ସରକାରଙ୍କ ରାଜକୋଷ ଭରିଲା GST କଲେକ୍ସନ, ସଂଗ୍ରହ ହେଲା ୧.୮୨ ଲକ୍ଷ କୋଟି

Published By : Prameya-News7 Bureau | December 01, 2024 IST

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ସୁଖବର। ସରକାରଙ୍କ ରାଜକୋଷ ଭରିଲା ଜିଏସଟି ସଂଗ୍ରହ। ୨୦୨୪ ନଭେମ୍ବରରେ ଭାରତର ବସ୍ତୁ ଓ ସେବା କର(ଜିଏସଟି) ସଂଗ୍ରହ ୮.୫ ପ୍ରତିଶତରୁ ବଢି ୧.୮୨ ଲକ୍ଷ କୋଟିରେ ପହଞ୍ଚିଛି। ବଢିଥିବା ଜିଏସଟି ସଂଗ୍ରହର ଅର୍ଥ ଭାରତୀୟ ଅର୍ଥବ୍ୟବସ୍ଥା ମଜବୁତ ହେବା ସହ ଆର୍ଥିକ ଗତିବିଧିରେ ତୀବ୍ରତା ଆସିଛି। ଅର୍ଥ ମନ୍ତ୍ରଣାଳୟ ଦ୍ଵାରା ଜାରି ତଥ୍ୟ ଅନୁଯାୟୀ, କେନ୍ଦ୍ରୀୟ ଜିଏସଟି ସଂଗ୍ରହ ୩୪, ୧୪୧ କୋଟି, ରାଜ୍ୟ ଜିଏସଟି ୪୩,୦୪୭ କୋଟି, ଏକୀକୃତ ଆଇଜିଏସଟି ୯୧, ୮୨୮ କୋଟି ଓ ଉପକର ୧୩,୨୫୩ କୋଟି ଟଙ୍କା ରହିଛି।

ଗତ ମାସରେ ଅର୍ଥାତ ଅକ୍ଟୋବରରେ ଜିଏସଟି ସଂଗ୍ରହରେ ୯ ପ୍ରତିଶତ ବୃଦ୍ଧି ଘଟି ୧.୮୭ ଲକ୍ଷ କୋଟି ଥିଲା। ଏହା ଏ ପର୍ଯ୍ୟନ୍ତ ସବୁଠୁ ଦ୍ଵିତୀୟ ବଡ଼ ସଂଗ୍ରହ ଥିଲା। ଅଦ୍ୟାବଧି ସବୁଠୁ ଅଧିକ ଜିଏସଟି ସଂଗ୍ରହ ଚଳିତ ବର୍ଷ ଏପ୍ରିଲରେ ୨.୧୦ ଲକ୍ଷ କୋଟି ରହିଥିଲା। ତେବେ ଗତ କିଛି ମାସ ହେବ ଜିଏସଟି ସଂଗ୍ରହ ଅପେକ୍ଷାକୃତ ହ୍ରାସ ଘଟିଥିଲା। କିନ୍ତୁ ନଭେମ୍ବରରେ ଏଥିରେ ବୃଦ୍ଧି ଦେଖିବାକୁ ମିଳିଛି। 

ଜିଏସଟି ସଂଗ୍ରହରେ ବୃଦ୍ଧି ଘଟିବା ସରକାରଙ୍କୁ ବିକାଶମୂଳକ କାର୍ଯ୍ୟରେ ଅଧିକ ନିବେଶ କରିବାର ସୁଯୋଗ ଦେଇଥାଏ। ଏଥିରେ ସଡ଼କ, ସ୍ଵାସ୍ଥ୍ୟ ଓ ଶିକ୍ଷା ପରି ଆନୁସଙ୍ଗିକ ଭିତ୍ତିଭୂମି ସୁଧାରିବାରେ ବେଶ ସହାୟକ ହୋଇଥାଏ। ଏହା ବ୍ୟତୀତ ଉଚ୍ଚ ଜିଏସଟି ସଂଗ୍ରହ ଏହା ଦର୍ଶାଇଥାଏ ଯେ ଅର୍ଥବ୍ୟବସ୍ଥାରେ ଚାହିଦ ସହ ଖର୍ଚ୍ଚ ବୃଦ୍ଧି ଘଟୁଛି। ଏହା କମ୍ପାନି ଗୁଡ଼ିକର ବିକ୍ରି ଓ ଉତ୍ପାଦନ ବୃଦ୍ଧିର ପ୍ରମାଣ ଦେଇଥାଏ। କିନ୍ତୁ ବର୍ଦ୍ଧିତ ଜିଏସଟି ସଂଗ୍ରହ ଦରବୃଦ୍ଧିର ମଧ୍ୟ ସଙ୍କେତ ଦେଇଥାଏ। ସର୍ବଦା କମ୍ପାନିଗୁଡ଼ିକ ଟ୍ୟାକ୍ସ ବୃଦ୍ଧିର ବୋଝ ଉପଭୋକ୍ତାଙ୍କ ଉପରେ ପକାଇଥାନ୍ତି। ଯାହା ଫଳରେ ଦର ବଢିବା ସହ ଟ୍ୟାକ୍ସ ସଂଗ୍ରହର ପରିମାଣ ବଢିଥାଏ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.