ବର୍ମିଂହାମର ଏଜବାଷ୍ଟନରେ ୫୦ ବର୍ଷର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ ଜୟସ୍ୱାଲ୍

Published By : Prameya-News7 Bureau | July 02, 2025 IST

indiatoday

ନୂଆଦିଲ୍ଲୀ: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ୫୦ ବର୍ଷର ରେକର୍ଡ ଭାଙ୍ଗିଲେ ଯଶସ୍ୱୀ ଜୟସ୍ୱାଲ୍। ଭାରତୀୟ ଓପନର ଭାବେ ଏହି ପଡ଼ିଆରେ ସର୍ବାଧିକ ସ୍କୋର କରି ଜୟସ୍ୱାଲ୍ ରେକର୍ଡ କରିଛନ୍ତି। ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୨୩ ବର୍ଷୀୟ ଯଶସ୍ୱୀ ମଧ୍ୟାହ୍ନ ଭୋଜନ ପରେ ୧୦୭ ବଲ୍‌ରେ ୧୩ ଚୌକା ସହ ୮୭ ରନ୍ କରିଥିଲେ। ଯାହା ଟେଷ୍ଟ ମ୍ୟାଚ୍‌ରେ ଏହି ପଡ଼ିଆରେ କୌଣସି ଭାରତୀୟ ଓପନରଙ୍କର ସର୍ବାଧିକ ସ୍କୋର୍ ଥିଲା। ଏହା ପୂର୍ବରୁ ୧୯୭୪ ଜୁଲାଇ ମାସରେ ସୁଧୀର ନାୟକ ମାଇକ୍ ଡେନେସଙ୍କ ଇଂଲଣ୍ଡ ଟିମ ବିପକ୍ଷରେ ୧୬୫ ବଲରେ ୭୭ ରନ୍ କରିଥିଲେ। ଲଞ୍ଚ ପରେ ଜୟସ୍ୱାଲ୍ ଏହି ରେକର୍ଡ ନିଜ ନାଁରେ କରିବା ପରେ ବେନ୍‌ ଷ୍ଟୋକ୍‌ଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ।

ବର୍ମିଂହାମ ଟେଷ୍ଟରେ ଭାରତୀୟ ଓପନରଙ୍କ ସର୍ବାଧିକ ସ୍କୋର

୨୦୨୫ରେ ଯଶସ୍ୱୀ ଜୟସ୍ୱାଲ - ୮୭
୧୯୭୪ ରେ ସୁଧୀର ନାୟକ – ୭୭
୧୯୭୯ ରେ ସୁନୀଲ ଗାଭାସ୍କର – ୬୮
୨୦୨୨ରେ ଚେତେଶ୍ୱର ପୂଜାରା - ୬୬
୧୯୭୯ ରେ ସୁନୀଲ ଗାଭାସ୍କର – ୬୧

ଟେଷ୍ଟରେ ଜୟସ୍ୱାଲ୍‌ଙ୍କ ଫର୍ମ ଭଲ ରହିଛି। ଆଜି ତାଙ୍କ ପାଖରେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୨୦୦୦ ରନ ପୂରା କରିବାର ସୁଯୋଗ ମଧ୍ୟ ଥିଲା, କିନ୍ତୁ ସେ ଏଥିରୁ ଅଳ୍ପକେ ବଞ୍ଚିତ  ହୋଇଥିଲେ। କିନ୍ତୁ ଯଦି ସେ ଦ୍ୱିତୀୟ ଇନିଂସରେ ମାତ୍ର ୧୦ ରନ କରିବେ ତେବେ  ସେ ଏହି ରେକର୍ଡ ହାସଲ କରିନେବେ। ଏହି ରେକର୍ଡ ବର୍ତ୍ତମାନ ମିଳିତ ଭାବରେ ବୀରେନ୍ଦ୍ର ସେହୱାଗ ଏବଂ ରାହୁଲ ଦ୍ରାବିଡଙ୍କ ନାଁରେ ରହିଛି। ଉଭୟ କିମ୍ବଦନ୍ତୀ ଖେଳାଳି ୪୦ ଇନିଂସରେ ଏହି ସଫଳତା ହାସଲ କରିଥିଲେ।
ଟେଷ୍ଟ ମ୍ୟାଚ୍‌ରେ ଜୟସ୍ୱାଲ ଲଗାତର ଭଲ ପ୍ରଦର୍ଶନ କରୁଛନ୍ତି। ପ୍ରଥମ ଟେଷ୍ଟରେ ସେ ଜବରଦସ୍ତ ଇନିଂସ ଖେଳି ୧୫୯ ବଲରୁ ୧୦୧ ରନ କରିଥିଲେ। ୧୬ ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ତେବେ ଦ୍ୱିତୀୟ ଇନିଂସରେ ମାତ୍ର ୪ ରନ୍ କରି ଆଉଟ୍ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.