ବାବୁ ରାଓଙ୍କ ବିନା ଅସମ୍ଭବ ‘ହେରା ଫେରି ୩’: ସୁନୀଲ ସେଟ୍ଟୀ

Published By : Prameya-News7 Bureau | May 25, 2025 IST

ନୂଆଦିଲ୍ଲୀ: ଗତ କିଛି ସମୟ ଧରି ବେଶ ଚର୍ଚ୍ଚାରେ ରହିଛି ଫିଲ୍ମ ‘ହେରା ଫେରି ୩’। ଯେବେଠୁ ଭେଟେରାନ ଅଭିନେତା ପରେଶ ରାଓ୍ଵଲ ଫିଲ୍ମରେ ଅଭିନୟ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେଠୁ ପ୍ରଶଂସକଙ୍କୁ ଶକ୍ତ ଧକ୍କା ଲାଗିଛି। କେବଳ ପ୍ରଶଂସକ ନୁହେଁ ବରଂ ସୁନୀଲ ସେଟ୍ଟୀ ମଧ୍ୟ ଏହି ଖବରକୁ ବିଶ୍ଵାସ କରି ପାରୁ ନାହାନ୍ତି। ସେ ବୁଝି ପାରୁ ନାହାନ୍ତି ଯେ, କାହିଁକି ପରେଶ ରାଓ୍ଵଲ ଏତେ ବଡ଼ ନିଷ୍ପତ୍ତି ନେଲେ। 

ସୁନୀଲ ସେଟ୍ଟୀ କହିଛନ୍ତି, ଯେବେ ସେ ଅକ୍ଷୟ କୁମାର ଓ ପରେଶ ରାଓ୍ଵଲ ନିର୍ଦ୍ଦେଶକ ପ୍ରିୟଦର୍ଶନଙ୍କ ସହ ‘ହେରା ଫେରି ୩’ର ପ୍ରୋମୋ ସୁଟ୍ କରୁଥିଲୁ, ତାଙ୍କୁ ସେହି ଏନର୍ଜି ଲାଗୁଥିଲା, ଯାହା ୨୫ ବର୍ଷ ପୂର୍ବେ ହେରା ଫେରି ସମୟରେ ଲାଗିଥିଲା। ସେ ନିର୍ଦ୍ଦେଶକଙ୍କ ଚିନ୍ତାଧାରା ଓ ବୁଦ୍ଧିମତାର ପ୍ରଶଂସା କରିଥିଲେ। ସୁନୀଲ କହିଛନ୍ତି, ପ୍ରିୟଦର୍ଶନ ତିନି ଅଭିନେତାଙ୍କୁ ହେରା ଫେରିର ସୁଟ୍ ସମୟରେ ମେକଅପ୍ କରିବାକୁ ଦେଉ ନ ଥିଲେ।

ସୁନୀଲ ସେଟ୍ଟୀ ଏହା ମଧ୍ୟ କହିଛନ୍ତି, ହେରା ଫେରି ୩ର ପ୍ରୋମୋ ସୁଟ୍ କରିବା ସମୟରେ ଅନୁଭବ କରି ପାରୁ ନ ଥିଲି ଯେ, ବାସ୍ତବରେ ଆମେ ତିନି ଜଣ ପ୍ରିୟଦର୍ଶନଙ୍କ ସହ ୨୫ ବର୍ଷ ପରେ ହେରା ଫେରି ତିଆରି କରିବାକୁ ଯାଉଛୁ। ଏହି ପରି ଜୁଗଳବନ୍ଦୀ ଓ ଭାଗିଦାରୀ ଆମ ସେଟ୍‌ରେ ରହୁଥିଲା। ଆମର ପରସ୍ପର ମଧ୍ୟରେ ଯୋଗାଯୋଗ ବେଶ ଚମତ୍କାର ଥିଲା। ପ୍ରଥମ ହେରା ଫେରିର ସୁଟ୍ ଆମେ ଚେନ୍ନାଇରେ କରିଥିଲୁ। ନିର୍ଦ୍ଦେଶକ ପ୍ରିୟଦର୍ଶନ ଆମ କପଡ଼ାରେ ମାଟି ଲଗାଇ ଦେଉଥିଲେ। ଆମକୁ ନିଜ ପୋଷାକରେ ଆଇରନ ମାରିବାକୁ ମଧ୍ୟ ଦିଆଯାଉ ନ ଥିଲା। ସିନ୍ ଟେକ୍ ମଝିରେ ତଳେ ପେପର ପକାଇ ଶୋଇବାକୁ କୁହାଯାଉଥିଲା। ଆମକୁ ବାରମ୍ବାର ମେକ ଅପ୍ କରିବାକୁ ପ୍ରିୟଦର୍ଶନ ମନା କରୁଥିଲେ।  

ଅଭିନେତା କହିଛନ୍ତି, ହେରା ଫେରି ୩ରୁ ପରେଶ ରାଓ୍ଵଲ ଛାଡ଼ିବାକୁ ମୁଁ ସହଜରେ ଗ୍ରହଣ କରି ପାରୁନି। ଏହି ଖବର କେବଳ ପ୍ରଶଂସକଙ୍କ ପାଇଁ ନୁହେଁ ବରଂ ଅକ୍ଷୟ କୁମାର ଓ ମୋ ପାଇଁ ସ୍ତବ୍ଧ କରି ଦେବା ପରି ଥିଲା। ମେ ୨୪ରେ ସେ ପରେଶ ରାଓ୍ଵଲଙ୍କୁ ଭେଟିବେ ଏବଂ କାହିଁକି ଫିଲ୍ମ ଛାଡ଼ିଲେ ତାର କାରଣ ପଚାରିବେ। ହେରା ଫେରି ୩ କେବଳ ମୋ ପାଇଁ ନୁହେଁ ବରଂ ଅକ୍ଷୟ, ପରେଶ ଏବଂ ତାଙ୍କ ପରିବାର ପାଇଁ, ପ୍ରଶଂସକଙ୍କ ପାଇଁ ସବୁଠୁ ବଡ଼ ଫିଲ୍ମ ଥିଲା। 

ମୁଁ ମେ  ୨୪ରେ ମୁମ୍ବାଇ ଯିବି ଏବଂ ତାଙ୍କ ସହ ଆଲୋଚନା କରିବି। ମୋତେ ଜଣା ନାହିଁ ବାସ୍ତବରେ କଣ ଘଟିଛି। ମୋତେ ଲାଗୁନି ଆମେ ଅନ୍ୟ କୌଣସି ଅଭିନେତାଙ୍କୁ ରାଜୁ, ଶ୍ୟାମ କିମ୍ବା ବାବୁ ରାଓଙ୍କ ଚରିତ୍ରରେ ଚିନ୍ତା କରି ପାରିବା। କେହି ବି ଅକ୍ଷୟ କୁମାରଙ୍କ ବ୍ୟତୀତ ରାଜୁ ଚରିତ୍ରରେ ଅଭିନୟ କରି ପାରିବ ନାହିଁ। ନା କେହି ମୋ ବ୍ୟତୀତ ଶ୍ୟାମ ଚରିତ୍ରରେ ପ୍ଲେ କରି ପାରିବ। ବୋଧହୁଏ ଏକ ପ୍ରତିଶତ କିଏ ଥିବ ଯିଏ ରାଜୁ ଓ ଶ୍ୟାମ ବିନା ହେରା ଫେରି ଚିନ୍ତା କରି ପାରିବ। ଏସବୁ ବାବୁ ରାଓଙ୍କ ବିନା ଅସମ୍ଭବ ବୋଲି ସୁନୀଲ ସେଟ୍ଟୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.