ନିଜ ଜାଲରେ ଫସିବେ ଟ୍ରମ୍ପ,ଟ୍ରାକ୍‌ ଚେଞ୍ଜ୍ କଲା ଭାରତ: ଚୁପଚାପ ଚାଲିଛି ମାଷ୍ଟର ପ୍ଲାନ୍

Published By : Prameya-News7 Bureau | August 02, 2025 IST

internet

ନୂଆଦିଲ୍ଲୀ: ଡିଲ୍ ଫାଇନାଲ ହେଇନି, ହେଲେ ଫେଲ୍ ହେଲାଣି ସମ୍ପର୍କ। ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତିକୁ ନେଇ ଆଲୋଚନା ଅଧା ବାଟରେ ଥିବାବେଳେ ଅଚାନକ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଲଦିଛନ୍ତି ୨୫% ଶୁଳ୍କ। ଯାହା ଅଗଷ୍ଟ ୭ରୁ ଲାଗୁ ହେବ। ପୂର୍ବ ଅପେକ୍ଷା ୧୦ ଗୁଣା ଶୁଳ୍କ ବୃଦ୍ଧି କରିଛନ୍ତି ଟ୍ରମ୍ପ। କେବଳ ଟାରିଫ ନୁହେଁ, ଭାରତ ଋଷ ସହ ବ୍ୟବସାୟ କରୁଥିବାରୁ ଜରିମାନା ବି ଆଦାୟ କରିବାକୁ ଧମକ ଦେଇଛନ୍ତି। ଟ୍ରମ୍ପଙ୍କର ଏହି ଅଚାନକ ହମଲା ପରେ ଭାରତର ପ୍ରାୟ ୮୭ ବିଲିୟନ ଡଲାର ରପ୍ତାନି ବିପଦରେ ପଡ଼ି ଯାଇଛି। ପଢ଼ନ୍ତୁ ବିଜନେଶ ବିଶେଷର ସ୍ପେଶାଲ ରିପୋର୍ଟ।


ରୁଷ ସହିତ ବ୍ୟବସାୟିକ ସମ୍ପର୍କ ଯୋଗୁ ଆମେରିକାର ଆକ୍ରୋଶର ଶିକାର ହୋଇଛି ଭାରତ। ଟ୍ରମ୍ପ ଲଗାଇଲେ ୨୫ ପ୍ରତଶତ ଶୁଳ୍କ। ପୂର୍ବରୁ ହାରାହାରି ଶୁଳ୍କ ୨.୪% ଥିଲା, ହେଲେ ଏଥିରେ ୧୦ ଗୁଣା ବୃଦ୍ଧି କରିଛନ୍ତି ଟ୍ରମ୍ପ। ଟ୍ରମ୍ପଙ୍କ ଟାରିଫକୁ ବିଭିନ୍ନ ଆଙ୍ଗଲରେ ଦେଖାଯାଉଛି। ଏହା ତାଙ୍କର ବ୍ୟବସାୟିକ ନୀତି ନୁହେଁ, ବଂର ଚାପ ପକାଇବାର ଏକ ଉଦ୍ୟମ ବୋଲି କହିଛନ୍ତି ଅର୍ଥନୀତିଜ୍ଞ। ବାଣିଜ୍ୟ ଡିଲ୍ ପାଇଁ ଅଗଷ୍ଟ ୨୫ ତାରିଖରେ ଭାରତ ଆସୁଛନ୍ତି ଆମେରିକା ପ୍ରତିନିଧି ଦଳ। ତା’ ପୂର୍ବରୁ ଏଭଳି ଆଟାକ୍ କରି ଭାରତକୁ ପାନିକ୍ କରାଇବାକୁ ଆମେରିକା ଚାହୁଁଛି। ସେହିପରି ଋଷ ସହ ସମ୍ପର୍କ ବିଗାଡ଼ି ନିଜେ ଫାଇଦା ନେବାକୁ ଚାହୁଁଛି।

