ତୁର୍କି ଇସ୍ତାନାବୁଲରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

Published By : Prameya-News7 Bureau | April 23, 2025 IST

ଇସ୍ତାନାବୁଲ ୨୩।୪: ତୁର୍କି ଇସ୍ତାନାବୁଲରେ ବୁଧବାର ଭୂମିକମ୍ପ ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ ୩ଟା ୧୯ ମିନିଟରେ ଅନୂଭୂତ ହୋଇଥିବା କମ୍ପନର ତୀବ୍ରତା ରିକ୍ଟର ସ୍କେଲରେ ୬.୨ ମପା ଯାଇଛି। କମ୍ପନ ଅନୁଭୂତ ହେବାମାତ୍ରେ ଲୋକେ ଘରୁ ପଦାକୁ ଚାଲିଆସିଥିଲେ। ଦିନବେଳା କମ୍ପନ ଅନୁଭୂତ ହେବା ବେଳେ ଅନେକ ଲୋକେ କାର୍ଯ୍ୟାଳୟରେ ଥିଲେ। ସେମାନେ ମଧ୍ୟ ଦପ୍ତର ଛାଡି ବାହାରକୁ ଚାଲି ଆସିଥିବା ଦେଖାଯାଇଛି। 

ଏହି ଭୂମିକମ୍ପ ଭୂ-ପୃଷ୍ଠରୁ ୧୦ କିଲୋମିଟର ଗଭୀରତାରେ ସୃଷ୍ଟି ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ଇସ୍ତାନାବୁଲରୁ ଦକ୍ଷିଣ-ପଶ୍ଚିମରେ ପାଖାପାଖି ୪୦ କିଲୋମିଟର ଦୂର ମରମରା ସାଗରରେ ଥିଲା। ତୁର୍କିରେ ହୋଇଥିବା ଭୂମିକମ୍ପର ପ୍ରଭାବ ପଡୋଶୀ ଦେଶମାନଙ୍କରେ ମଧ୍ୟ ଅନୁଭୂତ ହୋଇଛି। କମ୍ପନ ଅନୁଭୂତ ହେବାମାତ୍ରେ ଲୋକେ ଆତଙ୍କିତ ହୋଇପଡିଥିଲେ। ଏହି ଭୂମିକମ୍ପର କ୍ଷୟକ୍ଷତି ନେଇ ଅଚାନକ ସୂଚନା ଆସି ନାହିଁ। ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଭୂମିକମ୍ପର ତୀବ୍ରତା ଏତେମାତ୍ରାରେ ଥିଲା ଯେ ବିଲ୍ଡିଂସବୁ ଦୋହଲିବାରେ ଲାଗିଥିଲେ। 

ଭୂମିକମ୍ପ ହେବାମାତ୍ରେ ଲୋକେ ଚିତ୍କାର କରି ଘରୁ ପଦାକୁ ବାହାରିବାକୁ ଲାଗିଥିଲେ। ଇସ୍ତାନାବୁଲ , ଅଙ୍କାରା ଓ ଇଜମିର ଭଳି ବଡ଼ ସହରାଞ୍ଚଳ ମାନଙ୍କରେ କମ୍ପନ ଅନୁଭୂତ ହୋଇଥିବା ଜଣାପଡିଛି। ଏ ପର୍ଯ୍ୟନ୍ତ ଭୂମିକମ୍ପ ଯୋଗୁ କୌଣସି ଠାରେ ଧନଜୀବନ ହାନୀର ସୂଚନା ମିଳି ନାହିଁ। ହେଲେ ଅଧିକାରୀମାନେ କେତେକ ପୁରୁଣା ବିଲ୍ଡିଂରେ ଭୂମିକମ୍ପ ଯୋଗୁ ଫାଟ ପଡିଯାଇଥିବା କହିଛନ୍ତି।  ତୁର୍କିୟେ ଦୁଇଟି ମୁଖ୍ୟ ଫଲ୍ଟ ଲାଇନ ମଝିରେ ରହିଛି। ଏଣୁ ଏଠାରେ ପ୍ରାୟତଃ ଭୂମିକମ୍ପ ଅନୁଭୂତ ହୋଇଥାଏ। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ୬ ଫେବୃଆରୀ ୨୦୨୩ରେ ତୁର୍କିୟେରେ ୭.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଫଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେତେବେଳେ ଗୋଟିଏ ପରେ ଗୋଟିଏ ଦୁଇଟି ବଡ଼ ଭୂମିକମ୍ପ ହୋଇଥିଲା।    

  • prameyanews7
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.