ବଡ଼ ଭଉଣୀକୁ ନେବାକୁ ବାପା ସହ ଆସୁଥିଲା ସାନ, ଅଧା ବାଟରେ ଚାଲିଗଲା କୁନି ଝିଅର ଜୀବନ

Published By : Prameya-News7 Bureau | January 21, 2025 IST

News7

ଭଦ୍ରକ:  ବଡ଼ ଭଉଣୀକୁ ସ୍କୁଲରୁ ଆଣିବା ପାଇଁ ଖୁସିରେ ବାହାରି ପଡ଼ିଲା ୪ ବର୍ଷର ସାନ ଭଉଣୀ। ତାର ଖୁସିକୁ ଦେଖି ସାଥୀରେ ନେଇଗଲେ ବାପା। ବଡ଼ ଭଉଣୀର କ୍ଲାସ୍‌ ଶେଷ ହୋଇନଥିବାରୁ ବାପା ଗାଡ଼ିରେ ତେଲ ପକାଇବାକୁ ନିକଟସ୍ଥ ତେଲ ଟାଙ୍କିକୁ ଚାଲିଯାଇଥିଲେ। ସାଥୀରେ ବି ଥିଲା କୁନି ଝିଅ। ହେଲେ କାଳ ସତେ ଯେପରି ବାଟକୁ ଚାହିଁ ବସିରହିଥିଲା। ତେଲ ପକାଇ ସାରିବା ପରେ ବଡ଼ ଭଉଣୀକୁ ନିକଟକୁ ଯିବା ବେଳକୁ ବାଟରେ ଘଟିଲା ବଡ଼ ଦୁର୍ଘଟଣା।  

ତେଲ ଟାଙ୍କି ନିକଟରେ ଗୋଟିଏ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୪ ବର୍ଷର କୁନି ଝିଅର ଜୀବନ ଚାଲିଯାଇଥିଲା। ବଡ଼ ଭଉଣୀକୁ ଦେଖା ହୋଇଥିଲେ କେତେ ଯେ ଖୁସି ହୋଇଥାନ୍ତା ହେଲେ ସବୁ କିଛି ନିମିଷକେ ଧୂଳିସାତ ହୋଇଗଲା। ସେପଟେ ବାପାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମିର୍ଜାପୂର୍ ଗାଁର ୪ ବର୍ଷିୟା ଅନୁଷ୍କା ନାଥ ବାଇପାସ୍ ନିକଟ ଏକ ଘରୋଇ ଇଂରାଜୀ ମିଡିୟମ ସ୍କୁଲରେ ନର୍ସରୀରେ ପାଠ ପଢୁଥିଲେ। ଧାର୍ଯ୍ୟ ସମୟରେ ସ୍କୁଲ ଛୁଟି ପରେ ବାପା ଅରୁଣ ନାଥଙ୍କ ସହ ଗାଡ଼ିରେ ତେଲ ପକାଇବା ପାଇଁ ୧୬ ନମ୍ୱର ଜାତୀୟ ରାଜପଥ ନିକଟ ଏକ ପେଟ୍ରୋଲ ଟାଙ୍କିକୁ ଯାଇଥିଲେ।

ତେଲ ପକାଇ ବାହାରିବା ବେଳେ ଏକ ଗ୍ୟାସ ବୋଝେଇ ଟ୍ରକ ଧକ୍କା ଦେଇଥିଲା। ଲୋକେ ଉଭୟ ବାପା ଓ ଝିଅଙ୍କୁ ଭଦ୍ରକ ମେଡିକାଲକୁ ଆଣିଥିଲେ। ଝିଅ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ବେଳେ ବାପାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଛି। ତେବେ ଝିଅର ଚିକିତ୍ସାରେ ଡାକ୍ତର ଅବହେଳା କରିଥିବା ସମ୍ପର୍କୀୟମାନେ ଅଭିଯୋଗ କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.