ରୁଷଠାରୁ ଭାରତର ତୈଳ ଏବଂ ଅସ୍ତ୍ରଶସ୍ତ୍ର କ୍ରୟକୁ ବିରୋଧ କରିଆସୁଛନ୍ତି ଟ୍ରମ୍ପ। ୟୁକ୍ରେନ୍ ଯୁଦ୍ଧ ରୋକିବା ଆଳରେ ଯେମିତି ଭାରତ ଋଷ ଠାରୁ ସାମଗ୍ରୀ ନ କିଣି ଆମେରିକା ଠାରୁ ଅଧିକ ସାମଗ୍ରୀ କିଣିବ ତାହା ହିଁ ଟ୍ରମ୍ପଙ୍କର ଟାର୍ଗେଟ୍। କାରଣ ୟୁରୋପୀୟ ସଂଘ ଏବଂ ବ୍ରିଟେନ୍‌, ଇଣ୍ଡୋନେସିଆ, ଫିଲିପାଇନ୍ସ ଏବଂ ଭିଏତ୍‌ନାମ ଭଳି ରାଷ୍ଟ୍ରଗୁଡ଼ିକ ଅପେକ୍ଷା ଭାରତ ଉପରେ ଟ୍ରମ୍ପ ଅଧିକ ଶୁଳ୍କ ଲଗାଇଛନ୍ତି । ତେବେ ଚୀନ୍‌ ଉପରେ ଲାଗିଥିବା ୩୦% ଶୁଳ୍କ ତୁଳନାରେ ଏହା କମ୍‌ ରହିଛି। ପରୋକ୍ଷରେ କହିବାକୁ ଗଲେ ଆମେରିକାର ଶତ୍ରୁ ଟାର୍ଗେଟ୍‌ରେ ଚୀନ ପରେ ଏବେ ଦ୍ୱିତୀୟରେ ରହିଛି ଭାରତ। 

ତେବେ ନୂଆ ବିଜ୍‌ନେସ ଡିଲ୍‌ରେ ଭାରତ ଠାରୁ ଆହୁରି କଣ ଚାହୁଁଛି ଆମେରିକା ? ଆସନ୍ତୁ ଜାଣିବା। ଆମେରିକା ଭାରତ ସହିତ ଯେଉଁ ନୂଆ ବାଣିଜ୍ୟ ଚୁକ୍ତି କରିବାକୁ ଚାହୁଁଛି ତାହା ସମ୍ପୂର୍ଣ୍ଣ ଅସନ୍ତୁଳିତ ଓ ଏକପାଖିଆ ବୋଲି କହିଛନ୍ତି ରଣନୈତିକ ବ୍ୟାପାର ବିଶେଷଜ୍ଞ ବ୍ରହ୍ମା ଚେଲାନି। ଆମେରିକା ମିଡିଆରେ ପ୍ରକାଶ ପାଉଥିବା ରିପୋର୍ଟକୁ ଆଧାର କରି ସେ ଏକ୍ସରେ ଲେଖିଛନ୍ତି ଯେ ନୂଆ ବାଣିଜ୍ୟ ଚୁକ୍ତିରେ ଆମେରିକା ଫିଲିପାଇନ୍ସ ଓ ଭିଏତନାମ ଓ ଇଣ୍ଡୋନେସିଆ ଭଳି ଭାରତ ଉପରେ ୧୯-୨୦ ପ୍ରତିଶତ ଶୁଳ୍କ ଲଗାଇବାକୁ ଚାହୁଁଛି। ସେମାନଙ୍କ ଭଳି ଭାରତ ଏହାକୁ ଗ୍ରହଣ କରୁ ଓ ଆମେରିକାର ଅଧିକାଂଶ ସାମଗ୍ରୀ ଉପରେ ଭାରତ ଆଦୌ ଶୁଳ୍କ ନ ଲଗାଉ। ସେହିପରି ଭାରତ ଆମେରିକା ପାଇଁ ଏହାର କୃଷି ଏବଂ ଦୁଗ୍ଧ ବଜାର ଖୋଲି ଦେଉ, ବାର୍ଷିକ ୧୦ ବିଲିଅନ ଡଲାରରୁ ବି ଅଧିକ ଏନର୍ଜି ପ୍ରଡକ୍ଟ କିଣୁ,ଋଷ ବଦଳରେ ଆମେରିକା ଠାରୁ ଯୁଦ୍ଧାସ୍ତ୍ର କିଣୁ ବୋଲି ଆମେରିକା ଦାବି କରିଛି। ଯାହାକୁ ସମ୍ପୂର୍ଣ୍ଣ ଏକପାଖିଆ ବୋଲି ବ୍ରହ୍ମା ଚେଲାନୀ କହିଛନ୍ତି। ଭାରତକୁ ଏହସିବୁ ପାଇଁ ବାଧ୍ୟ କରିବାକୁ ଆମେରିକା ଡିଲ୍ ପୂର୍ବରୁ ଶୁଳ୍କ ବୋମା ଫିଙ୍ଗି ଚାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି। 

ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଗାଇବା ପରେ ଭାରତ ଉପରେ ଏହାର କେତେ ପ୍ରଭାବ ପଡ଼ିବ ସେ ନେଇ ବିଭିନ୍ନ ଏଜେନ୍ସି ଆକଳନ କରିଛନ୍ତି। ଟ୍ରମ୍ପଙ୍କର ଟାରିଫ ବୋମା ଭାରତର ଅର୍ଥନୀତିରେ ସେତେବଡ଼ ପ୍ରଭାବ ପକାଇ ପାରିବ ନାହିଁ ବୋଲି କିଛି ସଂସ୍ଥା ଆକଳନ କରିଛନ୍ତି।

ଟ୍ରମ୍ପଙ୍କ ଟାରିଫରେ ଭାରତର ଅଟୋମୋବାଇଲ ଠାରୁ ଆରମ୍ଭ କରି ଅଟୋ ଯନ୍ତ୍ରାଂଶ, ଇସ୍ପାତ, ଆଲୁମିନିୟମ୍‌, ସୋଲାର ମଡ୍ୟୁଲ୍‌, ସାମୁଦ୍ରିକ ଉତ୍ପାଦ, ଗହଣା, ରତ୍ନପଥର, ନିର୍ଦ୍ଦିଷ୍ଟ ପ୍ରକ୍ରିୟାକରଣ ଖାଦ୍ୟ ପଦାର୍ଥ ଏବଂ କୃଷି ଆଦି ଭାରତର ପ୍ରମୁଖ ରପ୍ତାନି କ୍ଷେତ୍ର ପ୍ରଭାବିତ ହେବା ନେଇ ଅନୁମାନ କରାଯାଉଛି। ତେବେ ଫାର୍ମା, ସେମିକଣ୍ଡକ୍ଟର ଏବଂ ଜରୁରୀ ଖଣିଜ ପଦାର୍ଥ, ସ୍ମାର୍ଟଫୋନ୍, କମ୍ୟୁଟର ଆଦିକୁ ୨୫% ଟାରିଫ୍‌ରୁ ବାହାରେ ରଖାଯାଇଛି। 

ବୟନ ଏବଂ ପୋଷାକ ସେଗ୍‌ମେଣ୍ଟରେ ଭାରତର ମୋଟ୍‌ ରପ୍ତାନିରେ ଆମେରିକାର ଅଂଶ ପ୍ରାୟ ୨୮% ରହିଛି। ଏଭଳି କ୍ଷେତ୍ରରେ ଭାରତ ଉପରେ ଉଚ୍ଚ ଟାରିଫ୍‌ର ଲାଭ ଉଠାଇପାରନ୍ତି ବାଂଲାଦେଶ ଏବଂ ଭିଏତ୍‌ନାମ ଭଳି ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର। କାରଣ ସେମାନଙ୍କ ଉପରେ ଭାରତ ଅପେକ୍ଷା କମ ଶୁଳ୍କ ଲାଗିଛି। ଆମେରିକାକୁ ଏକ ତୃତୀୟାଂଶ ଗହଣା ଏବଂ ରତ୍ନପଥର (ପାଖପାଖି ୧୦ ବିଲିୟନ୍‌ ଡଲାର୍‌) ରପ୍ତାନି କରିଥାଏ ଭାରତ । ତେଣୁ ଏ କ୍ଷେତ୍ର ପାଇଁ ଆହ୍ୱାନ ଦେଖା ଦେଇଛି। 

