ଘରେ ପଶିଗଲା ପାଣି, ବାହାରିପାରିଲେନି ୫୦ ବର୍ଷୀୟା ବୃଦ୍ଧା; ଉଦ୍ଧାର କଲା ଅଗ୍ନିଶମ ବାହିନୀ

Published By : Prameya-News7 Bureau | March 22, 2025 IST

ବ୍ରହ୍ମପୁର: କାଳବୈଶାଖୀ ପ୍ରଭାବରେ ବର୍ଷା କାରଣରୁ ଶୁକ୍ରବାର ବେହାଲ ହୋଇପଡ଼ିଛି ବ୍ରହ୍ମପୁର ସହର। ବର୍ଷା ଯୋଗୁ ଚାରିଆଡ଼େ ଉପୁଜିଛି ଜଳମଗ୍ନ ପରିସ୍ଥିତି। ରାସ୍ତା ଘାଟ, ସାହି ଗଳି କନ୍ଦି ସବୁଠି ପାଣି। ସହରର ଗାନ୍ଧୀନଗର, ବିଜିପୁର, ଲାଞ୍ଜିପଲ୍ଲୀ, ନୀଳାଞ୍ଚଳନଗର ପ୍ରମୁଖ ଅଞ୍ଚଳରେ ପାଣି ଜମି ରହିବା ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ସହରବାସୀ। ସହରରେ ଥିବା ସରକାରୀ କାର୍ଯ୍ୟାଳୟ, ଥାନା, ସ୍କୁଲ ବି ବାଦ୍ ପଡ଼ିନି। ଏମିତିକି ବଡ଼ ମେଡିକାଲ ଆଉଟଡୋର ଭିତରେ ପଶ୍ଚିଥିଲା ପାଣି। 

ତେବେ ଏହି ବର୍ଷା ପରେ ଉଦ୍ଧାର କାର୍ଯ୍ୟ ବ୍ୟାପକ କରିଛନ୍ତି ଅଗ୍ନିଶମ ବାହିନୀ। ଉପୁଡ଼ି ପଡ଼ିଥିବା ଗଛକୁ କାଟି ସଫା କରିବା ସହ ଗମନା ଗମନ ସୁଗମ କରିଛନ୍ତି। ଏହା ସହ ସହରର ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରିଛନ୍ତି।

ଏହାରି ମଧ୍ୟରେ ଜଣେ ୫୦ ବର୍ଷୀୟା ବୃଦ୍ଧାଙ୍କୁ ଘରୁ ଉଦ୍ଧାର କରି ପ୍ରଶଂସିତ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ। ପ୍ରକୃତରେ ବର୍ଷା ଯୋଗୁ ଲକ୍ଷ୍ମୀ ସାହୁ ନାମକ ଏହି ବୃଦ୍ଧାଙ୍କ ଘରେ ପାଣି ପଶିଯାଇଥିଲା। ପରିସ୍ଥିତି ଏଭଳି ହୋଇଥିଲା ଯେ, ବୃଦ୍ଧା ଜଣକ ଘରୁ ବାହାରି ପାରିନଥିଲେ। ଆଉ ଶେଷରେ ଘରୁ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରିଥିଲେ। ଏହାର ଏକ ଭିଡିଓ ମଧ୍ୟ ଏବେ ଭାଇରାଲ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.