ଲେବାନନ୍‌ର ପେଜର ବିସ୍ଫୋରଣରେ ୧୧ ମୃତ, ୪ହଜାର ଆହତ; ତେବେ କଣ ଏହି ପେଜର ?

Published By : Prameya-News7 Bureau | September 18, 2024 IST

ନୂଆଦିଲ୍ଲୀ ୧୮।୦୯: ଲେବାନନ୍ ଓ ଏହାର ସୀମାବର୍ତ୍ତୀ ସିରିଆର କିଛି ଅଞ୍ଚଳରେ ପେଜର ବିସ୍ଫୋରଣ । ବିସ୍ଫୋରଣରେ ଏପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଇରାନର ରାଷ୍ଟ୍ରଦୂତ ମଧ୍ୟ ରହିଛନ୍ତି । କୁହାଯାଉଛି କି ପେଜର୍ସକୁ ହ୍ୟାକ୍‌ କରି ବ୍ଲାଷ୍ଟ କରାଯାଇଛି । ଏହି ପେଜର୍ସର ବ୍ୟବହାର ହିଜବୁଲାର ଯୁଦ୍ଧବିମାନରେ ହୋଇଥାଏ । ଏହି ହ୍ୟାକିଂ ପଛରେ ଇସ୍ରାଏଲର ହାତ ରହିଥିବା ଦାବି କରାଯାଉଛି । ତେବେ ଏନେଇ ଇସ୍ରାଏଲ ଏପର୍ଯ୍ୟନ୍ତ ପ୍ରତିକ୍ରିୟା ଦେଇନି । 

 ଖବର ଅନୁଯାୟୀ ମଙ୍ଗଳବାର ଦ୍ବିପହର ୩.୩୦ ବେଳେ ହଠାତ୍ ଗୋଟିଏ ପରେ ଗୋଟିଏ ପେଜର ବିସ୍ଫୋରଣ ହୋଇଥିଲା । ଲେବାନନର ଘରଠାରୁ ଆରମ୍ଭ କରି ରାସ୍ତାଘାଟ ଏବଂ ବଜାରରେ ବିସ୍ଫୋରଣ ହୋଇଥିଲା । କେତେବେଳେ କାହା ପକେଟରେ ତ ଆଉ କାହାର ହାତରେ ହୋଇଥିଲା ବିସ୍ଫୋରଣ ।  ପ୍ରାୟ ଏକ ଘଣ୍ଟା ଧରି ଲେବାନନରୁ ସିରିଆ ପର୍ଯ୍ୟନ୍ତ ହୋଇଥିଲା ବିସ୍ଫୋରଣ । ଲେବାନନ୍ କହିଛି ଯେ ଇସ୍ରାଏଲ୍ ହିଜବୁଲ୍ଲାକୁ ଟାର୍ଗେଟ କରି ସିରିଏଲ୍‌ ପେଜର୍ ବିସ୍ଫୋରଣ କରିଛି । ଏହା ହିଜବୁଲ୍ଲାର ଯୋଗାଯୋଗ ବ୍ୟବସ୍ଥା ଉପରେ ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି ।

ଲେବାନନରେ ହୋଇଥିବା ଏହି ସିରିଏଲ ପେଜର୍ ବିସ୍ଫୋରଣରେ ହିଜବୁଲ୍ଲାର ଜଣେ ବରିଷ୍ଠ ନେତାଙ୍କ ପୁଅଙ୍କର ମୃତ୍ୟୁ ହୋଇଛି । ଏହାବ୍ୟତୀତ ହିଜବୁଲର ଦୁଇ ବରିଷ୍ଠ ଅଧିକାରୀଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ ଇସ୍ରାଏଲର ଗୁପ୍ତଚର ଏଜେନ୍ସି ମୋସାଦ ପେଜରରେ ବିସ୍ଫୋରକ ସାମଗ୍ରୀ ଲଗାଇଛି । 

ଏହି ପେଜର୍ ଗୁଡିକ ତାଇୱାନର ଏକ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା । ଏଗୁଡିକୁ ତାଇୱାନରୁ ଲେବାନନକୁ ପଠାଯାଇଥିଲା । ମୋସାଦ ଲେବାନନରେ ପହଞ୍ଚିବା ପୂର୍ବରୁ ଏହି ପେଜର୍ ଗୁଡିକରେ ବିସ୍ଫୋଟକ ଲଗାଇଥିଲା । ଲେବାନନରେ ହୋଇଥିବା ଏହି ପେଜର୍ ବିସ୍ଫୋରଣରେ ଆମେରିକା କହିଛି ଯେ ଏହି ପେଜର୍ ବିସ୍ଫୋରଣ ବିଷୟରେ ସେମାନଙ୍କ ପାଖରେ କୌଣସି ସୂଚନା ନଥିଲା । ଏହି ଆକ୍ରମଣରେ ସେ କୌଣସି ପ୍ରକାରେ ଜଡିତ ନୁହଁ । 

ତେବେ କଣ ଏହି ପେଜର ?  ଏହା ହେଉଛି ଏକ ଇଲେକ୍ଟ୍ରୋନିକ୍ସ ଡିଭାଇସ। ମେସେଜ୍ ପଠାଇବା ଏବଂ ପଢିବା ପାଇଁ ଏହାକୁ ବ୍ୟବହାର କରାଯାଇଥାଏ। ରେଡିଓ ସିଗନାଲ୍ ଦ୍ୱାରା ଏହା ମେସେଜ୍ ରିସିଭ୍ କରିଥାଏ। ମୋବାଇଲ୍ ନଥିବା ବେଳେ ଏହାର ବହୁତ ବ୍ୟବହାର ହେଉଥିଲା । ୧୯୯୦ ଦଶକରେ ବେଶ୍ ଲୋକପ୍ରିୟ ଥିଲା ପେଜର। ସେହି ସମୟରେ ଏହାକୁ ଡାକ୍ତର, ବ୍ୟବସାୟୀ ଏବଂ ଜରୁରୀ ସେବା ସହ ଜଡିତ ବ୍ୟକ୍ତି ବ୍ୟବହାର କରୁଥିବା ଜଣାପଡିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.