ମୁମ୍ୱାଇ ବସ ଦୁର୍ଘଟଣାର ଆଉ ଏକ ମର୍ମନ୍ତୁଦ କାହାଣୀ; ଚାକିରିରେ ଥିଲା ପ୍ରଥମ ଦିନ, ଘରକୁ ଫେରିଲାନି ଝିଅ

Published By : Prameya-News7 Bureau | December 10, 2024 IST

News7

’ବାପା.. ଆଜିଠୁ ମୋର କର୍ମମୟ ଜୀବନ ଆରମ୍ଭ। ଯେତିକି ଉତ୍ସାହିତ ଅଛି, ମନରେ ସେତିକି ନର୍ଭସ। ମୋତେ ଆଶୀର୍ବାଦ କର।' ବୋଧେ ଏହି କେଇ ପଦ କଥା କହି ଘରୁ ବାହାରିଥିବେ ୨୦ ବର୍ଷିୟା ଆଫ୍ରିନ୍ ଶାହା। କିନ୍ତୁ ଆଫ୍ରିନ ଜାଣିନଥିଲେ ସେ ବାପାଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଯିବେ। ଝିଅ ଚାକିରି ଜଏନ୍‌ କରୁଛି ବାପା ଖୁସିରେ ଆତ୍ମହରା। ଝିଅର ଅଫିସରେ ପ୍ରଥମ ଦିନ କେମିତି କଟିଲା, ଠିକ୍‌ ଘରକୁ ଫେରୁଛନ୍ତି କି ନାହିଁ ବାପା ବାରମ୍ବାର ଫୋନ କରି ପଚାରି ବୁଝୁଥିଲେ। ଝିଅର ଶେଷ କଥା ଥିଲା ଅଟୋକୁ ଅପେକ୍ଷା କରିଛି, ଘରକୁ ଫେରୁଛି। କିନ୍ତୁ ଫେରିଲେନି ଆଫ୍ରିନ୍‌। କିଛି ସମୟ ପରେ ଫୋନ୍‌ ଆସିଲା, ତୁମ ଝିଅ ଆଉ ନାହାନ୍ତି, ବସ୍‌ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି।  

ମୁମ୍ବାଇ କୁର୍ଲାର ଓ୍ୱେଷ୍ଟ। ରାତି ପ୍ରାୟ ସାଢ଼େ ୯ଟା। କୁର୍ଲା ଓ୍ୱେଷ୍ଟରୁ ଅନ୍ଧେରି ଯାଉଥିବା ୩୩୨ ନମ୍ବର ବେଷ୍ଟ୍‌ ବସ୍‌ କୁର୍ଲା ଷ୍ଟେସନରୁ ବାହାରିଥିଲା। ତେବେ ହଠାତ୍‌ ଦେଖୁ ଦେଖୁ ବସ୍‌ର ସ୍ପିଡ୍‌ ବଢ଼ି ଯାଇଥିଲା। ଆମ୍ବେଦକର ନଗର ବୁଦ୍ଧ କଲୋନୀ ପାଖରେ ନିୟନ୍ତ୍ରଣ ହରାଇଥିଲା ବସ୍‌। ଏହାପରେ ରାସ୍ତାରେ ଯିଏ ଆସିଥିଲା ତା' ଉପରେ ଚଢ଼ିଗଲା। ପ୍ରଥମେ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ଯାଏ ଘୋଷାରି ନେଲା। ଏହାପରେ ସ୍କୁଟି, ଅଟୋ, ବାଇକ୍‌ ଓ ପରେ ରାସ୍ତାରେ ଯାଉଥିବା ଲୋକଙ୍କ ଉପରେ ମାଡ଼ିଗଲା। ଅଟୋ ଷ୍ଟାଣ୍ଡରେ ଛିଡା ହୋଇଥିବା ଆଫ୍ରିନଙ୍କୁ ଚକା ତଳେ ଚାପି ଦେଇଥିଲା ବସ୍‌।

ଭୟଙ୍କର ବସ୍‌ ଦୁର୍ଘଟଣାରେ  ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୯ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ଆଫ୍ରିନ। ଏମିତି ଏକ ଘଟଣା କିଛି ଦିନ ପୂର୍ବରୁ କର୍ଣ୍ଣାଟକରେ ଘଟିଥିଲା। ଚାକିରିର ପ୍ରଥମ ଦିନରେ IPS ଅଧିକାରୀ ହର୍ଷ ବର୍ଦ୍ଧନଙ୍କ ମୃତ୍ୟୁ ହୋଇଥିଲା। ଚାକିରି ପ୍ରଥମ ଦିନ। କେତେ ଖୁସି ଆଉ କେତେ ସ୍ୱପ୍ନ। ଏମିତି ଅନେକ ସ୍ୱପ୍ନ ନେଇ ଘରୁ ବାହାରିଥିଲେ ଆଫ୍ରିନ୍ ଓ ହର୍ଷ ବର୍ଦ୍ଧନ। ନିଜ ପରିବାର ପାଇଁ ରୋଜଗାର ଆରମ୍ଭ କରିବାର ଖୁସି କହିଲେ ନସରେ। ହେଲେ କାହାକୁ ବି ଜଣାନଥିଲା ଏ ଖୁସି ବେଶି ସମୟ ପାଇଁ ନୁହେଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.