ନୂଆଦିଲ୍ଲୀ ୦୫/୧୨: ମନି ଲଣ୍ଡରିଂ ମାମଲାରେ ବଢିବାରେ ଲାଗିଛି IAS ସଂଜୀବ ହଂସଙ୍କ ଅଡୁଆ । ଦିଲ୍ଲୀ, ଗୁରୁଗାଓଁ, କୋଲକାତା, ଜୟପୁର ଏବଂ ନାଗପୁରର ୧୩ଟି ସ୍ଥାନରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢାଉ କରିଛି। ସଞ୍ଜୀବ ହଂସଙ୍କ ଘନିଷ୍ଠ ସହଯୋଗୀ ତଥା ରିଅଲ୍ ଇଷ୍ଟେଟ୍ ଏବଂ ସେବା କ୍ଷେତ୍ରରେ ଜଡିତ ଅନ୍ୟ ଠିକଣାରେ ବି ଚଢାଉ ହୋଇଛି ।
ଇଡି ଯାଞ୍ଚରୁ ଜଣାପଡିଛି ଯେ ବିହାର ସରକାରରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବାବେଳେ ସଞ୍ଜୀବ ହଂସ ଦୁର୍ନୀତି ମାଧ୍ୟମରେ ଟଙ୍କା ରୋଜଗାର କରିଥିଲେ । ଏଥିସହିତ ଗୁଲାବ ଯାଦବ ଏବଂ ଅନ୍ୟ ସହଯୋଗୀମାନେ ସଞ୍ଜୀବ ହଂସଙ୍କୁ ସାହାଯ୍ୟ କରିଥିଲେ । ଦୁର୍ନୀତି ମାଧ୍ୟମରେ ଉପାର୍ଜିତ ଟଙ୍କା ହେରଫେର କରିବାରେ ତାଙ୍କୁ ସାହାଯ୍ୟ କରିଥିଲେ । ଏହି କାରଣରୁ ୩ ଡିସେମ୍ବରରେ ୧୩ଟି ସ୍ଥାନରେ ଚଢାଉ କରାଯାଇଥିଲା ।
ଏହି ଚଢାଉ ସମୟରେ ସଞ୍ଜୀବ ହଂସଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ପରିବାର ସଦସ୍ୟଙ୍କ ନୂତନ ଖୋଲାଯାଇଥିବା ଡେମାଟ ଆକାଉଣ୍ଟରେ ୬୦ କୋଟି ଟଙ୍କା ମୂଲ୍ୟର ସେୟାର ମିଳିଛି। ଏଥିସହ ତାଙ୍କ ଘର ଭିତରୁ ୭୦ଟି ବ୍ୟାଙ୍କ ଆକାଉଣ୍ଟ୍ରେ ସବିଶେଷ ତଥ୍ୟ ଉଦ୍ଧାର କରାଯାଇଛି । ଯାହା ଅପରାଧର ଆୟ ଲୁଚାଇବା ପାଇଁ ବ୍ୟବହୃତ ହୋଇଥିବା ଜଣାପଡିଛି । ସେ ରିଅଲ ଇଷ୍ଟେଟରେ ପ୍ରାୟ ୧୮ କୋଟି ଟଙ୍କା ବିନିଯୋଗ କରିଥିଲେ । ଏହି କାରବାରରେ ବିପୁଳ ନଗଦ ଲୁଚାଇବାର ପ୍ରମାଣ ମଧ୍ୟ ମିଳିଥିଲା।