ଲୋକଙ୍କ ଖାଦ୍ୟ ସୁରକ୍ଷା ପାଇଁ ୨୦୦ ହାତୀଙ୍କୁ ହତ୍ୟା କରିବ ଏହି ଦେଶ, ଜାଣନ୍ତୁ ପୂରା ମାମଲା

Published By : Prameya-News7 Bureau | September 17, 2024 IST

ହରାରେ: ଚାରି ଦଶନ୍ଧିର ସବୁଠାରୁ ଭୟଙ୍କର ମରୁଡ଼ିର ସାମନା କରୁଥିବା ଜିମ୍ୱାୱେ ଲୋକଙ୍କ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏକ କଠୋର ନିଷ୍ପତ୍ତି ନେଇଛି । ଲୋକଙ୍କ କ୍ଷୁଧା ମେଣ୍ଟାଇବା ପାଇଁ ଜିମ୍ବାୱେ ୨୦୦ ହାତୀକୁ ମାରିବାକୁ ଯୋଜନା କରିଛି ବୋଲି ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ମଙ୍ଗଳବାର ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବରେ ଆଫ୍ରିକାର ଦକ୍ଷିଣ ଭାଗ ଭୟଙ୍କର ମରୁଡ଼ିର ସାମନା କରୁଛି । ଯେଉଁଥି ପାଇଁ ପ୍ରାୟ ୬୮ ନିୟୁତ ଲୋକ ପାଇଁ ଖାଦ୍ୟ ସୁରକ୍ଷା ଏକ ବଡ଼ ଆହ୍ୱାନ ହୋଇଛି । ଯୋଜନା ବାବଦରେ ସୂଚନା ଦେଇ ଜିମ୍ବାୱେ ପାର୍କ ଏବଂ ୱାଇଲ୍ଡ ଲାଇଫ୍ ଅଥରିଟି ମୁଖପାତ୍ର ଟିନାସେ ଫାରାଓ କହିଛନ୍ତି, 'ଆମେ ସାରା ଦେଶରେ ପ୍ରାୟ ୨୦୦ ହାତୀକୁ ମାରିବାକୁ ଯୋଜନା କରୁଛୁ, ତାହା ଆମେ ସ୍ପଷ୍ଟ କରିପାରିବୁ । ଆମେ ଏହାକୁ କିପରି କରିବୁ ସେ ସମ୍ବନ୍ଧରେ ଆମେ ରଣନୀତି କରୁଛୁ ।' ମରୁଡ଼ି ପ୍ରଭାବିତ ଜିମ୍ବାୱେରେ ଲୋକଙ୍କୁ ହାତୀ ମାଂସ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି ।

୧୯୮୮ ମସିହା ପରେ ଦେଶରେ ପ୍ରଥମ ଥର ପାଇଁ ହ୍ୱାଙ୍ଗେ, ମାବିରେ, ଶୋଲୋଶୋ ଏବଂ ଚିରେଡିଜି ଜିଲ୍ଲାରେ ଏଭଳି ହତ୍ୟା କରାଯିବ । ପଡୋଶୀ ନାମିବ୍ୟାରେ ଗତ ମାସରେ ୮୩ ହାତୀକୁ ମାରିବା ଏବଂ ମରୁଡ଼ି ଦ୍ୱାରା ପ୍ରଭାବିତ ଲୋକଙ୍କୁ ମାଂସ ବଣ୍ଟନ କରିବା ନିଷ୍ପତ୍ତିକୁ ଅନୁସରଣ କରାଯାଇଛି ବୋଲି ସେ କହିଛନ୍ତି ।

ଦକ୍ଷିଣ ଆଫ୍ରିକାର ପାଞ୍ଚଟି ଦେଶ - ଜିମ୍ବାୱେ, ଜାମ୍ବିଆ, ବୋଷ୍ଟୱାନା, ଅଙ୍ଗୋଲା ଏବଂ ନାମିବ୍ୟାରେ ୨,୦୦,୦୦୦ରୁ ଅଧିକ ହାତୀ ଏକ ସଂରକ୍ଷଣ ଅଞ୍ଚଳରେ ବାସ କରୁଥିବା ବୋଲି ଆକଳନ କରାଯାଇଛି । ଫାରାଓ କହିଛନ୍ତି ଯେ ଏହି ନିଷ୍ପତ୍ତି ଦେଶର ପାର୍କଗୁଡିକୁ ସଜାଡ଼ିବା ପାଇଁ ପ୍ରୟାସର ଏକ ଅଂଶ, ଯାହା କେବଳ ୫୫,୦୦୦ ହାତୀକୁ ବଞ୍ଚାଇ ପାରିବ ପାଇଁ ସକ୍ଷମ ଅଟେ । ଜିମ୍ବାୱେରେ ବର୍ତ୍ତମାନ ସମୟରେ ୮୪,୦୦୦ରୁ ଅଧିକ ହାତୀ ବାସ କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.