୫ ବର୍ଷରେ ୭.୦୮ ଲକ୍ଷ କୋଟି ଟଙ୍କା ଜିଏସଟି ଚୋରି ଧରାପଡ଼ିଛି, ଲୋକସଭାରେ ମନ୍ତ୍ରୀ ଦେଲେ ସୂଚନା

Published By : Prameya-News7 Bureau | August 04, 2025 IST

ନୂଆଦିଲ୍ଲୀ: ପାଞ୍ଚ ବର୍ଷରେ ପ୍ରାୟ ୭.୦୮ ଲକ୍ଷ କୋଟି ଟଙ୍କାର ଜିଏସଟି ଚୋରି ଧରାପଡ଼ିଛି । କେନ୍ଦ୍ରୀୟ ଜିଏସଟିର କ୍ଷେତ୍ରୀୟ ଅଧିକାରୀମାନେ ଆର୍ଥିକ ବର୍ଷ ୨୦୨୪-୨୫ ସୁଦ୍ଧା ଏହି ଜିଏସଟି ଚୋରି ଧରିଥିଲା, ଏଥିରୁ ପ୍ରାୟ ୧.୭୯ ଲକ୍ଷ କୋଟି ଟଙ୍କା ଇନ୍‌ପୁଟ୍ ଟ୍ୟାକ୍ସ କ୍ରେଡିଟ୍ (ଆଇଟିସି) ଜାଲିଆତି ମଧ୍ୟ ସାମିଲ ରହିଛି । କେନ୍ଦ୍ର ଅର୍ଥ ରାଷ୍ଟ୍ର ମନ୍ତ୍ରୀ ପଙ୍କଜ ଚୌଧୁରୀ ଲୋକସଭାରେ ଏହି ସୂଚନା ଦେଇଛନ୍ତି । ସରକାର ଦେଇଥିବା ତଥ୍ୟ ଅନୁସାରେ କେବଳ ଆର୍ଥିକ ବର୍ଷ ୨୦୨୪-୨୫ରେ ସିଜିଏସଟି ଫିଲ୍ଡ ଅଧିକାରୀଙ୍କ ଦ୍ୱାରା ୨.୨୩ ଲକ୍ଷ କୋଟିରୁ ଅଧିକ ଜିଏସଟି ଚୋରି ଧରାପଡ଼ିଛି ।

ସରକାର ଲୋକସଭାରେ କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୫ରେ ଜିଏସଟି ଚୋରିର ୩୦,୨୫୬ ମାମଲା ଧରାପଡ଼ିଥିଲା । ଏଥିରୁ ଅଧାରୁ ବି ଅଧିକ ୧୫,୨୮୩ ମାମଲା ଆଇଟିସି ଜାଲିଆତି ସହ ଜଡ଼ିତ ଥିଲା । ଏହି ମାମଲାରେ ୫୮,୭୭୨ କୋଟି ଟଙ୍କାର ଚୋରି କରାଯାଇଥିଲା । ଆର୍ଥିକ ବର୍ଷ ୨୦୨୩-୨୪ରେ ସିଜିଏସଟି ଫିଲ୍ଡ ଅଧିକାରୀଙ୍କ ଦ୍ୱାରା ୨.୩୦ ଲକ୍ଷ କୋଟି ଟଙ୍କାର ଜିଏସଟି ଚୋରି ଧାରପଡ଼ିଥିଲା । ଏଥିରୁ ୩୬,୩୭୪ କୋଟି ଟଙ୍କାର ଆଇଟିସି ଜାଲିଆତି ସାମିଲ ଥିଲା ।

ସରକାର ଲୋକସଭାରେ କହିଛନ୍ତି ଯେ ଆର୍ଥିକ ବର୍ଷ ୨୦୨୩ରେ ପ୍ରାୟ ୧.୩୨ ଲକ୍ଷ କୋଟି ଟଙ୍କାର ଜିଏସଟି ଚୋରି ଧରାପଡ଼ିଥିଲା । ସେହିପରି ଆର୍ଥିକ ବର୍ଷ ୨୦୨୨ ଓ ଆର୍ଥିକ ବର୍ଷ ୨୦୨୧ରେ ଜିଏସଟି ଚୋରି ଯଥାକ୍ରମେ ୭୩,୨୩୮ କୋଟି ଟଙ୍କା ଓ ୪୯,୩୮୪ କୋଟି ଟଙ୍କା ଥିଲା । ଏଥିରେ ଆଇଟିସି ଚୋରି ଯଥାକ୍ରମେ ୨୮,୦୨୨ କୋଟି ଟଙ୍କା ଓ ୩୧,୨୩୩ କୋଟି ଟଙ୍କା ଥିଲା । ଗତ ପାଞ୍ଚ ବର୍ଷରେ ସିଜିଏସଟି କ୍ଷେତ୍ରୀୟ ଅଧିକାରୀଙ୍କ ଦ୍ୱାରା ୯୧,୩୭୦ ମାମଲାରେ ପ୍ରାୟ ୭.୦୮ ଲକ୍ଷ କୋଟି ଟଙ୍କାର ମୋଟ ଜିଏସଟି ଚୋରି ଧରାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.