ପାରାଦୀପ ୨୨।୦୩ : ପାରାଦୀପରେ ଲୁଟେରାଙ୍କ ଆତଙ୍କରାଜ। ସୁନା ବ୍ୟବସାୟୀଙ୍କ ବେକରେ କଟୁରୀ ଲଗାଇ ଲୁଟ୍। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ବାଗୋଇ ପୋଲ ନିକଟରେ ଏଭଳି ଘଟଣା ଘଟିଛି। ଲୁଟ୍ର ଶିକାର ହୋଇଥିବା ବ୍ୟବସାୟୀ କୁଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ ପରେ ପୋଲିସ ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କୁଜଙ୍ଗ ବଜାରରେ ଥିବା ଶାନ୍ତିଲତା ଜୁଏଲାରୀ ଦୋକାନକୁ ମାଲିକ ସୁଶାନ୍ତ କୁମାର ସାହୁ ବନ୍ଦ କରି ଘରକୁ ଯାଉଥିଲେ । ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ଆସି ଷଣ୍ଢପୁର ନିକଟରେ ସୁଶାନ୍ତଙ୍କ ବାଇକ୍ ଅଟକାଇଥିଲେ । ହେଲେ ସୁଶାନ୍ତ ନମାନି ଆଗକୁ ପଳାଇଥିଲେ । ଶେଷରେ ବାଗୋଇ ପୋଲ ଉପରେ ସୁଶାନ୍ତଙ୍କ ଗାଡ଼ିକୁ ଅଟକାଇ ବେକରେ କଟୁରୀ ଲଗାଇ ତିନୋଟି ସୁନା ମୁଦି, ଦୁଇଟି ଚେନ୍ ଓ ଗୋଟିଏ ବ୍ରେସ୍ଲେଟ୍ ଚଢାଇ ନେଇଥିଲେ । ସେପଟେ ଲୁଟ୍ ନେଇ ବ୍ୟବସାୟୀ କୁଜଙ୍ଗ ଥାନାରେ ଲିଖିତ ଭାବେ ଏତଲା ଦେଇଥିଲେ । ୩ ଜଣ ଦୁର୍ବୃତ୍ତ ମୋଟ ୧୩ ଲକ୍ଷ ଟଙ୍କା ଲୁଟ୍ କରିଥିବା ନେଇ ଏତଲାରେ ଉଲ୍ଲେଖ କରାଯାଇଛି । କୁଜଙ୍ଗ ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।