ଭାରତ ଗହଣା ଶିଳ୍ପର ମୋଟ ରପ୍ତାନିରେ ଆମେରିକାର ଭାଗ ୩୦% ରହିଛି। ତେବେ ବିଭିନ୍ନ ଏଜେନ୍ସି କିନ୍ତୁ ଟ୍ରମ୍ପଙ୍କ ଟାରିଫ ନେଇ କ୍ଷତିର ଆକଳନ ହ୍ରାସ କରିଛନ୍ତି। ICRA, Nomura, ଏବଂ ANZ ର ଆକଳନ ଅନୁଯାୟୀ, ଏହା ଭାରତର ଜିଡିପି ଉପରେ ସାଧାରଣ ପ୍ରଭାବ ପକାଇବା।   ପ୍ରାୟ ୦.୨ ରୁ ୦.୪ ପ୍ରତିଶତ ପ୍ରଭାବ ପଡ଼ିପାରେ। ଭାରତ ବାର୍ଷିକ ପ୍ରାୟ ୮୭ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ ଆମେରିକାକୁ ରପ୍ତାନି କରେ - ଏହାର ମୋଟ GDP ର ମାତ୍ର ୨ ରୁ ୩%। 

ତେବେ ଆମେରିକା ସହ ଭାରତର ବାଣିଜ୍ୟ ସ୍ଥିତି ଯଦି ଦେଖିବା -୨୦୨୪-୨୫ ଆଥିକ ବର୍ଷରେ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବ୍ୟାପାର ୧୩୧.୮୪ ବିଲିୟନ ଡଲାରରେ ପହଞ୍ଚିଛି। ଆମେରିକାକୁ ଭାରତର ରପ୍ତାନି ୮୬.୫୧ ବିଲିୟନ ଡଲାର ଥିବାବେଳେ ସେଠାରୁ ଦେଶକୁ ଆମଦାନି ହୋଇଛି ୪୫.୩୩ ବିଲିୟନ ଡଲାର ମୂଲ୍ୟର ସାମଗ୍ରୀ। କ୍ରମାଗତ ଚତୁର୍ଥ ବର୍ଷ ପାଇଁ ଭାରତର ସର୍ବବୃହତ୍‌ ବ୍ୟବସାୟିକ ସହଯୋଗୀ ରହିଛି ଆମେରିକା । ଅନ୍ୟପଟେ ଏସ୍‌ବିଆଇ ରିସର୍ଚ୍ଚ ରିପୋର୍ଟରେ ଟ୍ରମ୍ପଙ୍କ ଶୁଳ୍କ ଆମେରିକା ପାଇଁ ବୁମେରାଂ ହେବ ବୋଲି କୁହାଯାଇଛି। ଏସ୍‌ବିଆଇ କହିଛି ଏହା ଆମେରିକାର ସବୁଠାରୁ ‘ଖରାପ ବାଣିଜ୍ୟ ନୀତି’। କାରଣ ଏହା ଦ୍ୱାରା ଆମେରିକାର ଘରୋଇ ମୁଦ୍ରାସ୍ଫୀତି ବଢ଼ିବ। ଏଥିରେ ଆମେରିକାର ଉପଭୋକ୍ତା ପ୍ରଭାବିତ ହେବେ। 

