ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ବାପଘର ଲୋକଙ୍କ ଅଭିଯୋଗ ପରେ ସ୍ବାମୀ ଗିରଫ

Published By : Prameya-News7 Bureau | April 06, 2025 IST

ଆଠଗଡ଼ ବିବାହିତା ମହିଳାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ଘଟଣାରେ ସ୍ବାମୀ ଗିରଫ । ମହିଳାଙ୍କ ବାପଘର ପକ୍ଷରୁ ପିଟିପିଟି ମାରିଦେବା ଅଭିଯୋଗ ପରେ ଗିରଫ ହୋଇଥିବା ଜଣାପଡିଛି । ଝିଅକୁ ଶାଶୁଘର ଲୋକ ପିଟିପିଟି ହତ୍ୟା କରିଥିବା ତିଗିରିଆ ଥାନାରେ ଅଭିଯୋଗ କରିଛନ୍ତି ମୃତକଙ୍କ ବାପା ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ତିଗିରିଆ ଥାନା ବିଷ୍ଣୁପୁର ପ୍ରଧାନ ସାହିରେ ଘଟିଯାଇଛି ଏଭଳି ଅଘଟଣ । ବିବାହର ଦୀର୍ଘ ବର୍ଷ ପରେ ମଧ୍ୟ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ଭଲ ନଥିଲା । ବହୁ ସମୟରେ ମହିଳାଙ୍କ ସ୍ବାମୀ ମଦ୍ୟପାନ କରି ତାଙ୍କୁ ମାରପିଟ କରୁଥିବା ମୃତକଙ୍କ ବାପଘର ପକ୍ଷରୁ ଅଭିଯୋଗ ହୋଇଛି । ଶୁକ୍ରବାର ରାତିରେ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ମହିଳାଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି । ତେବେ ଶାଶୁଘର ଲୋକେ ବୋହୂ କୀଟନାଶକ ଔଷଧ ଖାଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ବାପଘର ପକ୍ଷରୁ ଝିଅକୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । 

ଅଭିଯୋଗ ପରେ  ପୋଲିସ କେଶ ନଂ ୬୩/୨୫ ମାମଲା ରୁଜୁ କରି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏହାସହ ମୃତକଙ୍କ ସ୍ଵାମୀକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ଅଧିକ ତଦନ୍ତ ଜାରି ରଖିଛି ତିଗିରିଆ ଥାନା ପୋଲିସ । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟ ସୂଚନା ଦେଇଛନ୍ତି ।

You Can Read:

ରାଧାଦାମୋଦରପୁରରେ ରୁକୁଣା ରଥଯାତ୍ରା : ରାତିରେ ରଥ ଟାଣିଲେ ଶତାଧିକ ଶ୍ରଦ୍ଧାଳୁ




  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.