HBD Amit Shah : ପଞ୍ଚାୟତରୁ ସଂସଦ ଯାଏଁ, ସବୁଠୁ ବିଜେପିକୁ ଶକ୍ତିଶାଳୀ କରିବାରେ ମାହିର

Published By : Prameya-News7 Bureau | October 22, 2024 IST

starofmysore

ନୂଆଦିଲ୍ଲୀ ୨୨।୧୦ : ପଞ୍ଚାୟତରୁ ସଂସଦ । ସବୁଠି ବିଜେପିକୁ କ୍ଷମତା ଆଣିବାରେ ତାଙ୍କର ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକା । ୧୦ ବର୍ଷର ବନବାସ ପରେ ୨୦୧୪ରେ ବିଜେପି କେନ୍ଦ୍ରସରକାରର କ୍ଷମତାକୁ ଫେରିଥିଲେ । ଆଉ ଏଥିରେ ଏହି ନେତାଙ୍କ ଭୂମିକା ଥିଲା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ରାଜନୀତିରେ ଗୋଟି ଚାଳନାରେ ପାରଙ୍ଗମ ତଥା ବିଜେପିର ଚାଣକ୍ୟ ବୋଲି ଚର୍ଚ୍ଚା ହେଉଥିବା ଗୃହମନ୍ତ୍ରୀ ଅମିତ ଶାହଙ୍କ ଆଜି ୬୦ ତମ ଜନ୍ମ ଦିନ । 

୧୯୬୪ ମସିହା ଅକ୍ଟୋବର ୨୨ ତାରିଖରେ ମୁମ୍ଵାଇର ଏକ ଗୁଜରାଟୀ ପରିବାରରେ ଅମିତ ଶାହଙ୍କ ଜନ୍ମ।  ପିତା ଅନିଲଚନ୍ଦ୍ର ଶାହ ଏବଂ ମାତା କୁସୁମବେନ ଶାହ। ତାଙ୍କ ପତ୍ନୀ ସୋନଲ ଶାହ ଏବଂ ପୁଅ ଜୟ ଶାହ। ଜୟ ଏବେ ବିସିସିଆଇ ସଚିବ ଅଛନ୍ତି। ଆଗକୁ ଆଇସିସିର ଅଧ୍ୟକ୍ଷ ପଦ ମଧ୍ୟ ସମ୍ଭାଳିବାର ରହିଛି । 

ଶାହଙ୍କ ରାଜନୈତିକ ଯାତ୍ରା

ଦିନେ କ୍ରିକେଟ୍ ଏବଂ ସଙ୍ଗୀତ ପ୍ରତି ଇଚ୍ଛା ରଖିଥିବା ବିଜେପିର ଏହି ବରିଷ୍ଠ ନେତା ରାଜନୀତିରେ ପାଦ ଦେବାର ମୁଖ୍ୟ କାରଣ ହେଉଛି ତାଙ୍କ ପରିବାର। ଅମିତ ଶାହଙ୍କ ପରିବାର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ସହ ଥିଲେ ଜଡ଼ିତ। ଏଥିପାଇଁ ସେ ୧୯୮୩ରେ କଲେଜ କ୍ୟାରିଅରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ABVP)ରେ ଯୋଗ ଦେଇଥିଲେ। ଏହାପରେ ସେ ୧୯୮୭ରେ ବିଜେପିର ଯୁବମୋର୍ଚ୍ଚାରେ ସାମିଲ ହୋଇଥିଲେ। ୧୯୯୭ରେ ସେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୨ରେ ସେ ଗୁଜରାଟର ଗୃହମନ୍ତ୍ରୀ ହେବା ପରେ ଚର୍ଚ୍ଚାକୁ ଆସିଥିଲେ। ଶାହଙ୍କ ଦୂରଦୃଷ୍ଟି ସମ୍ପନ୍ନ ରଣନୀତି କୌଶଳକୁ ଦେଖି ବିଜେପି ୨୦୧୪ରେ ତାଙ୍କୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିଥିଲା। ତାଙ୍କ ନେତୃତ୍ଵରେ ବିଜେପି ପ୍ରଚଣ୍ଡ ବହୁମତ ପାଇ ଦେଶରେ ସରକାର ଗଠନ କଲା। ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ଏକାଠି କରି ବିଜେପିକୁ କ୍ଷମତାକୁ ଆଣିଥିଲେ। ୧୦ ବର୍ଷ ଧରି କ୍ଷମତାଠୁ ଦୂରରେ ଥିବା ବିଜେପିର ବନବାସ ଶେଷ ହୋଇଥିଲା । ଆଉ କେନ୍ଦ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର ଗଢିଥିଲା । ଶେଷରେ ୨୦୧୯ ମସିହାରେ ଅମିତ ଶାହଙ୍କ ନେତୃତ୍ୱରେ ପୁଣି ଥରେ ବିଜେପି ସରକାର ଗଢିଥିଲା । ଆଉ ଏଥର ବି ତାଙ୍କ ରଣନୀତିରେ ଚକ୍‌ମା ଖାଇଥିଲା କଂଗ୍ରେସ । ପୁଣି ଥରେ ରେକର୍ଡ ମାର୍ଜିନ ସହ କ୍ଷମତାକୁ ଫେରିଥିଲା ବିଜେପି । ଆଉ ଅମିତ ଶାହ ସଭାପତି ପଦ ଛାଡି କେନ୍ଦ୍ର କ୍ୟାବିନେଟ୍‌ରେ ଦାୟିତ୍ୱ ସମ୍ଭାଳିଥିଲେ । କେନ୍ଦ୍ର କ୍ୟାବିନେଟ୍‌ରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ବହନ କରିଥିଲେ । ସେବେଠାରୁ ଏବେ ଯାଏଁ (୨୦୧୯-୨୦୨୪ ) ଗୃହମନ୍ତ୍ରୀ ଭାବେ କେନ୍ଦ୍ର କ୍ୟାବିନେଟ୍‌ରେ ଗୃହମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳୁଛନ୍ତି । 

