ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀ ଇଣ୍ଡି ମେଣ୍ଟ ଅନାସ୍ଥା ପ୍ରସ୍ତାବ ଆଣିପାରେ । କଂଗ୍ରେସ ପକ୍ଷରୁ ଏହି ପ୍ରସ୍ତାବ ଅଣାଯାଇପାରେ, ଯାହାକୁ ମେଣ୍ଟର ଅନ୍ୟ ସହ ଦଳ ମଧ୍ୟ ସମର୍ଥନ କରିପାରନ୍ତି । ସମାଜବାଦୀ ପାର୍ଟି ଏବଂ ଟିଏମସି ଏହି ଅନାସ୍ଥା ପ୍ରସ୍ତାବ ପକ୍ଷରେ ଥିବା କୁହାଯାଉଛି । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ ପକ୍ଷପାତ କରୁଥିବା ବିରୋଧୀ ଦଳ ନେତା ଅଭିଯୋଗ କରିଛନ୍ତି ।
ଇଣ୍ଡି ମେଣ୍ଟର ପ୍ରଦର୍ଶନରେ ଅସନ୍ତୁଷ୍ଟ ଥିବା ଟିଏମସି, ଏସପି ଏବଂ ଅରବିନ୍ଦ କେଜ୍ରିୱାଙ୍କ ଆମ୍ ଆଦାମୀ ପାର୍ଟିର ସାଂସଦ କଂଗ୍ରେସ ଆଣିବାକୁ ଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ହସ୍ତାକ୍ଷର କରିଛନ୍ତି । ସୂଚନା ଅନୁସାରେ ବିରୋଧୀ ଦଳ ମଙ୍ଗଳବାର ରାଜ୍ୟସଭା ସଭାପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିପାରନ୍ତି । ଏହି ଅନାସ୍ଥା ପ୍ରସ୍ତାବ ଉପରେ ୭୦ ଜଣ ସାଂସଦ ହସ୍ତାକ୍ଷର କରିଥିବା ଜଣାପଡ଼ିଛି ।
ବିରୋଧ ଦଳଗୁଡ଼ିକ ସମ୍ୱିଧାନର ଅନୁଚ୍ଛେଦ ୬୭(ବି) ଅଧିନରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଯାଉଛନ୍ତି । କୁହାଯାଉଛି ଯେ ସୋମବାର ରାଜ୍ୟସଭାରେ ଜର୍ଜ ସୋରୋସଙ୍କ ପ୍ରସଙ୍ଗରେ ହୋଇଥିବା ହଙ୍ଗାମା ସମୟରେ ସଭାପତି ଧନଖଡ଼ଙ୍କ ଆଭିମୁଖ୍ୟକୁ ଦେଖି କଂଗ୍ରେସ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବ । ଗୃହରେ ହଙ୍ଗାମା ଭିତରେ ଦିଗବିଜୟ ସିଂ ଏବଂ ରାଜୀବ ଶୁକ୍ଲାଙ୍କ ସମେତ କଂଗ୍ରେସ ସାଂସଦମାନେ ଗୃହ ସଭାପତିଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ କରି ପ୍ରଶ୍ନ ଉଠାଇଥିଲେ । ରାଜ୍ୟସଭା ଅଧ୍ୟକ୍ଷ ବିଜେପି ସାଂସଦଙ୍କ ନାଁ ନେଇ ସେମାନଙ୍କୁ କହିବା ପାଇଁ କହୁଥିବାରୁ କଂଗ୍ରେସ ଆପତ୍ତି ଉଠାଇଥିଲା ।
ରାଜ୍ୟସଭା ଅଧ୍ୟକ୍ଷଙ୍କୁ ହଟାଇବା ପ୍ରକ୍ରିୟା
ରାଜ୍ୟସଭା ସଭାପତିଙ୍କୁ ପଦରୁ ହଟାଇବା ପାଇଁ ଅତି କମରେ ୫୦ ସାଂସଦଙ୍କ ହସ୍ତାକ୍ଷର ସହ ପ୍ରସ୍ତାବକୁ ସଚିବାଳୟକୁ ପଠାଇବାକୁ ପଡ଼ିବ । ଅତି କମରେ ୧୪ ଦିନ ପୂର୍ବରୁ ଦିଆଯାଇଥିବା ଏହି ନୋଟିସ ପରେ ରାଜ୍ୟସଭାରେ ଉପସ୍ଥିତ ସଦସ୍ୟଙ୍କ ବହୁମତ ଆଧାରରେ ପ୍ରସ୍ତାବ ପାରିତ ହେବା ପରେ ଏହାକୁ ଲୋକସଭା ପଠାଯିବ । ରାଜ୍ୟସଭା ଅଧ୍ୟକ୍ଷ ଦେଶର ଉପରାଷ୍ଟ୍ରପତି, ଯାହା ଦ୍ୱିତୀୟ ସର୍ବୋଚ୍ଚ ସାମ୍ୱିଧାନିକ ପଦ । ଏଭଳି ସ୍ଥଳେ ତାଙ୍କୁ ପଦରୁ ହଟାଇବାକୁ ହେଲେ ଲୋକସଭାରେ ମଧ୍ୟ ପ୍ରସ୍ତାବ ପାରିତ କରିବାକୁ ହେବ । ଉଲ୍ଲେଖଯୋଗ୍ୟ ଯେ ସଂସଦର ଶୀତଳାଳୀନ ଅଧିବେଶନ ଡିସେମ୍ୱର ୨୦ ଯାଏ ଚାଲିବ ।