ଏବେ ଆସିବା ଟ୍ରମ୍ପ କହିଥିବା ମୃତ ଅର୍ଥନୀତିର ବିବାଦକୁ। ଯାହାକୁ ନେଇ ଦେଶରେ ପ୍ରବଳ ହୋହଲ୍ଲା। ଡୋନାଲ୍ଡ ଟ୍ରମ୍ପ ଭାରତକୁ ମୃତ ଅର୍ଥନୀତି କହିବା ପରେ ଏହାକୁ ନେଇ ରାଜନୀତି ଜୋର୍ ଧରିଛି। ବିରୋଧୀ ଏହାକୁ ସତ କହୁଥିବା ବେଳେ ଶାସକ ଟ୍ରମ୍ପଙ୍କୁ ଜବାବ ଦେବା ବଦଳରେ ରାହୁଲଙ୍କୁ ଟାର୍ଗେଟ୍ କରିଛନ୍ତି। ଏଭଳି ଟଣାଓଟରା ଭିତରେ ବାସ୍ତବ କଥାଟା କଣ ଆସନ୍ତୁ ଜାଣିବା। ପ୍ରକୃତରେ ଭାରତ ଆମେରିକାକୁ ୪ ପ୍ରମୁଖ ସାମଗ୍ରୀ- ଔଷଧ, ବୟନ, ଇଲେକ୍ଟ୍ରିକାଲ୍ସ ଏବଂ ଇଲେକ୍ଟ୍ରୋନିକ୍ସ ଓ ଅଳଙ୍କାର ଆଦି ରପ୍ତାନୀ କରୁଛି। ଯାହାଆମେରିକୀୟ ଯୋଗାଣ ଶୃଙ୍ଖଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଔଷଧ, ବୟନ ଏବଂ ଅଳଙ୍କାର କ୍ଷେତ୍ରରେ ଆମେରିକାର ଶ୍ରେଷ୍ଠ ପାଞ୍ଚଟି ଆମଦାନୀ ରାଷ୍ଟ୍ର ମଧ୍ୟରେ ଭାରତ ସ୍ଥାନ ପାଇଛି। ସେହିପରି ଇଲେକ୍ଟ୍ରୋନିକ୍ସ ରପ୍ତାନୀ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି। 

ସିଙ୍ଗାପୁର ଟେକ୍ନୋଲୋଜୀ ମାର୍କେଟ୍ ବିଶ୍ଳେଷକ କାନାଲ୍ସ ଅନୁଯାୟୀ ' ମେଡ୍ ଇନ ଇଣ୍ଡିଆ ସ୍ମାର୍ଟଫୋନର ମୋଟ ପରିମାଣ ବର୍ଷକୁ ବର୍ଷ ୨୪୦% ବୃଦ୍ଧି ପାଇଛି। ବର୍ତ୍ତମାନ ୪୪ ପ୍ରତିଶତ ସ୍ମାର୍ଟଫୋନ୍ ଆମେରିକା ଭାରତ ଠାରୁ ଆମଦାନୀ କରୁଛି। 

ଟ୍ରମ୍ପଙ୍କର ଏହି ବୟାନର ସଂସଦରେ ଜବାବ ଦେଇଛନ୍ତି କେନ୍ଦ୍ର ବାଣିଜ୍ୟମନ୍ତ୍ରୀ ପିୟୂଷ ଗୋୟଲ। ସେ କହିଛନ୍ତି ଯେ ଦଶନ୍ଧିରୁ କମ୍‌ ସମୟ ମଧ୍ୟରେ ଭାରତ ବିଶ୍ୱର ୧୧ତମ ବୃହତ୍‌ ଅର୍ଥନୀତିରୁ ପଞ୍ଚମ ବୃହତ୍‌ ଅର୍ଥନୀତି ପାଲଟିଛି । ସଂସ୍କାର, କୃଷକ, ଏମ୍‌ଏସ୍‌ଏମ୍‌ଇ ଏବଂ ଉଦ୍ୟୋଗୀମାନଙ୍କ କଠିନ ପରିଶ୍ରମ ବଳରେ ଭାରତ ଏଭଳି ସଫଳତା ହାସଲ କରିଛି । ଆଉ ମାତ୍ର କିଛି ବର୍ଷରେ ଆମେ ହେବୁ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମାନ କଥା କହିଛନ୍ତି। ଭାରତ ଖୁବ୍‌ଶୀଘ୍ର ତୃତୀୟ ବୃହତ ଅର୍ଥନୀତି ଆଡ଼କୁ ଅଗ୍ରସର ହେଉଛି ବୋଲି ମୋଦୀ କହିଛନ୍ତି। 

