ଜଳ ନମୁନାରୁ ଚିହ୍ନଟ ହେଲା କଲେରା, ବଡ଼ଚଣା ବ୍ଲକ୍‌ରେ ୬ ହୋଟେଲ ସିଲ୍ କଲା ପ୍ରଶାସନ

Published By : Prameya-News7 Bureau | June 20, 2025 IST

ଚଣ୍ଡିଖୋଲ ୨୦।୬: ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଛି ଡାଇରିଆ । ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ପରିସ୍ଥିତିରେ ବଡ଼ଚଣା ବ୍ଲକ୍‌ର ୬ ହୋଟେଲକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ । 

ସେପଟେ ଦୁଇ ଦିନ ପୂର୍ବରୁ ବଡ଼ଚଣା ବ୍ଲକ୍‌ର ଚଣ୍ଡିଖୋଲ, ବାଲିଚନ୍ଦ୍ରପୁର, ବାଲିକୁଦା ପ୍ରମୁଖ ବଜାର ମାନଙ୍କରେ ଦର୍ପଣ ତହସିଲଦାର ଚଢ଼ାଉ କରି ଖାଦ୍ୟର ମାନ ଯାଞ୍ଚ କରିଥିଲେ । ବାସି ଖାଦ୍ୟକୁ ନଷ୍ଟ କରିଥିଲେ । ବିଭିନ୍ନ ହୋଟେଲରେ ବ୍ୟବହୃତ ପାଣିର ନମୁନା ପରୀକ୍ଷା କରିବା ପାଇଁ ନିଆଯାଇଥିଲା । ୧୧ଟି ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ୬ଟି ହୋଟେଲର ପାଣିରେ କଲେରା ଚିହ୍ନଟ ହୋଇଛି । ଫଳରେ ଦର୍ପଣ ତହସିଲଦାର ପୋଲିସ ଉପସ୍ଥିତିରେ ଦୋକାନ ସିଲ୍ କରିଛନ୍ତି । ଚଣ୍ଡିଖୋଲ ଛକରେ ଥିବା ସୁଇଟ୍ ଷ୍ଟଲ୍, ବାଲିଚନ୍ଦ୍ରପୁର ଓ ବାଲିକୁଦା ଅଞ୍ଚଳରେ ଥିବା ବିଭିନ୍ନ ହୋଟେଲ ସିଲ୍ କରିଛି ପ୍ରଶାସନ ।

ଗୁରୁବାର ଧର୍ମଶାଳା ମେଡିକାଲରେ ପହଞ୍ଚି ସ୍ଥିତି ପରଖିଥିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ । ଧର୍ମଶାଳା ମେଡିକାଲରେ ୪୦ରୁ ଉର୍ଦ୍ଧ୍ବ ରୋଗୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ମନ୍ତ୍ରୀ ସେଠାରେ ପହଞ୍ଚି ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ । ରୋଗୀ ମାନଙ୍କୁ ସଠିକ୍ ଚିକିତ୍ସା ଦିଆଯାଉଛି କି ନାହିଁ ସେନେଇ ରୋଗୀ ଓ ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ସେଣ୍ଟ୍ରାଲ ଟିମ୍, ରାଜ୍ୟ ଟିମ୍ ବିଭିନ୍ନ ସ୍ଥାନରେ ପାଣିର ଉତ୍ସ ଯାଞ୍ଚ କରିଥିଲେ । ମନ୍ତ୍ରୀଙ୍କ ସହ ଧର୍ମଶାଳା ବିଧାୟକ ଓ ସାଂସଦ ଉପସ୍ଥିତ ରହିଥିଲେ । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ମଧ୍ୟ ଧର୍ମଶାଳା ମେଡିକାଲରେ ପହଞ୍ଚି ସ୍ଥିତି ପରଖିଥିଲେ । ମେଡିକାଲ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । 

ଡାଇରିଆ ସ୍ଥିତି ପାଇଁ ଯାଜପୁର ଜିଲ୍ଲା ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଆସନ୍ତା ୨୪ ତାରିଖ ଯାଏଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୫ରୁ ଖୋଲିବ ସମସ୍ତ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର । ଏହି ସମୟରେ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ପରିମଳ ବ୍ୟବସ୍ଥା ଉପରେ ନଜର ଦେବେ । ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ମାନଙ୍କରେ ଡିସ୍‌ଇନ୍ଫେକ୍ସନ କରାଯିବା ସହ ମଧ୍ୟାହ୍ନ ଭୋଜନ ଓ ପାଣି ଉପରେ ଅଧିକ ଗୁରୁତ୍ବ ଦେବେ । ଏହାସହ ସ୍କୁଲ ମାନଙ୍କରେ ସାନିଟାରୀ କରିବା ସହ ସମସ୍ତ ସ୍କୁଲକୁ ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ରେଡ୍ଡୀ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିବା ଜିଲ୍ଲାପାଳ କହିଥିଲେ । 

ସେପଟେ ଜିଲ୍ଲାରେ ଏବେ ସୁଦ୍ଧା ୧୫୮ ଜଣ ବିଭିନ୍ନ ଚିକିତ୍ସାଳୟ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି  ଆକ୍ରାନ୍ତ ହୋଇଥିବା ରୋଗୀ । ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ୧୬ ଜଣ କଲେରା ପଜିଟିଭି ଚିହ୍ନଟ ହୋଇଛନ୍ତି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂତନ ଭାବେ ୩ ରୋଗୀ ଚିକିତ୍ସିତ ପାଇଁ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ଭୋଜି ଓ ପାନୀୟ ଜଳ ଲାଗି ଏହା ସଂକ୍ରମିତ ହୋଇଥିବା ବେଳେ ଜିଲ୍ଲାରେ  ବେଆଇନ ଭାବେ ଚାଲୁଥିବା  ପାଣି କାରଖାନା   ଓ ଅପମିଶ୍ରିତ ଖାଦ୍ୟ ବିକ୍ରି କରୁଥିବା ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

You Can Read:

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ବିଭିନ୍ନ ଠିକଣାରେ ଦ୍ୱିତୀୟ ଦିନରେ ରେଡ୍, ଆୟକର ବିଭାଗର ଛାନ୍‌ଭିନ୍

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.