଙ୍କର ଏଣ୍ଟ୍ରି ନ ହେଉଣୁ ବ୍ୟାନ୍ ହୋଇଗଲା।