ଭାରତ ଉପରେ ଆମେରିକା ଲଗାଇଥିବା ୨୫ ପ୍ରତିଶତ ଶୁଳ୍କକୁ ନେଇ ପଡ଼ୋଶୀ ବାଂଲାଦେଶ ଓ ପାକିସ୍ତାନ ବହୁତ ଖୁସୀ। କାରଣ ଏମାନଙ୍କ ଉପରେ ଭାରତ ଠାରୁ କମ୍ ଶୁଳ୍କ ଲାଗିଛି। ଯାହାକୁ ନେଇ ବାଂଲାଦେଶ ଅନ୍ତରୀଣ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଭାରତକୁ କଟାକ୍ଷ କରିଛନ୍ତି। ଏଥିରେ ଭାରତର କୂଟନୈତିକ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ ହେବା ପରେ ବାଂଲାଦେଶ ଉପରେ ଲାଗିଥିବା ୨୦ ପ୍ରତିଶତ ଶୁଳ୍କକୁ ନେଇ ବେଶ ଖୁସି ଅଛନ୍ତି ବାଂଲାଦେଶ ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସ। ସେ କହିଛନ୍ତି ବାଂଲାଦେଶର ପ୍ରତିନିଧିମଣ୍ଡଳୀ ଟ୍ରମ୍ପଙ୍କ ସହ ଆଲୋଚନା କରି ଶୁଳ୍କ ହ୍ରାସ କରିବାରେ ସଫଳ ହୋଇଛନ୍ତି। ୧୭ ପଏଣ୍ଟ ହ୍ରାସ କରି ଶୁଳ୍କ ୨୦ ପ୍ରତିଶତକୁ ଆଣିବାରେ ବାଂଲାଦେଶ ସଫଳ ହୋଇଛି। ଅନ୍ୟ ପକ୍ଷରେ ଭାରତର କୂଟନୀତି ଫେଲ୍ ମାରିଛି ବୋଲି ସେ କହିଛନ୍ତି। କାରଣ ଭାରତ ବାଂଲାଦେଶ ଠାରୁ ଅଧିକ ୫ ପ୍ରତିଶତ ଶୁଳ୍କ ଗଣିବ ବୋଲି ୟୁନୁସ କହିଛନ୍ତି। 

ସେହିପରି ଭାରତର ଆଉ ଏକ ପଡ଼ୋଶୀ ପାକିସ୍ତାନ ଉପରେ ବି ଟ୍ରମ୍ପ ଫିଦା ହୋଇଛନ୍ତି। ପାକିସ୍ତାନ ଉପରେ ୧୯ ପ୍ରତିଶତ ଶୁଳ୍କ ଲାଗୁ କରିବା ସହିତ ତା’ ସହିତ ତୈଳ ଉତ୍ପାଦନ ପାଇଁ ଡିଲ୍ କରିଛନ୍ତି। ଆମେରିକା ଏବଂ ପାକିସ୍ତାନ ସହ ମିଶି ତା ଦେଶରେ ଥିବା ‘ବିଶାଳ ତୈଳ ଭଣ୍ଡାର’କୁ ଉତ୍ପାଦନ କରିବେ ବୋଲି ଟ୍ରମ୍ପ୍‌ କହିଛନ୍ତି । ଫାକିସ୍ତାନ ସହିତ ଡିଲ୍ କରିବା ପରେ ଭାରତକୁ କଟାକ୍ଷ କରିଛନ୍ତି ଟ୍ରମ୍ପ। ସେ କହିଛନ୍ତି ଦିନେ ଏପରି ସମୟ ଆସିବ ପାକିସ୍ତାନ ଭାରତକୁ ତେଲ ବିକିବ। 

