କଟକ ୧୫।୦୧ : ଦଣ୍ଡ କୋହଳ କଲେ ହାଇକୋର୍ଟ । ଫାଶୀ ବଦଳରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ପାଇଁ ରାୟ ଶୁଣାଇଛନ୍ତି ମାନ୍ୟବର ହାଇକୋର୍ଟ । ଏହିସହିତ ମୃତକଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ସ୍ୱାଭାବିକ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ୯ ଜଣ ଦୋଷୀ ଜେଲରେ ରହିବେ ଏବଂ ଜେଲରେ ଥିବା ଭିତରେ ସେମାନଙ୍କ ଦଣ୍ଡାଦେଶରେ ଆଉ କୌଣସି କୋହଳ କରାଯାଇ ପାରିବନାହିଁ ବୋଲି ହାଇକୋର୍ଟ ତାଙ୍କ ରୟରେ ସ୍ପଷ୍ଟ କରିଛନ୍ତି।
ଭୁବନେଶ୍ୱର ବିମାନବନ୍ଦରରୁ ୪ କୋଟିର ନିଶା ସାମଗ୍ରୀ ସିଜ୍, ଜଣେ ଗିରଫ
ଖବର ଅନୁଯାୟୀ, ୨୦୧୬ ସେପ୍ଟେମ୍ବର ୯ ରାତି ପ୍ରାୟ ୭ଟା ୧୫ରେ ଗୁଣିଗାରେଡ଼ି ସନ୍ଦେହରେ ପୁଟାସିଂ ଥାନା ଅନ୍ତର୍ଗତ କିତୁ ଗାଁର ଅସୀନ ଶବର, ପତ୍ନୀ ଆମ୍ବ ଶବର ଓ ବଡ ଝିଅ ଅସମଣି ଶବରଙ୍କୁ ପିଟି ପଟି କେତେକ ବ୍ୟକ୍ତି ଅଧମରା କରି ଦେଇଥିଲେ। ଝିଅ ପାଟିରେ କୀଟନାଶକ ଇଞ୍ଜେକସନ୍ ଭର୍ତ୍ତି କରି ମୃତ ପ୍ରାୟ କରି ଦେଇଥିଲେ। ଅଭିଯୁକ୍ତମାନେ ଜୀବନ ଥାଉ ଥାଉ ବାପା-ମା’ ଓ ଝିଅ ୩ ଜଣଙ୍କୁ ଗାଁ ଶ୍ମଶାନରେ ଗାତ ଖୋଳି ମାଟି ତଳେ ପୋତି ଦେଇଥିଲେ। ଏହା ପରେ ଦୁଇ ଦିନ ପରେ ପ୍ରମାଣ ନଷ୍ଟ କରିବାକୁ ଶବ ମାଟି ତଳୁ କାଢି ପୋଡି ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦୃଶ୍ୟର ଜଣେ ମାତ୍ର ସାକ୍ଷୀ ରହିଥିଲେ ପୀଡିତ ପରିବାରର ସାନ ଝିଅ। ତାଙ୍କୁ ମଧ୍ୟ ଦୁଇ ଦିନ ଧରି ଗାଁର ଜଣେ ବ୍ୟକ୍ତିଙ୍କ ଘରେ ନଜରବନ୍ଦୀ କରି ରଖାଯାଇଥିଲା। କୌଶଳକ୍ରମେ ସେ ଗାଁରୁ ଖସି ଆସିବାରୁ ଘଟଣା ଲୋକଲୋଚନକୁ ଆସିଥିଲା। ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଟଲଣା ପଞ୍ଚାୟତ ଅନ୍ତର୍ଗତ କିତୁ˚ ଗାଁରେ ଏହି ଘଟଣା ଘଟିଥିଲା।
୨୦୧୬ ସେପ୍ଟେମ୍ବର ୧୬ରେ ଏନେଇ ପୋଲିସ ମାମଲା ରୁଜ୍ଜୁ କରିଥିଲା। ଏହି ମାମଲାରେ ଗୁଣପୁର ଅତିରିକ୍ତ ଦୌରା ଜଜ୍ ୨୦୧୮, ଏପ୍ରିଲ ୨୩ ତାରିଖରେ ୯ଜଣଙ୍କୁ ଫାଶୀ ଦଣ୍ଡ ପ୍ରଦାନ କରିଥିବା ବେଳେ ହାଇକୋର୍ଟ ଏହି ରାୟକୁ ରଦ୍ଦ କରିଥିଲେ। ଏଥି ସହିତ ମାମଲାର ସାନି ଶୁଣାଣି କରିବାକୁ ନିମ୍ନ ଅଦାଲତଙ୍କୁ ହାଇକୋର୍ଟ ୨୦୧୯, ନଭେମ୍ବର ୫ରେ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାୟଗଡ଼ା ଜିଲ୍ଲା ଓ ଦୌରା ଜଜ୍ ଅଦାଲତରେ ମାମଲାର ସାନି ଶୁଣାଣି ଆରମ୍ଭ ହୋଇଥିଲା। ୨୦୨୧, ଅକ୍ଟୋବର ୨୧ରେ ଦୌରା ଅଦାଲତ ରାୟ ପ୍ରକାଶ କରି ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ମୃତ୍ୟୁଦଣ୍ଡ ପ୍ରଦାନ କରିଥିଲେ। ତେବେ ମୃତ୍ୟୁ ଦଣ୍ଡ ସଂପର୍କିତ ମାମଲା ଓ ରାୟ ବିରୋଧରେ ଦାୟର ଅପିଲର ହାଇକୋର୍ଟ ଏକତ୍ର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି ହାଇକୋର୍ଟ । ଏହାସହିତ ପୀଡିତାଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନସେବା କମିଟିକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।