କାହିଁକି ଅମିତ ଶାହଙ୍କୁ କୁହାଯାଏ ଚାଣକ୍ୟ ?

ଅମିତ ଶାହ ଜଣେ ଦକ୍ଷ ସଙ୍ଗଠକ। ତୃଣମୂଳ ସ୍ତରରେ ସେ ରଣନୀତି କରିବାରେ ଅମିତ ଶାହ ମାହିର। ଏହାର ଉଦାହରଣ ୨୦୧୪ ଏବଂ ୨୦୧୯ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏହି ୨ ନିର୍ବାଚନରେ ବିଜେପି ବମ୍ପର ସିଟ୍‌ରେ ଜିତି ସରକାର ଗଠନ କରିଥିଲା। ଏପରିକି ଅମିତ ଶାହଙ୍କ ଅଧ୍ୟକ୍ଷ ଥିବା ବେଳେ ବିଜେପି ଏଭଳି ରାଜ୍ୟରେ କ୍ଷମତାକୁ ଫେରିଥିଲା, ଯେଉଁଠାରେ ଭାରତୀୟ ଜନତା ପାର୍ଟିର ଚିହ୍ନବର୍ଣ୍ଣ ନଥିଲା। ଅମିତ ଶାହ ଉତ୍ତର ପ୍ରଦେଶ, ଜମ୍ମୁ କାଶ୍ମୀର ବ୍ୟତୀତ ପୂର୍ବୋତ୍ତରରେ ବିଜେପି ଗଡ଼ ମଜଭୁତ କରିଥିଲେ। 

ତେବେ ଚାଣକ୍ୟ ବୟାନ ନେଇ ଅମିତ ଶାହ କୁହନ୍ତି ଯେ, ମୁଁ ମୋ ନିଜକୁ କେବେ ଚାଣକ୍ୟ ଭାବିନି। ମୁଁ କେବଳ ତାଙ୍କୁ ଅନୁସରଣ କରେ। ଶାହ ସର୍ବ ପ୍ରଥମେ ୧୯୯୧ ଲୋକସଭା ନିର୍ବାଚନରେ ଗାନ୍ଧୀନଗରରେ ଲାଲକୃଷ୍ଣ ଆଡଭାଣୀଙ୍କ ନିର୍ବାଚନ ପ୍ରଭାରୀ ଦାୟିତ୍ଵ ନେଇଥିଲେ। ହେଲେ ୧୯୯୫ ନିର୍ବାଚନରେ ତାଙ୍କର ବୁଥ୍ ପ୍ରଭାରୀ ପ୍ରଭାବ ଦେଖିବାକୁ ମିଳିଥିଲା। ସେତେବେଳେ ସାବରମତି ବିଧାନସଭା ସିଟ୍‌ରେ ତତ୍କାଳୀନ ଉପମୁଖ୍ୟମନ୍ତ୍ରୀ ନରହରି ଅମିନଙ୍କ ବିପକ୍ଷରେ ଠିଆ ହୋଇଥିବା ଆଡଭୋକେଟ୍ ଯତିନ ଓଝାଙ୍କ ନିର୍ବାଚନ ପ୍ରଭାରୀ ଦାୟିତ୍ଵ ଦିଆଯାଇଥିଲା। ସେହିପରି ଅମିତ ଶାହ ଗୃହମନ୍ତ୍ରୀ ଥିବା ବେଳେ ଜାମ୍ମୁ-କାଶ୍ମୀରରୁ  ଧାରା ୩୭୦ ଉଚ୍ଛେଦ ହୋଇଥିଲା । ଏହାସହିତ ଦେଶରେ ଏନ୍‌ଆର୍‌ସି ଓ ସିଏଏ ବିଲ୍‌ ପାସ୍‌ ହୋଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.