ଆର୍ଥିକ ହେରଫେର ମାମଲାରେ ଲି ପେନ୍‌ ଦୋଷୀ; ୪ ବର୍ଷ ଜେଲ୍‌ଦଣ୍ଡ ଓ ୫ ବର୍ଷ ସରକାରୀ ଅଫିସ୍ ବ୍ୟାନ୍

Published By : Prameya-News7 Bureau | March 31, 2025 IST

ନୂଆଦିଲ୍ଲୀ: ଫ୍ରାନ୍ସିସ୍ ଦକ୍ଷିଣପନ୍ଥୀ ନେତା ମାରିନେ ଲି ପେନଙ୍କୁ ଜେଲ୍‌ଦଣ୍ଡ । ଅର୍ଥ ହେରଫେର ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୪ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି । ଏହା ସହିତ ତତ୍କାଳ ପାଞ୍ଚ ବର୍ଷ ପାଇଁ ତାଙ୍କୁ ସରକାରୀ କାର୍ଯ୍ୟାଳୟକୁ ବ୍ୟାନ୍ କରିଛନ୍ତି । ସୋମବାର ପ୍ୟାରିସ୍ ଅଦାଲତ ଦଣ୍ଡାଦେଶ ଶୁଣାଇବା ପରେ ମାରିନେ ଲି ପେନଙ୍କ ରାଜନୈତିକ କ୍ୟାରିୟରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତିନି ବର୍ଷ ପରେ ଅର୍ଥାତ୍ ୨୦୨୭ରେ ଫ୍ରାନ୍ସରେ ରାଷ୍ଟ୍ରପତି ନିର୍ବାଚନ ରହିଥିବା ବେଳେ ଦକ୍ଷିଣପନ୍ଥୀ ନେତାଙ୍କୁ ଜେଲଦଣ୍ଡ ରାଜନୀତି ମହଲରେ ଚର୍ଚ୍ଚାକୁ ସୃଷ୍ଟି କରିଛି। କାରଣ ମାରିନେ ଲି ପେନ୍ ଦକ୍ଷିଣପନ୍ଥୀ ନ୍ୟାଶନାଲ ରେଲିର ବରିଷ୍ଠ ନେତା । ସେ ରାଷ୍ଟ୍ରପତି ଇମାନ୍ୟୁଏଲ ମାକ୍ରନଙ୍କ ସମସାମୟିକ ନେତା ଥିଲେ । ଏବେ ତାଙ୍କ ରାଜନୈତିକ ରାସ୍ତାକୁ ଏକ ବଡ଼ କଣ୍ଟା ହଟିଛି କୁହାଯାଉଛି ।

ପ୍ୟାରିସ୍ କୋର୍ଟ, ଜେଲ୍ ଦଣ୍ଡାଦେଶ ସହିତ ମାରିନେ ଲି ପେନ୍ ଏକ ଲକ୍ଷ ୟୁରୋ ଜୋରିମନା ଲଗାଇଛନ୍ତି । ସୂଚନା ଅନୁଯାୟୀ, ଅଦାଲତଙ୍କ ରାୟ ବିରୋଧରେ ଲି ପେନ୍ ଅପିଲ୍ କରିପାରନ୍ତି । ସେପଟେ କୋର୍ଟ ଏହି ରାୟ ଦକ୍ଷିଣପନ୍ଥୀ ନ୍ୟାଶନାଲ ରେଲି ପାଇଁ ବଡ଼ ଝଟକା । ଲି ପେନ ନିର୍ବାଚନ ଦୌଡ଼ରୁ ବାହାରି ଯାଇଥିବାରୁ ଏହା ଫ୍ରାନ୍ସିସ୍ ଲୋକତନ୍ତ୍ରକୁ ଗଭୀର ଭାବେ ପ୍ରଭାବିତ କରିବ ବୋଲି କୁହାଯାଉଛି । ଅଦାଲତଙ୍କ ଏହି ରାୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି  ଲି ପେନ୍ । ସେ କୋର୍ଟରୁମ୍‌ରୁ ବାହାରିଲା ବେଳେ ରାଗରେ ଗରଗର ହୋଇଥିବାର ଦେଖିବାକୁ ମିଳିଥିଲା । 

ସୂଚନା ଅନୁଯାୟୀ, ମାରିନେ ଲି ପେନଙ୍କୁ ଅର୍ଥ ହେରଫେର କରିବା ସହିତ ସରକାରୀ ଟଙ୍କା ଅପଖର୍ଚ୍ଚ ନେଇ ଅଭିଯୋଗ ଥିଲା । ଏହା ସହିତ ନିଜ ଦଳକୁ ମଧ୍ୟ ଲାଭ ଦିଆଯାଇଥିଲା । ଏନେଇ ପ୍ୟାରିସ୍ କୋର୍ଟରେ ଦକ୍ଷିଣପନ୍ଥୀ ନ୍ୟାଶନାଲ ରେଲିର ପ୍ରମୁଖ ଲି ପେନଙ୍କ ବିରୋଧରେ ମାମଲା ଚାଲିଥିଲା । କୋର୍ଟ ଲି ପେନଙ୍କ ସମେତ ଅନ୍ୟ ୮ ଲୋକ ଯିଏ ସେହି ସମୟରେ ୟୁରୋପୀୟ ସଂଘର ସାଂସଦ ଥିଲେ ଏବଂ ୧୨ ସଂସଦୀୟ ସହାୟକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏହି ରାୟକୁ ନେଇ ନ୍ୟାଶନାଲ ରାଲିର ଅଧ୍ୟକ୍ଷ ଜାର୍ଡନ ବର୍ଡାଲ ଏକ୍ସରେ ପ୍ରତିକ୍ରିୟା ରଖିଛନ୍ତି । ମାରିନେ ଲି ପେନଙ୍କ ରାଜୈତିକ କ୍ୟାରିୟରକୁ ବର୍ବାଦ କରିବା ମାନେ ଫ୍ରାନ୍ସିସ୍ ଲୋକତନ୍ତ୍ରକୁ ହତ୍ୟା କରିବା  ସହିତ ସମାନ ।     

       

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.