ପୃଥିବୀ ଛାଡିବେ ମା ଗଙ୍ଗା! ଆସିଗଲା ବିଲୁପ୍ତ ହେବାର ସମୟ

Published By : Prameya-News7 Bureau | April 07, 2025 IST

ହରିଦ୍ୱାର ୭।୪: ଗଙ୍ଗା ନଦୀକୁ ନେଇ ଏ ପର୍ଯ୍ୟନ୍ତ ଅନେକ ଭବିଷ୍ୟବାଣୀ ହେଲାଣି। ଏବେ ଆଧ୍ୟାତ୍ମ ଓ ବିଜ୍ଞାନ ମିଳିତ ଦାବି କରୁଛନ୍ତି ଯେ ପୃଥିବୀରୁ ଗଙ୍ଗାଙ୍କ ଫେରିବା ସମୟ ନିକଟତର ହେଲାଣି। ଯେଉଁ ଗୋମୁଖ ଗ୍ଲେସିୟରରୁ ଗଙ୍ଗାଙ୍କ ଅବିରତ ଧାରା ବହୁଛି ସେ ସମ୍ପର୍କରେ ବୈଜ୍ଞାନିକ ମାନେ ଚେତାବନୀ ଦେଇସାରିଲେଣି। ଏହି ଧାରା ଖୁବ୍ ଶୀଘ୍ର ବନ୍ଦ ହୋଇଯିବ ବୋଲି ବୈଜ୍ଞାନିକ କହିସାରିଲେଣି। ଏଥିରେ ପୁରାଣକୁ ସ୍ୱୀକାର କଲେ ଏବେ ପୃଥିବୀରୁ ମା ଗଙ୍ଗାଙ୍କ ବିଦାୟ ନେବାର ସମୟ ଆସି ସାରିଲାଣି। 

ଭବିଷ୍ୟତବାଣୀକୁ ସ୍ୱୀକାର କଲେ ଏହି ଘଟଣାରୁ ପୃଥିବୀରୁ ଗଙ୍ଗା ବିଲୁପ୍ତ ହେବାର ସୂଚକ ମନେ କରାଯାଉଛି। ଏମିତିରେ ଏହି କଥାର ବର୍ଣ୍ଣନା ଶ୍ରୀମଦଦେବୀ ଭାଗବତ ପୁରାଣରେ କରାଯାଇଛି। ଏଥିରେ ଭଗବାନ ବିଷ୍ଣୁ ନାରଦଙ୍କୁ ଗଙ୍ଗା ପୁଣି କେବେ ସ୍ୱର୍ଗକୁ ଫେରିବେ ତାର ବିସ୍ତୃତ ବ୍ୟାଖ୍ୟା କରିଛନ୍ତି। ଭଗବାନ ବିଷ୍ଣୁ ନାରଦଙ୍କୁ କହିଛନ୍ତି ଯେ ‘କଳିଯୁଗରେ ଯେବେ ୫ହଜାର ବର୍ଷ ବିତିଯିବ ଓ ପାପ ବଢିଯିବ ସେବେ ଧର୍ମ ଲୁପ୍ତ ହେବାରେ ଲାଗିବ। ସେତେବେଳେ ମା ଗଙ୍ଗା ପୃଥିବୀବାସୀଙ୍କ ଉପରେ ଅସନ୍ତୁଷ୍ଟ ହୋଇ ସ୍ୱର୍ଗକୁ ଫେରିଯିବେ’।

ଏହା ପରେ ଗଙ୍ଗାରେ ପାପ ଧୋଇବା ପାଇଁ ମନୁଷ୍ୟ ଆଉ ବଞ୍ଚି ନଥିବେ। ଏହା ପୂର୍ବରୁ କଳିଯୁଗର ପ୍ରଭାବ ବଢିବା ସହିତ ସରସ୍ୱତୀ ଓ ପଦ୍ମାନଦୀ ପୃଥିବୀ ଛାଡିସାରିଛନ୍ତି। ସେମାନେ ପୃଥିବୀରୁ ବିଲୁପ୍ତ ହୋଇ ସ୍ୱର୍ଗକୁ ଫେରିଯାଇଛନ୍ତି। ଏବେ କଳିଯୁଗର ୫୦୧୩ ବର୍ଷ ବିତିଗଲାଣି ଓ ସରସ୍ୱତୀ ଏବଂ ପଦ୍ମାନଦୀ ପୂର୍ବରୁ ବିଲୁପ୍ତ ହୋଇସାରିଛନ୍ତି, ଏବେ ଗଙ୍ଗାଙ୍କ ପାଳି। କେବଳ ଏହି ୩ ଦେବୀ ନୁହନ୍ତି କଳି ଯୁଗରେ କେବଳ ବୃନ୍ଦାବନ ଓ କାଶୀକୁ ଛାଡି ସବୁ ତୀର୍ଥ ମଧ୍ୟ ଉଭେଇଯିବେ। 

କଳିଯୁଗର ୧୦,୦୦୦ ବର୍ଷ ପୂରଣ ହେଲେ ତୀର୍ଥ ବିଲୁପ୍ତି ପ୍ରକ୍ରିୟା ଆରମ୍ଭ ହେବ। ସେତେବେଳେ ଶାଳଗ୍ରାମ, ଶିବ ଶକ୍ତି ଓ ଜଗନ୍ନାଥ ମଧ୍ୟ ପୃଥିବୀ ଛାଡି ନିଜ ଲୋକକୁ ଫେରିଯିବେ। ଏହା ସହିତ ପୃଥିବୀରୁ ଶଙ୍ଖ, ସାଧୁ, ଶ୍ରାଦ୍ଧକର୍ମ, ଧାର୍ମିକ ଅନୁଷ୍ଠାନ, ଦେବୀ ଦେବତାଙ୍କ ପୂଜା ଓ କିର୍ତ୍ତନ ମଧ୍ୟ ପୃଥିବୀରୁ ବିଲୁପ୍ତ ହୋଇଯିବ। ଏଣୁ ଏବେ ପୃଥିବୀରୁ ଗଙ୍ଗା ଫେରିଯିବାର ସମୟ ହୋଇ ଗଲାଣି। ଗଙ୍ଗାର ଜଳଧାର କ୍ରମଶଃ ଶୁଷ୍କ ହେବା ସହ ଧିରେ ଧିରେ ବିଲୁପ୍ତ ହୋଇଯିବ ବୋଲି କୁହାଯାଉଛି।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.