ରାଧାଦାମୋଦରପୁରରେ ରୁକୁଣା ରଥଯାତ୍ରା : ରାତିରେ ରଥ ଟାଣିଲେ ଶତାଧିକ ଶ୍ରଦ୍ଧାଳୁ

Published By : Prameya-News7 Bureau | April 06, 2025 IST

ଆଠଗଡ଼ ଗଡ଼ିଲା ରୁକୁଣା ରଥ । ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ରାତିରେ ରଥ ଟାଣିଲେ ଶତାଧିକ ଶ୍ରଦ୍ଧାଳୁ । କଥାରେ ଅଛି ରୁକୁଣା ରଥ ଅଣ ଲେଉଟା । ପାରମ୍ପରିକ ଭାବରେ ଏହି ରଥ ଟଣା ହୋଇଗଲେ ଆଉ ଫେରେନା । ଆଠଗଡ଼ ବ୍ଲକ ରାଧାଦାମୋଦରପୁର ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ଜମେଶ୍ଵର ମହାଦେବଙ୍କ ରୁକୁଣା ରଥଯାତ୍ରା ପବିତ୍ର ଅଶୋକାଷ୍ଟମୀ ତିଥିରେ ସମସ୍ତ ରୀତିନୀତି ସହିତ ସମ୍ପନ୍ନ ହୋଇଛି । 

ଶନିବାର ସକାଳୁ ପହଡ଼ ଫିଟା ଠାରୁ ଆରମ୍ଭ କରି କଳସ ଯାତ୍ରା, ତିନି ଧୂପ ପାଞ୍ଚ ଅବକାଶ ନୀତି ସମ୍ପନ୍ନ ହେବାପରେ ଠାକୁର ଅଶୋକ କୁଣ୍ଡରେ ସ୍ନାନ କରି ମନ୍ଦିର ପ୍ରବେଶ କରିଥାନ୍ତି । ମନ୍ଦିର ମଧ୍ୟରେ ସ୍ବତନ୍ତ୍ର ରୀତିନୀତି ଏବଂ ଅଭିଷେକ ପରେ ରୁକୁଣା ରଥରେ ବିଜେ କରନ୍ତି । ସନ୍ଧ୍ୟାରେ ଏକ ଭବ୍ୟ ଶୋଭାଯାତ୍ରାରେ ଗ୍ରାମବାସୀ ମାନେ ଗ୍ରାମ ମୁରବି ଭାଗିରଥି କରଙ୍କ ଘରକୁ ଯାଇ ସେଠାରେ ତାଙ୍କୁ ନିମନ୍ତ୍ରଣ କରିବା ସହିତ ଗୋଟିଏ ଦିନର ରାଜା ଭାବେ ଅଭିଷେକ କରାଇ ବିରାଟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଇଥାନ୍ତି । ପରେ ତାଙ୍କରି  ଦ୍ଵାରା ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ ହେବା ପରେ ରଥଟଣା ହୋଇ ଠାକୁର ମାଉସୀ ଘରକୁ ଯାଇଥାନ୍ତି । ସେଠାରେ ସ୍ବତନ୍ତ୍ର ମାଣ୍ଡୁଅ ଭୋଗ ଲାଗି ହେବା ପରେ ବିମାନରେ ଠାକୁର ଆସି ଯାତ୍ରା ପଡ଼ିଆରେ ପହଞ୍ଚିଥାନ୍ତି । ନବମୀ ଦିନ ସକାଳୁ ଚାଚେରୀ ଭୋଗ ଖାଇ ମନ୍ଦିର ପ୍ରବେଶ କରିଥାନ୍ତି । 

ପାଖାପାଖି ଦୁଇ ଶହ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ଅନନ୍ୟ ପରମ୍ପରା ଓଡ଼ିଶାର ଅନ୍ୟ କୌଣସି ଜାଗାରେ ଦେଖିବାକୁ ମିଳେନାହିଁ । ବଂଶାନୁକ୍ରମେ ଏହି ଗ୍ରାମର ମୁରବୀ ଭାବରେ ଭାଗିରଥି କର ରଥ ଉପରେ ଛେରାପହଁରା ନୀତି କରି ଆସୁଛନ୍ତି । ବିଶ୍ଵାସ ରହିଛି ଏହି ଅଶୋକାଷ୍ଟମୀ ତିଥିରେ ଅଶୋକ କୁଣ୍ଡରେ ସ୍ନାନ କଲେ ସମସ୍ତ ରୋଗ ଶୋକ ଦୂର ହେବା ସହିତ ବନ୍ଧ୍ୟାଦୋଷରୁ ମୁକ୍ତି ମିଳିଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି ।

You Can Read:

ରିଜର୍ଭ ଫରେଷ୍ଟରରେ ଥିବା ଚୋରା ଖଣିରୁ କୋଇଲା ପରିବହନ, ଖଣି ବିଭାଗ ପକ୍ଷରୁ ଥାନାରେ ମାମଲା

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.