ବେଙ୍ଗାଲୁରୁ ଏୟାରପୋର୍ଟରେ ବିପୁଳ ପରିମାଣରେ ନିଶା ସାମଗ୍ରୀ ଜବତ, ୨ ନାଇଜେରିୟ ମହିଳା ଗିରଫ

Published By : Prameya-News7 Bureau | March 16, 2025 IST

ବେଙ୍ଗାଲୁରୁ ୧୬।୩: କର୍ଣ୍ଣାଟକରେ ସବୁଠୁ ଅଧିକ ଡ୍ରଗସ୍ ଜବତ ମାମଲାରେ ପୋଲିସ ୨ ଜଣ ନାଇଜେରିୟ ମହିଳାଙ୍କୁ ଗିରଫ କରିଛି। ବେଙ୍ଗାଲୁରୁ ଏୟାରପୋର୍ଟରେ ଏହି ମହିଳା ଦୁହିଁଙ୍କ ବ୍ୟାଗରୁ ୩୭ କେଜିରୁ ଅଧିକ ଏମଡିଏମଏ(ସିନ୍ଥେଟିକ୍ ଡ୍ରଗସ୍) ଜବତ ହୋଇଛି, ଯାହାର ଅନ୍ତର୍ଜାତୀୟ ବଜାର ମୂଲ୍ୟ ପାଖାପାଖି ୭୫ କୋଟି ଟଙ୍କା ଆକଳନ କରାଯାଉଛି। ଏହି ମାମଲା ଦେଶରେ ପୁରା ଡ୍ରଗ ତସ୍କରୀ ନେଟୱାର୍କର ମୁଖା ଖୋଲିଦେଇଛି। 

ଗିରଫ ମହିଳା ଦୁହିଁଙ୍କୁ ବାମ୍ବା ଫାଣ୍ଟା (୩୧) ଓ ଅବିଗ୍ୟାଲ ଏଡୋନିସ୍ (୩୦) ରୂପେ ଚିହ୍ନଟ କରାଯାଇଛି। ମହିଳା ଦୁଇଜଣ ବିମାନରେ ଦିଲ୍ଲୀରୁ ବେଙ୍ଗାଲୁରୁ ପହଞ୍ଚିଥିଲେ। ପୋଲିସ ସେମାନଙ୍କ ତଲାସୀ ନେବା ବେଳେ ଟ୍ରଲି ବ୍ୟାଗ୍‌ ରୁ ବିପୁଳ ପରିମାଣର ଡ୍ରଗସ୍ ବାହାରିଥିଲା। ଏହା ଛଡା ପୋଲିସ ସେମାନଙ୍କ ନିକଟରୁ ୪ଟି ମୋବାଇଲ ଫୋନ, ପାସପୋର୍ଟ ଓ ନଗଦ ୧୮ ହଜାର ଟଙ୍କା ଜବତ କରିଛି। ପୋଲିସ ଯାଞ୍ଚରୁ ମହିଳାମାନେ ଦିଲ୍ଲୀରେ ରହୁଥିବା ଓ ସେମାନେ ଗତ ୨ ବର୍ଷ ହେଲା ଭାରତରେ ଡ୍ରଗସ୍ ତସ୍କରୀ କରୁଥିବା ଜାଣିବାକୁ ପାଇଛି। 

ନିଶା ସାମଗ୍ରୀ ଚୋରା ଚାଲାଣ ନିମନ୍ତେ ସେମାନେ ଖାସ କରି ବିମାନ ମାର୍ଗକୁ ବାଛୁଥିଲେ। ସେମାନେ ଗତ ବର୍ଷକରେ ୩୭ ଥର ମୁମ୍ବାଇ ଓ ୨୨ ଥର ବେଙ୍ଗାଲୁରୁ ଆସିଥିଲେ। ପୋଲିସ ଅନୁସାରେ ବମ୍ବା ଫାଣ୍ଟା ୨୦୨୦ ମସିହାରେ ବିଜନେସ୍ ଭିସାରେ ଭାରତ ଆସିଥିଲା। ତେବେ ଓବିଗ୍ୟଲ ଏଡୋନିସ୍ ୨୦୧୬ ମସିହାରୁ ଭାରତରେ ରହୁଥିଲା। ମହିଳା ଦ୍ୱୟ ଡ୍ରଗସ୍ ତସ୍କରୀରୁ ବିପୁଳ ଆୟ କରୁଥିଲେ ଓ କେତେକ ରାଜ୍ୟକୁ ଡ୍ରଗସ୍ ସପ୍ଲାଇରେ ସକ୍ରିୟ ଥିଲେ। 

ଏବେ ଦୁଇଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ସେମାନଙ୍କ ବିରୋଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ କରାଯାଉଛି। ଏହା ସହିତ ଏହି ଡ୍ରଗସ୍ ନେଟୱାର୍କକୁ ସମାପ୍ତ କରିବା ପାଇଁ ଅନ୍ୟ ସମ୍ଭାବିତ ଲିଙ୍କର ଯାଞ୍ଚ ଜାରି ରହିଛି। ଏହି ମାମଲା ଭାରତରେ ବଢୁଥିବା ଡ୍ରଗ୍ସ ତସ୍କରୀକୁ ଉଜାଗର କରିଥିବା ବେଳେ କିପରି ଅନ୍ତର୍ଜାତୀୟ ମାଫିଆ ଭାରତୀୟ ବଜାରରେ ନିଶା କାରବାର ବ୍ୟାପ୍ତ କରୁଛନ୍ତି ତାହା ପ୍ରମାଣିତ କରୁଛି। ପୋଲିସ ଏବେ ଏହି ନେଟୱାର୍କ ସମ୍ପର୍କିତ ଅନ୍ୟ ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ତଦନ୍ତକୁ ଆଗକୁ ବଢାଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.