ବେଆଇନ୍ ଅନ୍‌ଲାଇନ୍ ଗେମିଂ ଉପରେ ସର୍ଜିକାଲ୍ ଷ୍ଟ୍ରାଇକ୍, ୩୫୭ ୱେବସାଇଟ୍ ବ୍ଲକ୍

Published By : Prameya-News7 Bureau | March 22, 2025 IST

ନୂଆଦିଲ୍ଲୀ: ବିଦେଶରୁ କାର୍ଯ୍ୟ କରୁଥିବା ବେଆଇନ୍ ଅନ୍‌ଲାଇନ୍ ଗେମିଂ କମ୍ପାନିଗୁଡ଼ିକର ୩୫୭ ୱେବସାଇଟ୍‌କୁ GST ଗୁଇନ୍ଦା ଅଧିକାରୀମାନେ ବ୍ୟାନ୍ କରିଛନ୍ତି । ଅର୍ଥ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି । ଏହା ସହିତ ପ୍ରାୟ ୨,୪୦୦ ବ୍ୟାଙ୍କ ଆକାଉଣ୍ଟକୁ ସିଜ୍ କରାଯାଇଛି । ମନ୍ତ୍ରଣାଳୟ ବିଦେଶୀ ଗେମିଂ ପ୍ଲାଟ୍‌ଫର୍ମ ସହିତ ଯୋଡ଼ି ନହେବା ପାଇଁ ଜନସାଧାରଣଙ୍କୁ ସତର୍କ କରାଇଛି । ମନ୍ତ୍ରଣାଳୟ କହିଛି ଯେ ବଲିଉଡ୍ ସେଲିବ୍ରିଟି ଏବଂ କ୍ରିକେଟ ଖେଳାଳିଙ୍କ ବ୍ୟତୀତ ସୋସିଆଲ ମିଡିଆ ଇନଫ୍ଲଏନ୍ସର ଦ୍ୱାରା ପ୍ରଚାର କରାଯାଉଥିଲେ ବି ପ୍ଲାଟ୍‌ଫର୍ମଗୁଡ଼ିକ ସହ ଯୋଡ଼ି ନହେବା ଉଚିତ ।

ପ୍ରାୟ ୭୦୦ ବିଦେଶୀ ଇ-ଗେମିଂ କମ୍ପାନି ସାମଗ୍ରୀ ଏବଂ ସେବା ଟିକସ ଗୁଇନ୍ଦା ନିର୍ଦ୍ଦେଶାଳୟ (DGGI)ର ନଜରରେ ଅଛନ୍ତି । ଏହି କମ୍ପାନିଗୁଡ଼ିକ ପଞ୍ଜିକୃତ ନୁହନ୍ତି ଏବଂ GST ଫାଙ୍କୁଛନ୍ତି । ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଏହି ବିଦେଶୀ କମ୍ପାନିଗୁଡ଼ିକ କାରବାର ପାଇଁ ନକଲି ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ କାମ କରନ୍ତି । ଦୁଇଟି ପୃଥକ ମାମଲାରେ, DGGI ମୋଟ ୨,୪୦୦ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି ଏବଂ ପ୍ରାୟ ୧୨୬ କୋଟି ଟଙ୍କାର ଉଠାଣ ଉପରେ ରୋକ୍ ଲଗାଯାଇଛି ।

ରିପୋର୍ଟ ଅନୁଯାୟୀ, ଭାରତୀୟ ରିଅଲ୍ ମନି ଗେମିଂ (RMG) କ୍ଷେତ୍ର ୨୦୧୯-୨୦ ଆର୍ଥିକ ବର୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨୮ ପ୍ରତିଶତ ଅଭିବୃଦ୍ଧି ସହିତ ବିଶ୍ୱ ବଜାରର ସବୁଠୁ ଆଗରେ ରହିଛି । ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି କ୍ଷେତ୍ରର ରାଜସ୍ୱ ୭.୫ ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.