ଟ୍ରମ୍ପଙ୍କର ଟାରିଫ ମାଡ଼ ପରେ ମୋଦୀ ସରକାରଙ୍କ ଉପରେ ପ୍ରବଳ ବିରୋଧୀ ଚାପ ସୃଷ୍ଟି ହୋଇଛି ସତ ହେଲେ ସରକାର କିନ୍ତୁ ହଠାତ୍ ପ୍ରତିକ୍ରିୟା ଶୀଳ ନହୋଇ ନିରବରେ ରାସ୍ତା ଖୋଜୁଛନ୍ତି। ଅନ୍ୟପଟେ ଭାରତର ବ୍ୟବସାୟୀମାନେ ମଧ୍ୟ ସରକାରଙ୍କର ନିରବ ପ୍ଲାନିଂ ସପକ୍ଷରେ ଚାଲିଛନ୍ତି। ସେମାନେ ବି ଏବେ ଆମେରିକା ପରିବର୍ତ୍ତେ ବିକଳ୍ପ ବଜାର ସନ୍ଧାନରେ ମୁହାଁଇଲେଣି।

ଆମେରିକାର ଆଭିମୁଖ୍ୟ ନେଇ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୂଷ ଗୋୟଲ କହିଛନ୍ତି ବାଣିଜ୍ୟ ଚୁକ୍ତି କରିବା ପାଇଁ ଜାତୀୟ ସ୍ୱାର୍ଥ ସହ କୌଣସି ସାଲିସ୍‌ କରାଯିବ ନାହିଁ। କୌଣସି ପ୍ରତିକୂଳ ଚୁକ୍ତି ପାଇଁ ଆମ ଉପରେ ଚାପ ପକାଯାଇପାରିବ ନାହିଁ । ବିଶ୍ୱ ଅର୍ଥବ୍ୟବସ୍ଥାଗୁଡ଼ିୁକ ସହ ବୁଝାମଣା କରିବାବେଳେ ଭାରତ ପ୍ରଥମେ ଏହାର ରାଷ୍ଟ୍ରୀୟ ହିତକୁ ଦେଖେ ବୋଲି ମନ୍ତ୍ରୀ କହିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ରମ୍ପଙ୍କ ବୟାନ ଉପରେ ଜବାବ ଦେଇଛନ୍ତି। ଭାରତ ଋଷ ଠାରୁ ତେଲ କିଣିବା ବନ୍ଦ କରିଥିବା ଉଡ଼ା ଖବର ଉପରେ ଟ୍ରମ୍ପ ଖୁସି ବ୍ୟକ୍ତ କରିଥିଲେ। ଏଥିରେ ମୋଦୀ କହିଛନ୍ତି  ଆମେ କ'ଣ କିଣିବୁ ଏବଂ କ'ଣ କିଣିବୁ ନାହିଁ, ଏସବୁ ଜାତୀୟ ସ୍ୱାର୍ଥକୁ ସର୍ବୋପରି ରଖି କରାଯିବ। ତେଣୁ ପ୍ରଧାନମନ୍ତ୍ରୀଙ୍କ କଥାରୁ ସ୍ପଷ୍ଟ ଯେ ଭାରତ ରୁଷଠାରୁ ତେଲ ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର କିଣିବା ଜାରି ରଖିବ। ଏଥିରେ କୌଣସି ପ୍ରକାରର କଟକଣା ଲଗାଯିବ ନାହିଁ।

