ନାଗପୁର ହିଂସାରେ ପ୍ରଥମ ମୃତ୍ୟୁ, ଗୁରୁତର ଆହତ ହୋଇଥିଲେ ଇର୍ଫାନ ଅଂସାରୀ

Published By : Prameya-News7 Bureau | March 22, 2025 IST

ମୁମ୍ବାଇ ୨୨।୩: ନାଗପୁର ହିଂସାରେ ଆହତ ଇର୍ଫାନ ଅଂସାରୀ (୩୮)ଙ୍କର ଶନିବାର ଚିକିତ୍ସା କାଳରେ ମୃତ୍ୟୁ ହୋଇଛି। ହିଂସାରେ ଇର୍ଫାନ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସହରର ମେୟୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାର୍ଚ୍ଚ ୧୭ ତାରିଖ ଦିନ ସେ ନାଗପୁର ରେଳ ଷ୍ଟେସନକୁ ଯାଉଥିବା ବେଳେ ଦଙ୍ଗାକାରୀଙ୍କ ହାବୁଡରେ ପଡିଯାଇଥିଲେ। ଦଙ୍ଗାକାରୀ ତାଙ୍କୁ ଗୋଡେଇ ଗୋଡେଇ ପିଟି ଥିଲେ। ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା। 

ମୃତ ଇର୍ଫାନ ଅଂସାରୀଙ୍କ ଭାଇ ଇମରାନ ସାନୀ କହିଛନ୍ତି ଯେ ଆମେ ତାଙ୍କୁ ବଞ୍ଚାଇବାକୁ ବହୁତ ଉଦ୍ୟମ କରିଥିଲୁ। ଡାକ୍ତରମାନେ ସବୁଠୁ ଭଲ ଚିକିତ୍ସା ଯୋଗାଇ ଦେଇଥିଲେ ହେଲେ ଆମେ ତାଙ୍କୁ ବଞ୍ଚାଇ ପାରିଲୁନି। ସେ କହିଛନ୍ତି ଯେ ମୋ ଭାଇ ଇଟାରସୀ ଯିବା ପାଇଁ ଅଟୋରେ ବସି ଘରୁ ବାହାରିଥିଲେ। ହେଲେ ଅଧବାଟରେ ଅଟୋବାଲା ଅଟକାଇ ଦେଇ ଆଗକୁ ଯାଇ ହେବନି ବୋଲି କହିଥିଲା। ଏଣୁ ସେ ଚାଲିଚାଲି ଷ୍ଟେସନ ଅଭିମୁଖେ ବାହାରି ପଡିଥିଲେ। 


ତେବେ ରାସ୍ତାରେ ଦଙ୍ଗାକାରୀଙ୍କ ହାବୁଡରେ ପଡିଯାଇଥିଲେ। ସେମାନେ ତାଙ୍କୁ ଏତେ ମାଡ ମାରିଥିଲେ ଯେ ସେ ବେହୋସ ହୋଇଯାଇଥିଲେ। ତାଙ୍କ ମୁଣ୍ଡ ଓ ପିଠିରେ ଗଭୀର ଆଘାତ ଲାଗିଥିବା ବେଳେ ଗୋଡ ଭାଙ୍ଗିଯାଇଥିଲା। ଇମରାନ ସାନୀ କହିଛନ୍ତି ଯେ ଆମେ ଏଭଳି କୃତ୍ୟ କରିଥିବା ଲୋକଙ୍କ ବିରୋଧରେ କଡ଼ାରୁ କଡ଼ା ଦଣ୍ଡବିଧାନ ଦାବି କରୁଛୁ, ଯେପରି ଭବିଷ୍ୟତରେ ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ବ୍ୟବହାର କାହା ସହ ନ ହେଉ।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.