ଯୌନ ଶୋଷଣର ଶିକାର ହୋଇଥିଲେ ଛାତ୍ରୀ,୧୧ ମାସ ପୂର୍ବରୁ କିଟ୍ କର୍ତ୍ତୃପକ୍ଷଙ୍କୁ କରିଥିଲେ ଅଭିଯୋଗ

Published By : Prameya-News7 Bureau | March 21, 2025 IST

 ଭୁବନେଶ୍ବର ୨୧/୩:  କିଟ୍‌ରେ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ବଡ ଖବର । ଯୌନ ଶୋଷଣର ଶିକାର ହୋଇଥିଲେ ମୃତ ଛାତ୍ରୀ । ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ସେ ଯୌନ ନିର୍ଯାତନା ସଂପର୍କରେ କିଟ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ । ୨୦୨୪ ମାର୍ଚ୍ଚ ୧୨ରେ ଏହି ଅଭିଯୋଗ ଆସିଥିଲା । କିଟ୍‌ ଛାତ୍ରୀ ମୃତ୍ୟୁ ମାମଲାରେ ଶୁକ୍ରବାର ବିଧାନସଭାରେ ଏମିତି ଲିଖିତ ଉତ୍ତର ରଖିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। 

କିଟ୍‌ ଛାତ୍ରୀ ମୃତ୍ୟୁ ମାମଲାରେ କଂଗ୍ରେସ ବିଧାୟକ ଦାଶରଥୀ ଗମାଙ୍ଗଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ । ତାଙ୍କ ତଥ୍ୟ ମୁତାବକ ଆତ୍ମହତ୍ୟାର ୧୧ ମାସ ପୂର୍ବରୁ ଯୌନ ନିର୍ଯାତନା ସଂପର୍କରେ କିଟ୍‌ କର୍ତ୍ତୃପକ୍ଷଙ୍କୁ ଅଭିଯୋଗ କରିଥିଲେ ପୀଡିତା ।ଏନେଇ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଉଚ୍ଚସ୍ତରୀୟ କମିଟି ତଦନ୍ତ ଜାରି ରଖିଛି । ଏବେ ସୁଦ୍ଧା ୧୯ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ଫେବ୍ରୁଆରୀ ୧୮ରେ ୮ ଜଣ, ୨୭ରେ ୬ ଜଣଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି । ମାର୍ଚ୍ଚ ୬ ତାରିଖରେ ୫ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଛି ଉଚ୍ଚସ୍ତରୀୟ କମିଟି । 


ଫେବ୍ରୁଆରୀ ୧୮ରେ ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ ରାଜ୍ୟ ସରକାର । ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ୩ଜଣିଆ କମିଟି କିଟ୍‌କୁ ଯାଇ ତଦନ୍ତ ଆରମ୍ଭ କରିଥିଲେ । କିନ୍ତୁ ଏ ଯାଏ ତଦନ୍ତ କେତେ ବାଟ ଗଲା,କେବେ ସରକାରଙ୍କୁ ରିପୋର୍ଟ ଦିଆଯିବ  ସେ ସଂପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ  । ଏବେବି ତଦନ୍ତ ଚାଲିଥିବା କଥା ସେ କହିଛନ୍ତି । ସୂଚନା ମୁତାବକ ଫେବ୍ରୁଆରୀ ୧୬ରେ କିଟ୍‌ କ୍ୟାମ୍ପସରେ ନେପାଳି ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଘଟଣା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା । 

 


  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.