ଟ୍ରମ୍ପଙ୍କ ଧମକ ସତ୍ତ୍ୱେ ଭାରତୀୟ ତୈଳ ବିଶୋଧନାଗାରଗୁଡ଼ିକ ଏବେ ବି ରୁଷରୁ ଅଶୋଧିତ ତେଲ କିଣୁଛନ୍ତି। ସେମାନେ ରୁଷ କମ୍ପାନୀଗୁଡ଼ିକଠାରୁ ତେଲ କିଣିବା ଜାରି ରଖିଛନ୍ତି। ଏଏନ୍‌ଆଇ ଅନୁଯାୟୀ, ଦେଶର ବଡ ତେଲ କମ୍ପାନୀଗୁଡ଼ିକ ଯେପରିକି ଇଣ୍ଡିଆନ୍ ଅଏଲ୍, ମାଙ୍ଗାଲୋର ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ସ ଲିମିଟେଡ୍, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍, ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍ ଏବେ ବି ରୁଷରୁ ତେଲ ଆମଦାନୀ କରୁଛନ୍ତି। 

ଅନ୍ୟପଟେ ଭାରତ ଆମେରିକା ସିହତ ପ୍ରତିରକ୍ଷା ଚୁକ୍ତି ନେଇ ଆଗ୍ରହ ପ୍ରକାଶ କରି ନାହିଁ। ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଭାରତ ଆମେରିକାର ଯୁଦ୍ଧ ବିମାନ ଏଫ୍-୩୫ କିଣିବ ନାହିଁ। ସେହି ରିପୋର୍ଟରେ ଏହା ବି କୁହାଯାଇଛି ଯେ ମୋଦି ସରକାର ନିକଟ ଭବିଷ୍ୟତରେ ଆମେରିକା ସହ କୌଣସି ବଡ଼ ପ୍ରତିରକ୍ଷା ଚୁକ୍ତି ଚାହାନ୍ତି ନାହିଁ । ଟେକ୍ନୋଲୋଜି ଟ୍ରାନ୍ସଫର ଏବଂ ଦେଶରେ ଉତ୍ପାଦନ ସର୍ତ୍ତ ଆଧାରରେ ମୋଦି ସରକାର ପ୍ରତିରକ୍ଷା ଚୁକ୍ତି କରିବାକୁ ଚାହୁଁଛନ୍ତି ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। 

ସେପଟେ ଆମେରିକାର ଏଭଳି ପଦକ୍ଷେ ପରେ ଭାରତୀୟ ବ୍ୟବସାୟୀମାନେ ନୂଆ ବଜାର ସନ୍ଧାନରେ ବାହାରି ପଡ଼ିଛନ୍ତି। ଭାରତୀୟ ରପ୍ତାନିକାରୀମାନେ ୟୁରୋପିୟନ ୟୁନିୟନ,ଅନ୍ୟ ଏସୀୟ ଦେଶ ଏବଂ ମଧ୍ୟପ୍ରାଚ୍ୟ ବଜାର ଆଡ଼କୁ ମୁହାଇଁଲେଣି। ବିଶେଷ କରି ଇଞ୍ଜିନିୟରିଂ ସାମଗ୍ରୀ ଏବଂ ଜଳବାୟୁ-ସମୃଦ୍ଧ ଉତ୍ପାଦନ ଭଳି କ୍ଷେତ୍ରଗୁଡ଼ିକ ଟ୍ରାକ୍ ଚେଞ୍ଜ ପାଇଁ ଉଦ୍ୟମ ଆରମ୍ଭ କରି ଦେଲେଣି।। ସମ୍ପ୍ରତି ସ୍ୱାକ୍ଷରିତ ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମରେ ବାର୍ଷିକ ୫୦୦ ବିଲିୟନ ଟଙ୍କା ରେଭିନ୍ୟୁ ଦେବ, ଏବଂ ଦୀର୍ଘକାଳୀନ ଭାବରେ ଭାରତର GDP ରେ ଏହା ୦.୦୬% ଯୋଗଦାନ ଦେବ। ଯାହା ଅଭିବୃଦ୍ଧି ପାଇଁ ନୂଆ ରାସ୍ତାର ସଙ୍କେତ ଦେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.